www.samajalive.in
Monday, December 15, 2025
14.1 C
Bhubaneswar

ହଟିଲା ସଟ୍‌ଡାଉନ୍‌ ; ରାତି କର୍ଫ୍ୟୁ ରହିବ

କଟକ/ଭୁବନେଶ୍ବର : କଟକରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌ କଟକଣାକୁ କେତେକ ସର୍ତ୍ତ ଅନୁଯାୟୀ ଉଠାଯାଇଛି। ସୋମବାରଠାରୁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ସହରରେ ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁହେବ। ସରକାରୀ ଅଫିସ୍ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ। କୋଭିଡ୍ କଟକଣା ସର୍ତ୍ତ ସହିତ ସହରରେ ସପିଂ ମଲ୍ ଖୋଲିବ; କିନ୍ତୁ ପାର୍କଗୁଡିକ ଜୁଲାଇ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରବିବାର ଗୀତଗୋବିନ୍ଦ ସଦନଠାରେ କଟକର କରୋନା ସ୍ଥିତି ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରୁ ଜଣାଯାଇଛି। ଏହି ସମ୍ମିଳନୀରେକଟକ ପର୍ଯ୍ୟବେକ୍ଷକ ତଥା କୃଷିବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଥିଲେ ଯେ କଟକ ହେଉଛି ରାଜ୍ୟର ଏକ ପ୍ରମୁଖ ମେଡିକାଲ ହବ୍। ଏଠାକୁ ପ୍ରତିଦିନ ବିଭିନ୍ନ ଜିଲା ଓ ରାଜ୍ୟରୁ ରୋଗୀମାନେ ଚିକିତ୍ସା ପାଇଁ ଆସିଥାନ୍ତି। ତେଣୁ ସଂକ୍ରମଣ ସଂଖ୍ୟା ବଢ଼ୁଛି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୧୨୦ କରୋନା ଆକ୍ରାନ୍ତ ବାହାରିଛନ୍ତି। ଏବେ ସୁଦ୍ଧା କଟକ ଗ୍ରାମାଞ୍ଚଳରେ ୭୫୦ ଆକ୍ରାନ୍ତ ବାହାରିଥିବାବେଳେ ସେଥିରୁ ୫୬୯ଜଣ ସୁସ୍ଥ ହୋଇଛନ୍ତି। ୨୪୯ଜଣ କଟକ ସହରରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୦ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ଅଶ୍ବିନୀ ଓ ଆଠଗଡ଼ସ୍ଥିତ ଗୋପବନ୍ଧୁ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଜିମସାର)ଠାରେ କୋଭିଡ଼ ହସ୍ପିଟାଲ ଖୋଲାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଧରପୁର ଏବଂ ଡ୍ରିମ୍ସଠାରେ ଅାଉ ୨ଟି କୋଭିଡ଼ ହସ୍ପିଟାଲ ଖୋଲିବାପାଇଁ ପ୍ରସ୍ତୁତି ସରିଛି। ସବୁଠାରୁ ବଡ଼କଥା ହେଲା ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ଓ ସାମାଜିକ ଦୂରତା ବଜାୟ ରହିବା ଆବଶ୍ୟକ। ସଚେତନତା ହିଁ କରୋନାକୁ ନିୟନ୍ତ୍ରଣ କରିବାର ମୂଳମନ୍ତ୍ର ବୋଲି ଶ୍ରୀ ଗର୍ଗ କହିଥିଲେ।
