କାଶ୍ମୀରରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନାହିଁ: ରାଜ୍ୟପାଳ
ଲ୍ୟାଣ୍ଡଲାଇନ ଟେଲିଫୋନ ସ୍ବାଭାବିକ
ନୂଆଦିଲ୍ଲୀ/ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଯାଇଥିବା ଅଭିଯୋଗକୁ ରାଜ୍ୟପାଳ ସତ୍ୟପାଲ ମଲିକ ଅଗ୍ରାହ୍ୟ କରିଛନ୍ତି। ରବିବାର ମଲିକ କହିଛନ୍ତି ଯେ କାଶ୍ମୀରରେ ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ଅଭାବ ନାହିଁ। ଦିବଂଗଦ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ନୂଆଦିଲ୍ଲୀରେ ଥିବା ମଲିକ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି।
ସେ କହିଛନ୍ତି ଯେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟରେ ଯେଉଁ ସବୁ କଟକଣା ଲଗାଯାଇଛି ତାହା ସାଧାରଣ ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଛି। ଟେଲିଫୋନ ଓ ମୋବାଇଲ ଉପରେ କଟକଣା ଯୋଗୁଁ ଯଦି ସାଧାରଣ ଲୋକଙ୍କ ଜୀବନ ରକ୍ଷା ହୋଇପାରୁଛି ତେବେ ଏଥିରେ ଅସୁବିଧା କଣ ବୋଲି ରାଜ୍ୟପାଳ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ରାଜ୍ୟରେ ସମସ୍ତ ଜୀବନ ଯାତ୍ରା ଧୀରେ ଧୀରେ ସ୍ବାଭାବିକ ହେବ ଓ ସମସ୍ତ କଟକଣାକୁ ପ୍ରତ୍ୟାହାର କରି ନିଆଯିବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଜିଲାପାଳ ସାହିଦ ଚୌଧୁରୀ କହିଛନ୍ତି ଯେ ଲୋକଙ୍କ ସମସ୍ତ ଉଦ୍ବେଗକୁ ଗୁରୁତ୍ବ ଦିଆଯାଉଛି। ରାଜ୍ୟର କୌଣସି ଗୋଟିଏ ଦିନ ଔଷଧ ପତ୍ରର ଅଭାବ ଦେଖାଯାଇ ନାହିଁ। ସ୍ବରାଷ୍ଟ୍ର ବିଭାଗର କହିବା ଅନୁଯାୟୀ କାଶ୍ମରର ୬୫% ଔଷଧ ଦୋକାନ ନିୟମିତ ଖୋଲୁଛି। ଉପତ୍ୟକାର ଅଧିଂକାଶ ଅଞ୍ଚଳରେ ଲ୍ୟାଣ୍ଡଲାଇନ ଟେଲିଫୋନ ସ୍ବାଭାବିକ ହୋଇଥିବା ସରକାରୀ ଅଧିକାରୀ କହିଛନ୍ତି। ପରିସ୍ଥିତିରେ ଉନ୍ନତି ଆସୁଥିବାରୁ ଟେଲିଫୋନ ସେବାକୁ ସ୍ବାଭାବିକ କରାଯାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି। ତେବେ ମୋବାଇଲ ଟେଲିଫୋନ, ଇଣ୍ଟରନେଟ ଓ ବିଏସଏନଏଲ ବ୍ରଡବ୍ୟାଣ୍ଡ ସେବା ବନ୍ଦ ରହିଛି।
Comments are closed.