ମାଛ ବାଣ୍ଟି ବିବାଦରେ ବିଳାସିନୀ; ଭୋଟର୍‍ଙ୍କୁ ଚା’ ଦେଇ ପ୍ରଚାର କରୁଛନ୍ତି ଉମା

ବଲାଙ୍ଗିର: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ନୂଆ କଥା ଦେଖିବାକୁ ମିଳୁଛି। ବଲାଙ୍ଗିର ଜିଲାରେ ଭୋଟର୍‍ଙ୍କୁ ଖୁସି କରିବା ପାଇଁ କିଏ ମାଛ ବାଣ୍ଟିଲାଣି ତ ପୁଣି କିଏ ନିଜ ଚିହ୍ନର ପ୍ରଚାର ପାଇଁ ଚା’ ପିଇବାକୁ ଦେଉଛନ୍ତି। ଏହାକୁ ନେଇ ରୋଚକ ହୋଇଛି ରାଜନୀତି। ତେବେ ମାଛ ବାଣ୍ଟିବା କାରଣରୁ ବିବାଦୀୟ ହୋଇଛନ୍ତି ସରପଞ୍ଚ ପ୍ରାର୍ଥିନୀ। ଭୋଟର୍‍ଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ସରପଞ୍ଚ ପ୍ରାର୍ଥିନୀଙ୍କ ବିରୋଧରେ ତଦନ୍ତ ଚାଲିଥିବା ବେଳେ ଚା’ ଦେଇ ଚର୍ଚ୍ଚାରେ ରହିଛନ୍ତି ସମିତି ସଭ୍ୟ ପ୍ରାର୍ଥିନୀ।

ବଲାଙ୍ଗିର ଜିଲା ବେଲପଡ଼ା ପଞ୍ଚାୟତ ସମିତିର ନୁନହାଡ ପଞ୍ଚାୟତ। ନୁନହାଡ, ଚାଚେରବେଙ୍ଗ ଓ ଡୁଙ୍ଗରିପାଲି ଗାଁକୁ ନେଇ ନୁନହାଡ ପଞ୍ଚାୟତ। ଏହି ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥିନୀ ହୋଇଛନ୍ତି ବିଳାସିନୀ ମେହେର। ତାଙ୍କର ଚିହ୍ନ ମାଛ। ନିଜର ପ୍ରଚାର ପ୍ରସାର ଭିନ୍ନ ଢଙ୍ଗରେ କରିବାକୁ ଯାଇ ବିଳାସିନୀ ପ୍ରାୟ ୮ରୁ ୯ କ୍ୱିଣ୍ଟାଲ ରୋହି ମାଛ ଗାଁ ଗାଁରେ ଭୋଟର୍‍ମାନଙ୍କୁ ଦେଇଛନ୍ତି। ଯାହାର ଫଟୋ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏଭଳି ପ୍ରଚାର ସରପଞ୍ଚ ପ୍ରାର୍ଥିନୀ କରିଥିବାରୁ ତାଙ୍କ ପାଇଁ ଅଡୁଆ ବଢିଛି। ପାଟଣାଗଡ ଉପଖଣ୍ଡ ଉପ ଜିଲାପାଳ ଡ.ବିଜୟାନନ୍ଦ ସେଠୀ ଏ ସଂପର୍କରେ ଅବଗତ ହେବା ପରେ ତଦନ୍ତ ପାଇଁ ଦଳ ପଠାଇଥିଲେ ନୁନହାଡ ପଞ୍ଚାୟତକୁ। ତଦନ୍ତକାରୀ ଦଳ ଗାଁ ଲୋକଙ୍କୁ ଯାଇ ପଚାରିଥିଲେ ମାଛ ବାଣ୍ଟିବା ବିଷୟରେ। ଲୋକେ କହିଥିଲେ ଯେ, ସେମାନେ ରୋହି ମାଛ ପାଇଛନ୍ତି। ମାଛ ରାନ୍ଧି ଖାଇଛନ୍ତି। ହେଲେ କିଏ ଓ କାହିଁକି ଦେଲା ତାହା ସେମାନେ ଜାଣି ନାହାନ୍ତି। ଅନ୍ୟପଟେ ତଦନ୍ତକାରୀ ଦଳ ରିପୋର୍ଟ ଦେବା ପରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏହି ରିପୋର୍ଟ ପଠାଯିବ ବୋଲି ସୂଚନା ମିଳିଛି।

