ଗୁଣପୁର : ତିନି ମାସ ହେଲା ଗୁଣପୁର ଅଞ୍ଚଳରେ ବାଲିର କୃତ୍ରିମ ଅଭାବ ଦେଖାଦେଇଛି। ଲିଜଧାରୀ ରାଜସ୍ବ ବକେୟା ପଇଠ କରି ନଥିବାରୁ ଖଣି ବିଭାଗ ବାଲି ଘାଟରୁ ବାଲି ଚାଲାଣ ଉପରେ ରୋକ ଲଗେଇଛନ୍ତି। ଯାହା ଫଳରେ ଅଞ୍ଚଳରେ ବିଚିତ୍ର ସ୍ଥିତି ଦେଖାଦେଇଛି । ସେପଟେ ବନ୍ଦ ହୋଇ ପଡିଛି ସରକାରୀ ଓ ଘରୋଇ ନିର୍ମାଣ କାର୍ଯ୍ୟ । କାମ ଧନ୍ଦା ନପାଇ ହାତବାନ୍ଧି ବସିଛନ୍ତି ଶ୍ରମିକ । ଗୁଣପୁର ୨ ଏବଂ ତୁରକାନିଗୁଡା ବାଲି ଉତ୍ସ ବାବଦକୁ ଲିଜଧାରୀ ଶିବାଶିଷ ସାହୁ ପ୍ରାୟ ଅଢେଇ କୋଟି ବାକି ରହିଥିବା ବେଳେ ମାତ୍ର ୧୮ ଲକ୍ଷ ଟଙ୍କା ଜମା କରି ଚୁପ ବସିଛନ୍ତି। କେବଳ ୧୮ ଲକ୍ଷ ଟଙ୍କା ଆଦାୟ କରିଥିବାରୁ ରାୟଗଡା ଜିଲ୍ଲା ଖଣି ଅଧିକାରୀଙ୍କୁ ରାଜ୍ୟ ଖଣି ବିଭାଗ କମିଶନର ତାଗିଦ କରିଛନ୍ତି। ତୁରନ୍ତ ସମସ୍ତ ବକେୟା ଆଦାୟ କରି ବାଲି ଉତ୍ତୋଳନର ସ୍ବଭାବିକ ପରିସ୍ଥିତି ଆଣିବାରେ ବିଫଳ ହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଚେତାବନୀ ଦେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଅତ୍ୟାବଶ୍ୟକ କ୍ଷେତ୍ରରେ ପଡୋଶୀ ଜିଲ୍ଲାରୁ ଚଢା ଦରରେ ବାଲି କ୍ରୟ କରି ଆଣି କାମ କରୁଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶରେ ବାଲି ସୁନା ଦରରେ ବିକ୍ରି ହେଉଥିବା ବେଳେ ଦୁଇ ତିନି ବର୍ଷ ହେଲା ଗୁଣପୁର, ତୁରକାନୀଗୁଡା,ପେଙ୍ଗୁଡା, ବାମିନି,ଗୁଡାରୀ ବାଲି ଉତ୍ସରୁ ଲିଜଧାରୀ ମାନେ ନିର୍ଦ୍ଧାରିତ ବାଲି ପରିମାଣରୁ ବହୁ ଗୁଣା ବାଲି ଉଠାଇ ଶହ ଶହ ଟିପ୍ପର ଓ ଟ୍ରକରେ ରପ୍ତାନୀ କରି କୋଟି କୋଟି ଟଙ୍କା ଲାଭବାନ ହୋଇଥିଲେ।
ଖଣି ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟ ଏଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସହଯୋଗ କରିଥିଲେ। ବର୍ତ୍ତମାନ ଆନ୍ଧ୍ରରେ ବାଲି ମାଗଣାରେ ମିଳିବାରୁ ଏହି ଅଞ୍ଚଳର ବାଲି ଲିଜଧାରୀ ମାନଙ୍କ ଭେଳା ବୁଦିଗଲା। ଏମିତିକି ଖଣି ବିଭାଗକୁ ବକେୟା ରାଜସ୍ବ ଦେଉନାହାନ୍ତି। ଏଥିପାଇଁ ଗୁଣପୁର ଓ ଗୁଡାରିର ବାଲି ଘାଟକୁ ବନ୍ଦ କରି ଦିଆଯାଇଛି। ଲିଜ ଖିଲାପକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗ ନରମ ମନଭାଵ ପ୍ରଦର୍ଶନ କରୁଥିବାରୁ ସମସ୍ୟା ଦିନକୁ ଦିନ ଜଟିଳ ହୋଇପଡ଼ିଛି। ମିଳିଥିବା ତଥ୍ୟ ଅନୁଯାୟୀ ଗୁଣପୁର ୨ ଏବଂ ତୁରକାନିଗୁଡା ବାଲି ଉତ୍ସର ଲିଜଧାରୀ ଶୁବାଶିଷ ସାହୁ ଖଣି ବିଭାଗକୁ ରାଜସ୍ବ, ଜିଏସଟି ଏବଂ ବିଳମ୍ବ ଜରିମାନା ସହ ତୁରକାନିଗୁଡା ବାଲି ଉତ୍ସ ବାବଦ କୁ କୋଟିଏ ୬୦ ଲକ୍ଷ ଏବଂ ଗୁଣପୁର ୨ ବାବଦକୁ ୭୦ ଲକ୍ଷ ଟଙ୍କା ବାକି