ଭୁବନେଶ୍ବର: ଆଉ ପାଦେ ଆଗେଇଲା କଟକ-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ମେଟ୍ରୋ ରେଳ ପ୍ରକଳ୍ପ ଡିପିଆରକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଫେଜ-୧ ଡିପିଆରକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପ୍ରଦାନ କରାଯାଇଛି। ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି ଏବଂ ଏହି ବୈଠକରେ ୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରାଯାଇଛି। ରାଜ୍ୟର ସହରାଞ୍ଚଳରେ ଉତ୍ତମ ବିଦ୍ୟୁତ ସେବା ପାଇଁ ସରକାରଙ୍କ ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ କାମ କରିବ। ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ସେହିପରି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ କ୍ୟାବିନେଟ୍ ମୋହର ମାରିବା ସହ ୫ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ମଂଜୁରୀ ମିଳିଛି।
ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଜାନିବିଲି ଗାଁ ନିକଟ ଋଶିକୁଲ୍ୟା ନଦୀରେ ବ୍ୟାରେଜ୍ ନିର୍ମାଣ କରାଯାଇଛି। ୫ବର୍ଷ ଭିତରେ ଏହି ବହୁମୁଖୀ ପ୍ରକଳ୍ପ ନିର୍ମାଣ କରାଯିବ ଏବଂ ଏଥିରେ ବିଦ୍ୟୁତ ଶକ୍ତି ଉତ୍ପାଦନ ସହିତ ରାସ୍ତା ସଂଯୋଗୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ବ୍ରହ୍ମପୁରରେ ପ୍ରସ୍ତାବିତ ରିଂରୋଡକୁ କ୍ୟାବିନେଟ୍ ସବୁଜ ସଙ୍କେତ ଦେଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଆମ ହସପିଟାଲ୍ ଯୋଜନା ପାଇଁ ରାଜ୍ୟ କ୍ୟାବିନେଟ୍ ମୋହର ମାରିଛି।



