ମସ୍କୋରେ ପ୍ରିଗୋଜିନଙ୍କୁ ଭେଟିଲେ ପୁତିନ

ମସ୍କୋ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ୱାଗନର ମୁଖ୍ୟ ୟେଭଜେନି ପ୍ରିଗୋଜିନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ଜୁନ୍ ୨୯ରେ ରୁଷିଆ ରାଜଧାନୀ ମସ୍କୋରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ଆଲୋଚନା ହୋଇଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ ପକ୍ଷରୁ ସୋମବାର (ଜୁଲାଇ ୧୦) କୁହାଯାଇଛି। ପ୍ରାୟ ସାଢେ ତିନିଘଣ୍ଟାର କଥାବାର୍ତ୍ତା କାଳରେ ପୁତିନ ୱାଗନର କମାଣ୍ଡର ପ୍ରିଗୋଜିନଙ୍କୁ ନିଯୁକ୍ତିର ବିକଳ୍ପ ସୁଯୋଗ ଦେଇଥିଲେ। ଅନ୍ୟପଟେ ପ୍ରିଗୋଜିନ କହିଥିଲେ ଯେ ସେ ଦେଶଭକ୍ତ। ଦେଶ ପାଇଁ ଶତ୍ରୁ ବିରୋଧରେ ତାଙ୍କ ସଂଗଠନ ଲଢେଇ ଜାରି ରଖିବ। ପ୍ରିଗୋଜିନଙ୍କ ନେତୃତ୍ବରେ ୱାଗନର ବାହିନୀ ଜୁନ୍‌ ୨୪ ତାରିଖରେ ରୁଷିଆ ସେନା ଓ ରାଷ୍ଟ୍ରପତି ପୁତିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ତେବେ ମାତ୍ର ୨୪ ଘଣ୍ଟାର ବିଦ୍ରୋହ ପରେ ୱାଗନର ବାହିନୀ ପଛକୁ ହଟିଥିଲେ। ବେଲାରୁଷ୍‌ର ମଧ୍ୟସ୍ଥତାରେ ୱାଗନର ବାହିନୀର ବିଦ୍ରୋହରୁ ଓହରିଯାଇଥିଲା। ତେବେ ପୁତିନଙ୍କ ବିରୋଧରେ ପ୍ରିଗୋଜିନ ଯେଉଁ ବିଦ୍ରୋହ କରିଥିଲେ ତାହା ଅତୀତରେ କେବେ ଦେଖାଯାଇ ନଥିଲା। ଏହା ପୁତିନଙ୍କ ଶାସନ କାଳ ମଧ୍ୟରେ ସବୁଠାରୁ ବଡ ଆହ୍ବାନ।

Comments are closed.