ଭୁବନେଶ୍ୱର :ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ନର୍ସିଂ ଅଧିକାରୀଙ୍କୁ ମିଳିବ ପଦୋନ୍ନତି। ନର୍ସିଂ ନିର୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲା ତଥା ରାଜ୍ୟ ସ୍ତରରେ କାର୍ଯ୍ୟକରୁଥିବା ନର୍ସିଂ ଅଧିକାରୀଙ୍କ ତାଲିକା ପ୍ରସ୍ତୁତି ଶେଷ ହୋଇଛି ଏବଂ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ନର୍ସିଂ ଅଧିକାରୀଙ୍କ ପାଇଁ ନୂଆ ଡ୍ରେସ କୋଡ୍ ଲାଗୁ କରାଯିବା ପରେ ଏବେ ପଦୋନ୍ନତି ବ୍ୟବସ୍ଥା କରୁଛନ୍ତି ସରକାର। ପୂର୍ବରୁ ଏନେଇ ବାରମ୍ବାର ନର୍ସିଂ ଅଧିକାରୀ ସରକାରଙ୍କ ନିକଟରେ ଦାବି କରିଥିଲେ। ନର୍ସିଂ ଅଧିକାରୀଙ୍କ ଦାବିକୁ ସରକାର ଗୁରୁତ୍ବ ଦେଇଛନ୍ତି। କ୍ୟାଡର ପୁନଃଗଠନ ପ୍ରାୟ ଶେଷ ହୋଇଛି। ଜିଲାସ୍ତରରୁ ନେଇ ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ନର୍ସିଂ ଅଧିକାରୀଙ୍କୁ ନିଯୁକ୍ତି ଅନୁସାରେ ପଦୋନ୍ନତି ମିଳିବ। ନିର୍ଦେଶାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଏଥିପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ନିର୍ଦେଶାଳୟ ପକ୍ଷରୁ ଜଣାପଡ଼ିଛି। ପୂର୍ବରୁ ନର୍ସିଂ ଅଧିକାରୀଙ୍କ ପଦୋନ୍ନତି ବ୍ୟବସ୍ଥା ପ୍ରାୟତଃ ନଥିଲା। ଯେତିକି ଥିଲା ସେଥିରେ ଆବଶ୍ୟକତା ପୂରଣ ହୋଇପାରୁନଥିଲା ବା କୌଣସି ଅଧିକାରୀ ଉପକୃତ ହେଉପାରୁନଥିଲେ। ମୂଳ ପଦରେ ଯୋଗଦେଇ ସେହି ପଦରୁ ଅବସର ଗ୍ରହଣ କରୁଥିଲେ। ତେବେ କ୍ୟାଡର ହେବା ପରେ ଏବେ ନର୍ସିଂ ଅଧିକାରୀଙ୍କୁ ପଦୋନ୍ନତି ମିଳିବ। ଅନ୍ୟପକ୍ଷରେ ନିର୍ଦେଶାଳୟକୁ ସରକାର ଉପେକ୍ଷା କରୁଛନ୍ତି। ଆଗକୁ ଅନେକ ନର୍ସିଂ ମହାବିଦ୍ୟାଳୟ ଖୋଲିବ। ସ୍ଥାୟୀ ନିର୍ଦେଶକ ନଥିବା ଯୋଗୁଁ ଅନେକ ସମୟରେ ହଟହଟା ହେବାକୁ ପଡୁଛି। ବିଭିନ୍ନ କାମ ନେଇ ରାଜ୍ୟର ଅନେକ ଜିଲାରୁ କର୍ମଚାରୀ ତଥା ଛାତ୍ରଛାତ୍ରୀ ଆସୁଥିବାବେଳେ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନାହିଁ।
Popular Categories