ରହିଛନ୍ତି। ଗତ ମେ ୫ ତାରିଖରେ ଶୁଭାଶିଷ ସାହୁଙ୍କୁ କାରଣ ଦର୍ଶଆ ନୋଟିସ ଜାରି କରିବାରୁ ମାତ୍ର ୧୮ ଲକ୍ଷ ଟଙ୍କା ଜମା କରିଥିଲେ। ଲିଜଧାରୀଙ୍କ ଠାରୁ ସମସ୍ତ ବକେୟା ଅସୁଲ କରାଯିବ , ଖିଲାପକାରୀ ଟଙ୍କା ଜମା ନକଲେ ଲିଜ ବାତିଲ କରି ବିକଳ୍ପ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜୟପୁର ଖଣି ବିଭାଗର ଯୁଗ୍ମ ନିର୍ଦେଶକ ସତ୍ୟଜିତ ରାଉତ କହିଛନ୍ତି।
ପୂର୍ବରୁ ଉଲେଖଯୋଗ୍ୟ ୨୦୨୨ ମସିହାରୁ ଶିବାଶିଷ ସାହୁ ଲିଜ ନେବା ଦିନ ଠାରୁ ଗୁଣପୁର ଅଞ୍ଚଳରେ ବାଲି ଟ୍ରାକ୍ଟର ପିଛା ୫ ଶହ ଟଙ୍କାରୁ ୧୫ ଶହ ଟଙ୍କାକୁ ବୃଦ୍ଧି ପାଇଥିଲା । ଆନ୍ଧ୍ରକୁ ବାଲି ବ୍ୟାପକ ଚାଲାଣ ଦୃଷ୍ଟିରେ ରଖି ଚଢା ଦରରେ ଲିଜଧାରୀମାନେ ଟେଣ୍ଡର ଡାକିବା ଯୋଗୁଁ ଏହାର ପରିଣାମ ସ୍ଥାନୀୟ ଲୋକଙ୍କ ଉପରେ ପଡିଛି। ଏହି ଅଞ୍ଚଳରେ ୧୦ କିମି ବିସ୍ତୀର୍ଣ୍ଣ ବେଳାଭୂମି ଥିବା ସତ୍ତ୍ବେ ସାଧାରଣ ଲୋକେ ୩ ଗୁଣା ଅଧିକା ପଇସା ଦେଇ ବାଲି କଣିବାକୁ ପଡୁଛି। ଗୁଣପୁର ୧ ବିକ୍ରମପୁର(କତୁରୁ) ବାଲି ଉତ୍ସକୁ ଷଡ଼ଯନ୍ତ୍ର କରି ବନ୍ଦ କରି ଦିଆଯାଇଛି। ନଚେତ ସେଠାକାର ବାଲି ଉତ୍ସ ଚାଲିଥିଲେ ସାଧାରଣ ଲୋକଙ୍କୁ କମ ମୂଲ୍ୟରେ ବାଲି ମିଳିଥାନ୍ତା। ବାଲି ନମିଳିବାରୁ ସରକାରୀ, ବେସରକାରୀ ଉନ୍ନୟନମୂଳକ କାମ ଠପ୍ ହୋଇଯାଇଛି। ସବୁଠୁ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଆବାସ ଯୋଜନା ହିତାଧିକାରୀ । ସରକାରୀ କାର୍ଯ୍ୟ ଓ ସରକାରୀ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ଏବଂ ସାଧାରଣ ଲୋକ ବାଲି ପାଇଁ କଷ୍ଟ ଭୋଗୁଛନ୍ତି ।
ଉଲେଖଯୋଗ୍ୟଯେ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ବାଂଶଧାରା ନଦୀ । ତିନି ମାସ ପୂର୍ବେ ବାଂଶଧାରା ନଦୀ ଭିତରେ ବେଆଇନ ଭାବେ ରାସ୍ତା କରାଯାଇ ବଡ଼ବଡ଼ ମେସିନ ଲଗାଇ ନଦୀ ଶଯ୍ୟାରୁ ଉଠାଇ ନେଉଛନ୍ତି ଶହ ଶହ ଟ୍ରିପ୍ ବାଲି । ବିଭିନ୍ନ ସ୍ଥାନରେ ଡ଼ାମ୍ପିଂ କରାଯିବା ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ସ୍ଥାନୀୟ ଲୋକେ ବାଲିମାଫିଆଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାପାଇଁ ସାହାସ ଜୁଟାଇପାରୁନାହାଁନ୍ତି । କାରଣ ପ୍ରଶାସନ ଓ ବାଲି ଲୁଟେରାଙ୍କ ମଧ୍ୟରେ ମଧୁର ସମ୍ପର୍କ, ଲିଜଧାରୀ ମାନେ ବିଭିନ୍ନ ଉପାୟରେ ସବୁ ବ୍ୟବସ୍ଥାର ମୁହଁ ବନ୍ଦ କରି ଦେଇଛନ୍ତି। ତୁରନ୍ତ ଲିଜ ଖିଲାପକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋକଙ୍କୁ ବାଲି ଯୋଗାଇବାକୁ ବିକଳ୍ପ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।



