ଠାକୁରାଣୀ ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ସଡକ:ମିଳିଲା ମଞ୍ଜୁରୀ

ଯୋଡା: ପୁନର୍ଗଠିତ ଜଙ୍ଗଲ ଅଧିକାର ଆଇନ ୨୦୦୬ ମୁତାବକ ଠାକୁରାଣୀ ରାଜସ୍ୱ ଗ୍ରାମରୁ ମୁର୍ଗା ପ୍ରାୟ ୨ କିମି ରାସ୍ତାର ଠାକୁରାଣୀ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ୧.୬୫୭ କିମି ବା .୮୨୮ ହେକ୍ଟର ଅଞ୍ଚଳକୁ ଅଣଜଙ୍ଗଲ କାର୍ୟ୍ୟରେ ବିନିଯୋଗ ନିମନ୍ତେ ଗତ ୧୪ ମାର୍ଚ୍ଚ ୨୦୧୪ରେ ଯୋଡା ପଞ୍ଚାୟତରାଜ ବିଭାଗ ପକ୍ଷରୁ କେନ୍ଦୁଝର ଜଙ୍ଗଲ ବିଭାଗ ନିକଟରେ ହୋଇଥିବା ଆବେଦନ ସପକ୍ଷରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଅନୁମତି ପ୍ରଦାନ କରିଥିବାରୁ ରାଜ୍ୟ ସୀମାନ୍ତ ଠାକୁରାଣୀ ଗ୍ରାମରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଗୁରୁବାର ପୂର୍ବାହ୍ନରେ ଏ ସଂକ୍ରାନ୍ତରେ ଆୟୋଜିତ ଏକ ସମ୍ମିଳନୀରେ ଗ୍ରାମବାସୀ ସମୂହ ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକୁ ସଫଳ ରୂପାୟନ କରିବା ନିମନ୍ତେ ୨୦୧୩ରୁ ନିରନ୍ତର ପ୍ରୟାସ ଜାରି ରଖିଥିବା ସମ୍ପୃକ୍ତ ଗ୍ରାମର ଧନୁର୍ଜୟ ପଲେଇ ଓ ହରିହର ବାରିକ୍ଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଏଥିରେ ସହଯୋଗ କରିଥିବା ଦେଓଝର ସରପଞ୍ଚ ଓ ସମିତି ସଭ୍ୟ ଯଥାକ୍ରମେ ମଙ୍ଗଲ ମୁଣ୍ଡା ଓ ଯୁଧିଷ୍ଠୀର ପଲେଇଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ତେବେ ଏ ସଂକ୍ରାନ୍ତରେ ଏଥି ପୂର୍ବରୁ ଠାକୁରାଣୀ ଗ୍ରାମବାସୀ ବ୍ୟବସ୍ଥା ମୁତାବକ ଗତ ୫ ଜାନୁଆରୀ ୨୦୧୩ରେ ଗ୍ରାମସଭା ଜରିଆରେ ସମ୍ପୃକ୍ତ ପରିମାଣର ଜଙ୍ଗଲ କିସମ ଜମିକୁ ସ୍ଥାୟୀ ଯୋଗାଯୋଗ ଉଦ୍ଦେଶ୍ୟରେ ଅଣଜଙ୍ଗଲ କିସମ ଜମିରେ ରୂପାନ୍ତରିତ କରିବା ନିମନ୍ତେ ପ୍ରସ୍ତାବ ଅନୁମୋଦନ କରିଥିଲେ। ଏଠାରେ ସୂଚନାଯୋଗ୍ୟ,ସଂଶୋଧିତ ୨୦୦୬ ଜଙ୍ଗଲ ଅଧିକାର ଆଇନ ମୁତାବକ ସାଧାରଣ ଯାତାୟତ କିମ୍ବା ଅନ୍ୟାନ୍ୟ ଲୋକାଭିମୁଖି ଯୋଜନା ନିମନ୍ତେ ବନଖଣ୍ଡ ଅଧିକାରୀ ସର୍ବାଧିକ ୨ ହେକ୍ଟର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାର୍ୟ୍ୟରେ ବିନିଯୋଗ ନିମନ୍ତେ ଅନୁମତି ପ୍ରଦାନ କରିପାରିବେ। ଏହି ନୀତିରେ ଠାକୁରାଣୀ ଗ୍ରାମବାସୀ ୨୪ ଅପ୍ରେଲ ୨୦୧୫ରେ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ନିକଟରେ ରାସ୍ତା ନିର୍ମାଣ ନିମନ୍ତେ ପ୍ରତିବନ୍ଧକ ହେଉଥିବା ସମ୍ପୃକ୍ତ ଜଙ୍ଗଲ ଜମିକୁ ପ୍ରଦାନ କରିଛନ୍ତି। କେନ୍ଦୁଝର ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ଚଳିତ ମାସ ୨୮ ତାରିଖରେ ତାଙ୍କର ବିଭାଗ ପତ୍ରସଂଖ୍ୟା ୩୯୨/୬ଏଫ-୨୨୯/୨୦୧୫ରେ ଆବେଦନ ହୋଇଥିବା ଜଙ୍ଗଲ କିସମ ଜମିର ଚିହ୍ନଟ ନିମନ୍ତେ ଚାରି ଫୁଟ୍ର୨ ସିମେଣ୍ଟ ଖୁଣ୍ଟ ସ୍ଥାପନ ସହ କୌଣସି ଗଛ ନକାଟି ବର୍ଷକ ମଧ୍ୟରେ ରାସ୍ତା କାର୍ୟ୍ୟ ନିର୍ମାଣ ସର୍ତ୍ତରେ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସମ୍ପୃକ୍ତ ଜଙ୍ଗଲ କିସମ ଜମି ହସ୍ତାନ୍ତର କରିଥିବାର ଜଣାପଡିଛି।

Comments are closed.