ଭବାନୀପାଟଣା: ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ରବିବାର ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିନ କରି ନୂଆ-ଓ ଛାତ୍ରବୃତ୍ତି ବିତରଣ ଉଦଘାଟନ କରିଥିଲେ। ଏହି ଛାତ୍ରବୃତ୍ତି ସ୍ନାତକ ଓ ସ୍ନାତକୋତ୍ତର ପଢୁଥିବା ଛାତ୍ରଙ୍କୁ ୯ହଜାର, ଛାତ୍ରୀଙ୍କ ପାଇଁ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ଅନୁସୂଚିତ ଜାତି, ଜନଜାତି ତଥା ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ବାର୍ଷିକ ୧୦ ହଜାର ଓ ଝିଅଙ୍କୁ ୧୧ ହଜାର ଟଙ୍କା ଛାତ୍ର ବୃତ୍ତି ଦିଆଯିବ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏବଂ ବେସରକାରୀ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଟଙ୍କା ସିଧା ସଳଖ ତାଙ୍କ ବ୍ୟାଙ୍କ୍ ଖାତାରେ ପ୍ରଦାନ କରାଯିବ। ଯୁବକମାନଙ୍କୁ ସଶକ୍ତିକରଣ, ନିଜସ୍ୱ ଦକ୍ଷତା ବିକାଶ ତଥା ରାଜ୍ୟ ସମୃଦ୍ଧିରେ ନିଜସ୍ୱ ସହଭାଗିତା ଏବଂ ରୂପାନ୍ତରଣ କାର୍ଯ୍ୟ ପରିପ୍ରେକ୍ଷୀରେ ନୂଆ-ଓ ଛାତ୍ର ବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ପାଣ୍ଡିଆନ କହିଥିଲେ।
ଏହାବ୍ୟତୀତ ଆସନ୍ତା ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡର ଶୁଭାରମ୍ଭ କରାଯିବ। ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଏହା ଉଦ୍ଦିଷ୍ଟ। ଏହି କାର୍ଡରେ ୱାଇଫାଇ ସୁବିଧା, ବହି କିଣିବାରେ ରିହାତି, ବସ୍ ଏବଂ ଟ୍ରେନ ଯାତ୍ରାରେ ରିହାତି, ଅନଲାଇନ୍ କ୍ଲାସରୁମର ସୁବିଧା, ଅନଲାଇନ୍ କ୍ୟାରିୟର କାଉନସେଲିଙ୍ଗ, ଫୋନ୍ ପାଇଁ ରିଚାର୍ଜ କରିବା ଆଦି ନାନା ସୁବିଧା ରହିଥିବା ପଣ୍ଡିଆନ କହିଥିଲେ। ତେବେ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କଲେ ସେମାନଙ୍କୁ ସିଲଭର କାର୍ଡ ଅପଗ୍ରେଡ୍ କରାଯିବ। ପରେ ଗୋଲ୍ଡେନ୍ ଏବଂ ତା’ପରେ ପ୍ଲାଟିନମ୍ କାର୍ଡ ଦ୍ୱାରା ସେମାନେ ନିଜର ଅଧ୍ୟୟନ ଖର୍ଚ୍ଚ ପରିଚାଳନା କରିପାରିବେ ବୋଲି ସେ କହିଥିଲେ।
ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଜରିଆରେ କଳାହାଣ୍ଡି ଜିଲାରେ ୩୩ଟି କଲେଜରୁ ୧୩,୦୭୪ ଜଣ ଛାତ୍ରଛାତ୍ରୀଙ୍କୁ ୧୨,୯୩,୫୯,୦୦୦ ଟଙ୍କା ଛାତ୍ର ବୃତ୍ତି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରୁ ୬୯୯୩ ଜଣ ଛାତ୍ର ଏବଂ ୬୦୮୧ ଜଣ ଛାତ୍ରୀ ଅଛନ୍ତି। ମଞ୍ଚରେ ୫-ଟି ଅଧ୍ୟକ୍ଷ ୧୩ ଜଣ ଛାତ୍ର ଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଥିଲେ। ଆଜି ସକାଳ ପ୍ରାୟ ୧୧.୨୦ ମିନିଟ ସମୟରେ ଧର୍ମଗଡ ନିକଟସ୍ଥ ଗମ୍ଭାରିଗୁଡ଼ା ଯଶୋଦା ଅନାଥାଶ୍ରମ ନିକଟସ୍ଥ ପଡ଼ିଆରେ ସେ ହେଲିକପ୍ଟରରୁ ଓହ୍ଲାଇ ସଭାସ୍ଥଳକୁ ଯାଇଥିଲେ।



