www.samajalive.in
Saturday, December 6, 2025
14.1 C
Bhubaneswar

ମାନସିକ ରୋଗରୁ ମୁକ୍ତି ଦିଏ ଯୋଗ-ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗମୟ ହୋଇଛି ସାରା ଜଗତ । ଏହି ଅବସରରେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମବେତ ଯୋଗାଭ୍ୟାସ କରିବା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଯୋଗ କେବଳ ଏକ ବ୍ୟାୟମ କିମ୍ବା ଯୋଗକୁ କିଛି ଆସନ ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ। ଶାରୀରିକ ବ୍ୟାୟମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ। ଭାରତୀୟ ସଂସ୍କୃତି ଏବଂ ଯୋଗୀ ପରମ୍ପରାରୁ ସୃଷ୍ଟି ହୋଇଥିବାରୁ ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହିତ ଜଡିତ ନୁହେଁ। ଶରୀର, ଆତ୍ମା ଏବଂ ଚିନ୍ତନ ଶକ୍ତିକୁ ଉଦ୍ବୁଦ୍ଧ କରୁଥିବା ଯୋଗ, ଆଜି ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇ ପାରିଛି।

ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଛେଦ୍ୟ ଅଙ୍ଗ ହେଉଛି ‘ଯୋଗ’, ଯାହା କେବଳ ଦେଶ ଭିତରେ ସୀମିତ ହୋଇ ରହିଥିଲା। କିନ୍ତୁ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ୨୦୧୪ ମେ’ ମାସରେ ଦାୟିତ୍ଵ ଗ୍ରହଣ କରିବାର ମାତ୍ର ଛ’ ମାସରେ ଯୋଗକୁ ସାରା ବିଶ୍ଵରେ ପରିଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ୨୦୧୪ ଡିସେମ୍ବର ୧୧ ତାରିଖରେ ଜାତିସଂଘ ପ୍ରତିବର୍ଷ ଜୁନ ୨୧ ତାରିଖକୁ ‘ଆନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ପାରିତ କରିଥିଲା। ଆଜି ପୃଥିବୀର ପ୍ରାୟ ସବୁ ଦେଶରେ ଲୋକେ ଆଗ୍ରହ ଏବଂ ଉତ୍ସାହର ସହିତ ଏହାକୁ ପାଳନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

- Advertisement -

ଚଳିତ ବର୍ଷ ପାଳନ ହେଉଥିବା ଅନ୍ତର୍ଜାତୀୟ ଯୋଗ ଦିବସର ଶୀର୍ଷକ ହେଉଛି, “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଯାହା, ବ୍ୟକ୍ତିଗତ କଲ୍ୟାଣ ଓ ପୃଥିବୀର ସ୍ୱାସ୍ଥ୍ୟ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଉଜାଗର କରେ। ଏଥିରେ ଦର୍ଶାଯାଇଛି ଯେ, କିପରି ପ୍ରାଚୀନ ଯୋଗ ଅଭ୍ୟାସ କେବଳ ଶରୀର ଓ ମନକୁ ପୋଷଣ କରେ ନାହିଁ ବରଂ ପ୍ରକୃତି ଏବଂ ସମସ୍ତ ଜୀବଜନ୍ତୁଙ୍କୁ ସମ୍ମାନ ଦେଉଥିବା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ ବୋଲି ସେ କହିଛନ୍ତି।

ଓଡ଼ିଶାରେ ଆମେ ଯୋଗକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରୁଛୁ। ଆମର ସ୍କୁଲ, କଲେଜ, ଛାତ୍ରାବାସ ଏବଂ କ୍ରୀଡା କେନ୍ଦ୍ର ମାଧ୍ୟମରେ ଆମେ କର୍ମଶାଳା ଆୟୋଜନ କରୁଛୁ ଏବଂ ସଚେତନତା ସୃଷ୍ଟି କରୁଛୁ। ଆମେ ଯୋଗକୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନେଉଛୁ।

କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଯୋଗ ଶିବିରରେ ପ୍ରାୟ ୧୫ ହଜାର ଜନସାଧାରଣଙ୍କ ସମେତ ରାଜ୍ୟର ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଓ ବରିଷ୍ଠ ଅଧିକାରୀ ମନେ ଯୋଗ ଦେବା ସହିତ ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ପାରମ୍ପରିକ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories