www.samajalive.in
Saturday, December 6, 2025
16.1 C
Bhubaneswar

ପଞ୍ଚଭୂତରେ ବିଲୀନ ହେଲେ ନିରଞ୍ଜନ

କଟକ/ପୁରୀ : ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ‘ସମାଜ’ର ପ୍ରାକ୍ତନ ସମ୍ପାଦକ, ମୁଦ୍ରାକର ଓ ପ୍ରକାଶକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଶୁକ୍ରବାର ଅପରାହ୍ଣରେ ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ସାନ ଭାଇ ନିରୁପମ ମୁଖାଗ୍ନି ଦେଇଥିଲେ। ଶୁକ୍ରବାର ସକାଳୁ ଶାନ୍ତି ହସ୍ପିଟାଲରୁ ତାଙ୍କ ପାର୍ଥିବ ଶରୀରକୁ ଆଠଗଡ଼ସ୍ଥିତ ପୈତୃକ ଗ୍ରାମ ରାଧାନାଥପୁର ଶାସନକୁ ନିଆଯାଇଥିଲା। ବାସଭବନରେ ଶ୍ରୀ ରଥଙ୍କ ସାନଭାଇ ନିରୁପମ ରଥ, ନଳୀନାକ୍ଷ ରଥ, ସାନ ଭାଇବୋହୂ କୁମୁଦିନୀ ପଣ୍ଡାଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ସ୍ବର୍ଗତ ରଥଙ୍କ ମରଶରୀରକୁ ସଂକୀର୍ତ୍ତନ ଶୋଭାଯାତ୍ରାରେ ଆଠଗଡ଼ ସହର ପରିକ୍ରମା କରାଯାଇଥିଲା। ବିଜେପିର କଟକ ଗ୍ରାମୀଣ ଜିଲା ସଭାପତି ରାମନାରାୟଣ ମହାନ୍ତି, ବରିଷ୍ଠ ବିଜେପି ନେତା ହରପ୍ରସାଦ ମିଶ୍ର, ଅଭୟ କୁମାର ବାରିକଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହା ପରେ ମାଧବପୁରଠାରେ ଥିବା ଗୋପବନ୍ଧୁ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଏବଂ ନର୍ସିଂ କଲେଜରେ ଅଧ୍ୟାପକ, କର୍ମଚାରୀ ଏବଂ ବିଦ୍ୟାର୍ଥୀମାନେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ମଧ୍ୟାହ୍ନରେ ତାଙ୍କ ପାର୍ଥିବ ଶରୀରକୁ ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଲୋକସେବକ ମଣ୍ଡଳର ସଭାପତି ରାଜକୁମାର, କୋଷାଧ୍ୟକ୍ଷ ତଥା ‘ଜିମ୍‌ସାର’ ଅଧ୍ୟକ୍ଷ ରାଜେନ୍ଦ୍ର ଜେନା, ମଣ୍ଡଳର ସଦସ୍ୟ ଡ. ନୈନା ବେନ୍ ଭେକାରିଆ, ବରିଷ୍ଠ ସଦସ୍ୟ ଭୀମସେନ ଯାଦବ, ଆଜୀବନ କର୍ମୀ ବାବା ଜୋରେ, ପୂର୍ବତନ ମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ବିଧାୟକ ସୌଭିକ ବିଶ୍ବାଳ, ମେୟର ସୁବାସ ସିଂହ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ପ୍ରଭାତ ରଞ୍ଜନ ବିଶ୍ବାଳ, କିଟ୍‌ ଏବଂ କିସ୍‌ର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ, ‘ସମାଜ’ର ପୂର୍ବତନ ସମ୍ପାଦକ କାନନ ଦାଶ, ଡ. ପ୍ରମୋଦ ମହାପାତ୍ର, ପୂର୍ବତନ କାର୍ଯ୍ୟବାହୀ ସମ୍ପାଦକ ଡଃ. ସତ୍ୟ ରାୟ, ସିଡ଼ିଏ ଡିଏଭି ସ୍କୁଲର ଅଧ୍ୟକ୍ଷା ନମିତା ମହାନ୍ତି, ସମାଜସେବୀ ତୁଳସୀରାମ ଜଗତ, ସମାଜସେବୀ ଅରବିନ୍ଦ ରାଉତରାୟ, କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରି ଦାସ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ଶ୍ୟାମା କାନୁନ୍‌ଗୋ, ‘ସକାଳ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ, କର୍ପୋରେଟର ଏ. ଶ୍ରୀଦେବୀ,ସମାଜସେବୀ ମଧୁସୂଦନ ଦାସ, ପ୍ରଫୁଲ୍ଲ ସିଂହ, ମହମ୍ମଦ ସକିଲ, ରବି ମହାନ୍ତି, ସୂର୍ଯ୍ୟ ରଥ, ଡା. ରବିରଞ୍ଜନ ସାହୁ, ଭବନୀ ପ୍ରସାଦ ମିଶ୍ର, ସ୍ବର୍ଗଧାମ ସେବା ସମିତିର ଶରତ ସାହୁ,ସାହିତ୍ୟିକା ମୀରା ବେଉରା, ପୁଲିସ ଅଧିକାରୀ ରାଜକିଶୋର ଦାଶ, ପ୍ରଦୀପ ଦାସ, ସମାଜସେବୀ ସୌରଭ ସାହୁଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଏବଂ ‘ସମାଜ’ର ଅଧିକାରୀ ଓ କର୍ମଚାରୀମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସୁଆଣ୍ଡୋ ଅନ୍ତର୍ଗତ କାଦୁଆ ଆଶ୍ରମ ସ୍ଥିତ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂସ୍ଥା ପରିସରକୁ ତାଙ୍କ ମରଶରୀର ନିଆଯାଇଥିଲା। ସେଠାରେ ଥିବା କର୍ମକର୍ତ୍ତା ଓ ଅନ୍ତେବାସୀ ସ୍ବର୍ଗତ ରଥଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସତ୍ୟବାଦୀ ଅଞ୍ଚଳର ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସ୍ବର୍ଗତ ରଥଙ୍କ ଶବାଧାରରେ ପୁଷ୍ପମାଲ୍ୟ ପ୍ରଦାନ କରି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଶେଷରେ ସ୍ବର୍ଗଦ୍ବାରରେ ଲୋକସେବକ ମଣ୍ଡଳର ସଭାପତି ରାଜକୁମାର, କୋଷାଧ୍ୟକ୍ଷ ରାଜେନ୍ଦ୍ର ଜେନା, ସଦସ୍ୟ ନୈନା ବେନ୍‌ ଭେକାରିଆ, ବରିଷ୍ଠ ସଦସ୍ୟ ଭୀମସେନ ଯାଦବ, ଆଜୀବନ କର୍ମୀ ବାବା ଜୋରେ ପ୍ରମୁଖ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ସମରେନ୍ଦୁ ଦାସ, ସମାଜସେବୀ ଭବାନୀ ପ୍ରସାଦ ମିଶ୍ର, ମଧୁସୂଦନ ଦାସ, ଡ. ବ୍ରଜଭାଇ, ଇଂ. ସୂର୍ଯ୍ୟ ରଥ, ରବି ନାରାୟଣ ମହାନ୍ତି, ଓଡ଼ିଶା ସମବାୟ ବାଣିଜ୍ୟ ମହସଂଘ ଅଧ୍ୟକ୍ଷା କବିତା ପରିଡ଼ା, ଅଶୋକ କୁମାର ଶତପଥୀ, ଉତ୍କଳ ବିକାଶ ଯୁବ ପରିଷଦ ସଭାପତି ଦେବୀ ପ୍ରସାଦ ପୃଷ୍ଟି, ସମାଜସେବୀ ଅବିନାଶ ମିଶ୍ର ଓ ସ୍ବାଧୀନ କୁମାର ପଣ୍ଡା, ସ୍ବର୍ଗତ ରଥଙ୍କ ଭାଇ ନଳିନାକ୍ଷ ରଥ, ପୁତୁରା ଭବାନୀ ପ୍ରସାଦ ରଥ, ଝିଆରୀ ରେଣୁବାଳା, ଭଣଜା ମୃତ୍ୟୁଞ୍ଜୟ ମହାପାତ୍ର, ଆଶୁତୋଷ ମହାପାତ୍ର, ରବୀନ୍ଦ୍ର ନାରାୟଣ ମହାପାତ୍ର, ସୌମେନ୍ଦ୍ର ନାରାୟଣ ମହାପାତ୍ର, ମମତା ବିଶୋଇ ପ୍ରମୁଖ ବହୁ ବ୍ୟକ୍ତିବିଶେଷ, ଶୁଭେଚ୍ଛୁ, ପରିବାରବର୍ଗ, ଜିମ୍‌ସାର ଓ ‘ସମାଜ’ର ବହୁ କର୍ମକର୍ତ୍ତା ଶବ ସତ୍କାର ବେଳେ ଉପସ୍ଥିତ ଥିଲେ। ସ୍ବର୍ଗତ ରଥ ଆଇନରେ ଡିଗ୍ରୀ ସହିତ ଇଂରାଜୀ ସାହିତ୍ୟରେ ଏମ୍‌ଏ ପାସ୍‌ କରିବା ପରେ ସେ ସାମ୍ବାଦିକତା ଓ ଓକିଲାତି କରିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ। ‘ନ୍ୟାୟବତୀ’ ପତ୍ରିକାର ସେ ସଂସ୍ଥାପକ ଓ ସମ୍ପାଦକ ଭାବେ ଦୀର୍ଘକାଳ କାର୍ଯ୍ୟ କରିବା ପରେ ଲୋକସେବକ ମଣ୍ଡଳରେ ଯୋଗ ଦେଇଥିଲେ। ‘ସମାଜ’ର ସମ୍ପାଦକ, ମୁଦ୍ରାକର ଓ ପ୍ରକାଶକ, ‘ଜିମ୍‌ସାର’ର ଅଧ୍ୟକ୍ଷ, ‘ସମାଜ’ ରିଲିଫ କମିଟିର ମୁଖ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ସେ ମଧ୍ୟ ଲୋକସେବକ ମଣ୍ଡଳର ଉପସଭାପତି, କୋଷାଧ୍ୟକ୍ଷ, ସମ୍ପାଦକ ଭାବେ କାମ କରି ବେଶ୍‌ ସୁନାମ ଅର୍ଜନ କରିଥିଲେ। ଜିମ୍‌ସାର ପ୍ରତିଷ୍ଠାରେ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା। ଏଥିସହ ଓଡ଼ିଶା ରାଜ୍ୟ ସ୍କାଉଟ୍‌ସ ଗାଇଡ୍‌ସର ପୂର୍ବତନ ଉପସଭାପତି, ସୁଆଣ୍ଡୋ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂସ୍ଥାର ଅଧ୍ୟକ୍ଷ, ଆଠଗଡ଼ ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ, ଆଠଗଡ଼ ମହିଳା ମହାବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା, ପୁରୀ ସ୍ବର୍ଗଦ୍ବାର ନିକଟସ୍ଥ ସାତଆସନସ୍ଥିତ ମଦନମୋହନ ମଠ ଟ୍ରଷ୍ଟର ଉପାଧ୍ୟକ୍ଷ ଓ ନେହେରୁ ଯୁବକ କ୍ଲବର ସଭାପତି ଭଳି ବହୁ ସାମାଜିକ, ସାଂସ୍କୃତିକ ଓ ସାହିତ୍ୟ ଅନୁଷ୍ଠାନର ପଦପଦବୀରେ ରହି ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏବେ ନିକଟରେ ସେ ଦ୍ବିତୀୟଥର ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଭୀଷଣ ଜ୍ବର, କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ତାଙ୍କୁ ଥୋରିଆ ସାହିସ୍ଥିତ ଶାନ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁବାର ରାତି ୧୧ଟା ବେଳେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଆଜୀବନ ଅବିବାହିତ ରହିଥିଲେ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories