ବାଣ ନୁହେଁ ; ମିଠାରେ ଉତ୍ସବ ପାଳ

ଦିଲ୍ଲୀରୁ ବାଣ କଟକଣା ଉଠାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗୁ ହୋଇଥିବା କଟକଣା ଉଠାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ବାଣ କଟକଣା ଉଠାଇବା ଲାଗି ବିଜେପି ନେତା ମନୋଜ ତିୱାରୀ ଦାୟର କରିଥିବା ପିଟିସନକୁ ଶୀର୍ଷ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ବିଚାରପତି ଏମଆର ଶାହାଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଦିଲ୍ଲୀର ବାୟୁ ମାନ ଉଦ୍‌ବେଗର ବିଷୟ। ପ୍ରତିବର୍ଷ ଦୀପାବଳି ପରେ ଦିଲ୍ଲୀ ବାୟୁ ପ୍ରଦୂଷଣ ଚିନ୍ତାର କାରଣ ହେଉଛି। ତେଣୁ ବାଣ ଫୁଟାଇବା ଉପରେ ଲାଗୁ କଟକଣା ଯଥାର୍ଥ। ଏହାଦ୍ବାରା ଲୋକେ ପ୍ରଶ୍ବାସରେ ସ୍ବଚ୍ଛ ବାୟୁ ନେଇପାରିବେ। ବାଣ ଫୁଟା ଉପରେ କଟକଣା ଯୋଗୁଁ ଲୋକେ ଦୀପାବଳି ଉତ୍ସବ ପାଳନର ମଜା ନେଇପାରିବେ ନାହିଁ ବୋଲି ତିୱାରୀ ତାଙ୍କ ପିଟିସନରେ ଦର୍ଶାଇଥିଲେ। ମାତ୍ର ସୁପ୍ରିମକୋର୍ଟ କହିଛନ୍ତି ଯେ ବାଣ ଫୁଟା ବ୍ୟତୀତ ଉତ୍ସବ ମନାଇବାର ଅନେକ ମାଧ୍ୟମ ରହିଛି। ଲୋକେ ଦୀପାବଳିରେ ବାଣ ପରିବର୍ତ୍ତେ ମିଠା କିଣାରେ ଟଙ୍କା ଖର୍ଚ୍ଚ କରି ମଜା ନେଇପାରିବେ। ତିୱାରୀଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଓକିଲ ଶଶାଙ୍କ ଶେଖର ଝା କହିଥିଲେ ଯେ ନଡାକୁଟା ପୋଡିବା ଯୋଗଁୁ ମଧ୍ୟ ପ୍ରଦୂଷଣ ବୃଦ୍ଧି ପାଉଛି। ତେବେ ସୁପ୍ରିମକୋର୍ଟ କହିଥିଲେ ଯେ ଏହି ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ଶୁଣାଣି ହେବ। ଅକ୍ଟୋବର ୨୪ରେ ଦୀପାବଳି ପଡୁ ଥିବାରୁ ବାଣ କଟକଣା ପିଟିସନର ଜରୁରୀ ଶୁଣାଣି କରିବାକୁ ନିବେଦନ କରାଯାଇଥିଲା। ମାତ୍ର ସୁପ୍ରିମକୋର୍ଟ କଟକଣା ବଳବତ୍ତର ରଖିବା ସହିତ ଏହାକୁ ପରବର୍ତ୍ତୀ ସମୟରେ ଶୁଣାଣି କରିବାକୁ କହିଛନ୍ତି। ଏହା ପୂର୍ବରୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ ମଧ୍ୟ ବାଣ କଟକଣା ଉଠାଇବା ସମ୍ପର୍କିତ ପିଟିସନକୁ ଅଗ୍ରାହ୍ୟ କରିଦେଇଥିଲେ। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଆଗାମୀ ୨୦୨୩ ଜାନୁଆରୀ ୧ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ବିକ୍ରି, ମହଜୁଦ ଓ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରିଛନ୍ତି। ଦିଲ୍ଲୀରେ ବାଣ ଫୁଟାଇଲେ ୬ମାସ ଜେଲ ଦଣ୍ଡ ସହିତ ୨୦୦ ଟଙ୍କା ଜୋରିମାନା ଦଣ୍ଡ ଧାର୍ଯ୍ୟ ହୋଇଛି। ସେହିପରି ବାଣ ବିକ୍ରି କିମ୍ବା ମହଜୁଦ ରଖିଲେ ୩ବର୍ଷ ଜେଲ୍‌ ଓ ୫୦୦୦ ଟଙ୍କା ଜୋରିମାନା ଦଣ୍ଡ ଧାର୍ଯ୍ୟ ଧାର୍ଯ୍ୟ ହୋଇଛି।

kalyan agarbati

Comments are closed.