ରାଜ୍ୟ କ୍ୟାବିନେଟରେ ୯ ପ୍ରସ୍ତାବକୁ ମୋହର : ପ୍ରତି ପଞ୍ଚାୟତକୁ ୫୦ଲକ୍ଷ

ଜନ୍ମ ନେଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’
ଜଗନ୍ନାଥ ସଂସ୍କୃତି ପ୍ରସାର ଲାଗି ମହାପ୍ରୟାସ
ସମ୍ବିଧାନରେ କୁଇ ଭାଷା ହେବ ଅନ୍ତର୍ଭୁକ୍ତ
ସଶକ୍ତ ଓ ଆକାଂକ୍ଷୀ ଓଡ଼ିଶା ପରିକଳ୍ପନା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନଗୁଡ଼ିକର ସୁରକ୍ଷାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି। ଓଡ଼ିଶାର ଗାଁଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ସୋମବାର ରାଜ୍ୟ କ୍ୟାବିନେଟ ନୂତନ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ଅନୁମୋଦନ ଦେଇଛି। ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ନିମନ୍ତେ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ। ପଞ୍ଚାୟତ ଗୁଡ଼ିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ।

prayash


ଯୋଜନା ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହି ଯୋଜନାରେ ରହିଛି ଏକ ନୂଆ ଓଡ଼ିଶା, ଏକ ଆକାଂକ୍ଷୀ ଓଡ଼ିଶା ଗଠନର ପରିକଳ୍ପନା। ଏଭଳି ଏକ ଆଧୁନିକ ଓଡ଼ିଶା ଯାହା କି ଆମର ମୌଳିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ସବୁବେଳେ ତା’ର ସଂସ୍କୃତି, ପରମ୍ପରା ଓ ଇତିହାସ ସହିତ ଦୃଢ ଭାବରେ ଯୋଡ଼ି ହୋଇ ରହିଛି। ଓଡ଼ିଶା ହେଉଛି ସେହି ଭୂମି ଯେ କି ସାରା ବିଶ୍ୱକୁ ଜଗନ୍ନାଥ ସଂସ୍କୃତି ପରି ମହାନ ସଂସ୍କୃତି ସହ ପରିଚିତ କରାଇଛି। ଜଗନ୍ନାଥ ସଂସ୍କୃତି ବିଶ୍ବପ୍ରେମ, ସେବା ଓ ସମାନତାକୁ ଗୁରୁତ୍ବ ଦେଇଛି। ସମସ୍ତଙ୍କୁ ସମାନ ଭାବରେ ଆଦରି ନେଇଛି। ଜାତି ଓ ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ନିଜର କରିପାରିଛି। ଏଥିରେ ସ୍ଥାନୀୟ ପୂଜାସ୍ଥଳୀ ତଥା ଐତିହାସିକ ଗୁରୁତ୍ୱ ଥିବା ସ୍ଥାନଗୁଡ଼ିକର ସୁରକ୍ଷା ଏବଂ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ପାଇଁ ବିଶେଷ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟେକ ଗ୍ରାମପଞ୍ଚାୟତ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କାମ କରିପାରିବେ। ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଇତିହାସ ଓ ଆଧ୍ୟାତ୍ମିକତା ସହ ଯୋଡ଼ି ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ, ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ସେସବୁ ସ୍ଥାନର ସଂରକ୍ଷଣ ଓ ସୁରକ୍ଷା ଜରୁରୀ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ହିଁ ଏହି କାମକୁ ଅଧିକ ଦକ୍ଷତାର ସହ କରିପାରିବ। ନୂଆ ଓଡ଼ିଶା ତା’ର ମୂଳଭିତ୍ତିକୁ ସୁଦୃଢ ରଖିବା ସହିତ ଦୂର ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ତା’ର ଡେଣାକୁ ଅଧିକ ପ୍ରସାରିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଶ୍ରୀ ପଟ୍ଟନାୟକ କହିଥିଲେ, ଗାଁଗୁଡ଼ିକରେ ଯୁବ ସମାଜ ପାଇଁ ଇଣ୍ଟରନେଟ୍ ସଂଯୋଗ ସହ ଖେଳ ପଡ଼ିଆ ଓ ବିଜ୍ଞାନ ପାର୍କ ଦରକାର। ସେମାନଙ୍କ ପାଇଁ ତାଲିମ ସୁବିଧା ଓ କାର୍ଯ୍ୟକ୍ରମ କେନ୍ଦ୍ରର ଆବଶ୍ୟକତା ରହିଛି। ଗାଁର ଉଦ୍ୟୋଗୀ ବିଶେଷକରି, ମା’ ମାନଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଦରକାର। ଗାଁରେ ଆଧୁନିକ ମୌଳିକ ସୁବିଧାର ବିକାଶ ଉପରେ ମତ ଦେଇ ସେ କହିଥିଲେ ଯେ, ‘ମୁଁ ଚାହେଁ, ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ଥିବା ପ୍ରଭେଦ ଦୂର ହେଉ। ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ମିଳୁ। ଡିଜିଟାଲ ଭିତ୍ତିଭୂମିର ବିକାଶ ହେଉ। ତା’ ସହିତ ଅନ୍ୟ ଆଧୁନିକୀକରଣ କାମ ମଧ୍ୟ ହେଉ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପଞ୍ଚାୟତସ୍ତରରେ ଏସବୁ ପରିକଳ୍ପନାକୁ ଆଗେଇ ନେବା ପାଇଁ ସୁଯୋଗ ସୃଷ୍ଟି କରିବ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଅଧୀନରେ ଗାଁର ମନ୍ଦିରଗୁଡ଼ିକର ପୁନରୁଦ୍ଧାରଠାରୁ ଆରମ୍ଭ କରି ଡିଜିଟାଲ ଭିତ୍ତିଭୂମି କାମ ପରି ଭବିଷ୍ୟମୁଖୀ ଯୋଜନା କରାଯିବ। ଉଭୟ କାମ ଏକ ସମୟରେ ଚାଲିବ।” ଏହା ଓଡିଶାରେ ଏକ ନୂଆ ଯୁଗର ଆରମ୍ଭ କରିବ ବୋଲି ଦୃଢ ବିଶ୍ବାସ ପ୍ରକଟ କରି ସେ କହିଲେ ଯେ, ଓଡ଼ିଶାର ଯୁବସମାଜ, ମା’, ଶିଶୁ, ଉଦ୍ୟୋଗୀ,ଚାଷୀ ଭାଇ ଭଉଣୀ,ଜନଜାତି ଭାଇଭଉଣୀମାନଙ୍କ ପାଇଁ ଏକ ଆଧୁନିକ ପ୍ରଗତିଶୀଳ ଓ ସମ୍ବେଦନଶୀଳ ଓଡିଶା ଗଠନରେ ସହାୟକ ହେବ। ଏହି ଯୋଜନା ଏଭଳି ଏକ ନୂଆ ଓଡ଼ିଶାର ସୂତ୍ରପାତ କରିବ, ଯାହାର ଭିତ୍ତି ହେବ ସୁଦୃଢ ଓ ଡେଣା ସଶକ୍ତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

Comments are closed.