ସେହିପରି ବଲାଙ୍ଗିର ଜିଲା ସଇଁନ୍ତଲା ପଞ୍ଚାୟତ ସମିତିର କରମତଲା ପଞ୍ଚାୟତରୁ ସମିତି ସଭ୍ୟା ପ୍ରାର୍ଥୀ ହୋଇଛନ୍ତି ଉମା ମାଝୀ। ତାଙ୍କ ଚିହ୍ନ ହେଉଛି କେଟଲି। ସେ ବି ପ୍ରଚାର ମଇଦାନରେ ବେଶ ଚର୍ଚ୍ଚା ସାଉଁଟୁଛନ୍ତି। ଚା’ ପିଇବ ଫୁକି ଫୁକି…ଭୋଟ୍‍ ଦେବ ବାକି….। କରମତଲା ପଞ୍ଚାୟତର ଗା ଗାଁଁରେ ଚା’ କେଟଲି ଧରି ସମିତି ସଭ୍ୟା ପ୍ରାର୍ଥୀ ଉମା ବୁଲିବା ସହ ଛୋଟ ପିଲାଠାରୁ ଆରମ୍ଭ କରି ମହିଳା ଓ ପୁରୁଷ ଭୋଟର୍‍ଙ୍କୁ କପ୍‍ରେ ଚା’ ଦେଉଛନ୍ତି। ଏସଂପର୍କରେ ପ୍ରାର୍ଥୀ ଶ୍ରୀମତୀ ମାଝୀ କହିଛନ୍ତି ଯେ, ତାଙ୍କ ପାଖରେ ଭୋଟର୍‍ଙ୍କୁ ଦେବା ପାଇଁ ଚା’ ଛାଡିଦେଲେ କିଛି ନାହିଁ। ସେ ପ୍ରଚାର ପତ୍ର ବନାଇ ନାହାନ୍ତି। ଲୋକଙ୍କୁ କ’ଣ କହି ଭୋଟ୍‍ ମାଗିବେ। ତାଙ୍କ ପଞ୍ଚାୟତରେ ପିଇବା ପାଇଁ ନଳକୂଅ, ବନ୍ଧରେ ପାଣି ନାହିଁ। ଭଲ ରାସ୍ତା ନଥିବା ବେଳେ ଗରିବ ଦୁଃଖି ଲୋକଙ୍କୁ ସରକାରୀ ଯୋଜନାର ସୁବିଧା ମିଳିପାରୁ ନାହିଁ। ଇନ୍ଦିରା ଆବାସ, ବିଜୁ ପକ୍କା ଘର ଯୋଜନାରେ ସାମିଲ ହୋଇଥିଲେ ବି ଠିକ୍‍ ସମୟରେ ପଇସା ମିଳୁନି। ପାତର ଅନ୍ତର ହେଉଛି। ତେଣୁ ସେ ସମିତି ସଭ୍ୟା ପ୍ରାର୍ଥୀ ହୋଇଛନ୍ତି। ପ୍ରଚାର ପତ୍ର ବନାଇ ନଥିବାରୁ ସେ ନିଜର ଚିହ୍ନର ପ୍ରଚାର ପାଇଁ କେଟଲି ଧରି ଲୋକଙ୍କୁ ଚା’ ପିଇବାକୁ ଦେଉଥିବା କହିଛନ୍ତି।

Comments are closed.