ଏହି ଅବସରରେ କଟକ ମ୍ୟୁନିସପାଲିଟିର କମିସନର ଅନନ୍ୟା ଦାସ କହିଥିଲେ ଯେ କଟକ ସହରରେ ଅଦ୍ୟାବଧି ୨୪୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬ଜଣ ସକ୍ରିୟ ରହିଥିବାବେଳେ ୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କରୋନା ଆକ୍ରାନ୍ତ ବଢ଼ିବାରୁ ସେଠାରେ ୫୦୦ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା, ସେଥିରୁ ୧୨୦ଜଣ ପଜିଟିଭ ବାହାରିଥିଲେ। ସେଥିରେ ୪୩ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ୭୬ଟି ସକ୍ରିୟ କେସ୍ ରହିଛି। ସେହିପରି ଏସସିବିରେ ୧୮ଟି ପଜିଟିଭରୁ ଜଣେ ସୁସ୍ଥ ହୋଇଛନ୍ତି ଏବଂ ୧୭ଜଣ ଆକ୍ଟିଭ ରହିଛନ୍ତି। କଟକ ସହରରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାର ମୂଳ କାରଣ ହେଉଛି ଏଠାକୁ ପ୍ରତିଦିନ ବିଭିନ୍ନ ଜଟିଳ ରୋଗର ଉପଚାର ପାଇଁ ଏସସିବି ଓ ଆଚାର୍ଯ୍ୟ ହରିହର ଭଳି ବିଭିନ୍ନ ହସ୍ପିଟାଲକୁ ଲୋକେ ଆସିଥାନ୍ତି। ସେମାନେ ସରକାରଙ୍କ କୋଭିଡ଼ ମାର୍ଗଦର୍ଶିକା ପାଳନ କରୁ ନଥିବା ଯୋଗୁଁ ଏହି ସଂକ୍ରମଣ ଦେଖାଦେଇଥିଲା। ତେବେ କଟକ ସହରରେ ବହୁତ ଗଳି ରହିଛି। ତେଣୁ ଗଳି ଗୁଡିକରେ ଯେଭଳି ଗହଳି ନ ହେବ ସେଥିପ୍ରତି ଜନସାଧାରଣଙ୍କୁ ସଚେତନ କରାଯାଉଛି। ତେବେ ମଣିଷର ପ୍ରକୃତି ପାଇଁ ସାମାଜିକ ସଂକ୍ରମଣ ହେଉଛି। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବେଳେ ଲୋକେ ନିଜ ପରିବାର ବୋଲି ଭାବି ମିଶି ଯାଉଛନ୍ତି ଯାହାଫଳରେ ସଂକ୍ରମଣ ଦେଖାଦେଉଛି। ସଂପ୍ରତି ସାମାଜିକ କାର୍ଯ୍ୟକ୍ରମ ବେଳେ ମଣିଷକୁ ତା’ର ଏହି ପ୍ରବୃତ୍ତିକୁ ଟିକେ ବଦଳାଇବା ଦରକାର ବୋଲି ଶ୍ରୀମତୀ ଦାସ କହିଛନ୍ତି। ସେ କହିଛନ୍ତି ଯେ କେତେକ ଘରୋଇ ନର୍ସିଂ ​‌େ​‌ହାମ ରୋଗୀଙ୍କୁ ଦେଖିବା କିମ୍ବା ଚିକିତ୍ସା ବେଳେ ସରକାରୀ ପ୍ରୋଟୋକଲ ମାନୁନାହାନ୍ତି। ଫଳରେ ସଂକ୍ରମଣ ବଢ଼ୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସବୁ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଦେଖିବା ବେଳେ ପିପିଇ ବ୍ୟବହାର କରିବା ଓ ସରକାରଙ୍କ ମାର୍ଗଦର୍ଶିକାକୁ ଅନୁସରଣ କରିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ସହରରେ କୋଭିଡ଼ ମୁକାବିଲା ପାଇଁ ୫ସୂତ୍ରୀ ପଦକ୍ଷେପ ଗ୍ରହଣ କରାଯାଉଛି। ସେଥିରେ ଆଣ୍ଟିଜେନ ଟେଷ୍ଟ ଓ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦିଆଯିବା ସହ ହସ୍ପିଟାଲର ଓପିଡ଼ିକୁ ନିଷିଦ୍ଧ କରାଯାଇଛି। ଏହାବାଦ୍ ଇଫେକ୍ଟିଭ ସ୍କ୍ରିନିଂ ଏବଂ ସାନିଟାଇଜେସନକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। କଟକ ସାହି କମିଟି, ପୂଜା କମିଟି ଓ ଜନସାଧାରଣଙ୍କ ସହାୟତା ଏବଂ ସତର୍କତା ହିଁ କରୋନା ମୁକାବିଲା କରିବାରେ ବିଶେଷ ସହାୟକ ହେବ ବୋଲି ଶ୍ରୀମତୀ ଦାସ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories