ନିଜାମ ସଂଗ୍ରହାଳୟରୁ ସୁନା ଟିଫିନ ଡବା ଚୋରି

0

ହାଇଦରାବାଦ : ତେଲେଙ୍ଗାନାର ହାଇଦରାବାଦସ୍ଥିତ ନିଜାମ ସଂଗ୍ରହାଳୟରୁ ଏକ ସୁନା ଟିଫିନ୍‍ ଡବା, କପ୍‍ ଏବଂ ଚାମଚ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଛି। ହାଇଦ୍ରାବାଦସ୍ଥିତ ପୁରୁଣା ସହର ଅନ୍ତର୍ଗତ ପୁରାନୀ ହବେଳିଠାରେ ଥିବା ନିଜାମଙ୍କ ରାଜପ୍ରାସାଦରେ ଗଢିଉଠିଥିବା ଏହି ସଂଗ୍ରହାଳୟରେ ଚୋରି ଘଟଣାକୁ ନେଇ ମିରଚୌକ ଥାନାରେ ଏକ ଏଫ୍‍ଆଇଆର ରୁଜୁ ହୋଇଛି। ଚୋରି ହୋଇଥିବା ଟିଫ୍‍ନ୍‍ ଡବାର ଓଜନ ୨ କିଲୋଗ୍ରାମ ଏବଂ କପ୍‍, ଚାମଚ ଓ ସକର ହୀରା, ମୋତିମାଣିକ ଖଚିତ ଥିଲା ବୋଲି ଏଫ୍‍ଆଇଆର୍‍ରେ ଉଲ୍ଲେଖ କରାଯାଇଛି। ରବିବାର ରାତିରେ ଏଠାରେ ଚୋରି ହୋଇଥିଲା। ସଂଗ୍ରହାଳୟ ଅଧିକାରୀ ତଥା କର୍ମଚାରୀ ସୋମବାର କେତେକ ସାମଗ୍ରୀ ନ ପାଇ ଚୋରି ଆଶଙ୍କାରେ ଥାନାରେ ଏତଲା ଦେଇଥିଲେ। ଦଉଡି ଦ୍ୱାରା ସଂଗ୍ରହାଳୟର ଲୌହ ବାଡ଼ ଅତିକ୍ରମ ଚୋର ଭିତରେ ପ୍ରବେଶ କରିଥାଇପାରେ ବୋଲି ପୁଲିସ ଆଶଙ୍କା ବ୍ୟକ୍ତ କରିଛି। ଏଠାକାର ସିସିଟିଭି ଫୁଟେଜ୍‍କୁ ପୁଲିସ ଯାଞ୍ଚ କରୁଛି। ଏପରିକି ସଂଗ୍ରହାଳୟ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ପୁଲିସ କହିଛି। ନିଜାମଙ୍କ ପରିବାର ଦ୍ୱାରା ପରିଚାଳିତ ଟ୍ରଷ୍ଟ ୨୦୦୦ରେ ଏହି ସଂଗ୍ରହାଳୟର ପ୍ରତିଷ୍ଠା କରିଥିଲେ। ଏଠାରେ ୧୯୧୧ରୁ ୧୯୪୮ ମଧ୍ୟରେ ନିଜାମ ଏବଂ ତାଙ୍କ ପରିବାରକୁ ମିଳିଥିବା ଭେଟି ସମେତ ସେମାନଙ୍କ ଦ୍ୱାରା ବ୍ୟବହୃତ ବହୁ ମୂଲ୍ୟବାନ ସାମଗ୍ରୀଗୁଡିକ ପ୍ରଦର୍ଶିତ କରାଯାଇଛି।

Leave A Reply