ବିଦ୍ୟୁତ ବିଲ୍‍କୁ କେନ୍ଦ୍ରକରି ନୀଳଗିରିରେ ଖଣ୍ଡଯୁଦ୍ଧ: ୪ ଗୁରୁତର, ଥାନା ଘେରାଉ

ନୀଳଗିରି: ଟାଟା ପାୱାର ପକ୍ଷରୁ ବିଦ୍ୟୁତ ଉପଭୋକ୍ତାଙ୍କଠାରୁ ଜୋର ଜବରଦସ୍ତ ଅର୍ଥ ଆଦାୟ କରା ଯିବାକୁ କେନ୍ଦ୍ରକରି ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଧୋବଶିଳା ଗାଁରେ ଖଣ୍ଡଯୁଦ୍ଧ ଘଟି ୪ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପୁଲିସ ବିଦ୍ୟୁତ ବିଭାଗକୁ ଅଧିକ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ଶୁକ୍ରବାର ରାତିରେ ନୀଳଗିରି ଥାନା ଘେରାଉ ହୋଇଛି। ଧୋବଶିଳା ଗାଁକୁ ଅପରାହ୍ନରେ ବିଦ୍ୟୁତ ବିଭାଗର ଏକ ସ୍ୱତନ୍ତ୍ର ଦଳ ଚଢ଼ାଉରେ ଯାଇ ସେହି ଗାଁର ସୁଚିସ୍ମିତା ସ, ସରସ୍ୱତୀ ସ୍ୱାଇଁ ପ୍ରମୁଖ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଉକ୍ତ ଗାଁରେ ଉତ୍ତେଜନା ଲାଗିଥିଲା।

ବିଦ୍ୟୁତ ବିଭାଗ କର୍ମଚାରୀ ପପୁନା ଓରଫ ରଞ୍ଜନ ଦାସଙ୍କ ସମେତ କେତେକ କର୍ମଚାରୀ ଉପଭୋକ୍ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଉଭୟ ବିଦ୍ୟୁତ କର୍ମଚାରୀ ଓ ହିତାଧିକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇ ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣରେ ଉଭୟଙ୍କ ପକ୍ଷରୁ ସୁଚିସ୍ମିତା ସ, ସରସ୍ୱତୀ ସ୍ୱାଇଁ, କରୁଣାକର ସ, ରଞ୍ଜନ ଦାସ ପ୍ରମୁଖ ଆହତ ଗୁରତର ହୋଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁଚିସ୍ମିତା ଓ କରୁଣାକରଙ୍କ ଅବସ୍ଥା ସଙ୍କଟ୍ଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲାମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସେପଟେ ନୀଳଗିରି ପୁଲିସ ପକ୍ଷରୁ ସୁଜିତ ସ ଓ ସୁନିଲ ବିଶ୍ୱାଳ ନାମକ ଦୁଇଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ବିଦ୍ୟୁତ କର୍ମଚାରୀଙ୍କୁ ଗିରଫ କରାଯାଇନଥିବା ଯୋଗୁ ଅଞ୍ଚଳ ଉତ୍ତେଜନାପୂର୍ଣ୍ଣ ହୋଇ ପଡ଼ିଛି। ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଉତ୍ତ୍ୟକ୍ତ ଅଞ୍ଚଳବାସୀ ନୀଳଗିରି ଥାନା ଘେରାଉ କରିଛନ୍ତି। ଖବର ଲେଖା ହେବା ବେଳକୁ ଉତ୍ତ୍ୟକ୍ତ ଲୋକେ ନୀଳଗିରି ଥାନା ସମ୍ମୁଖରେ ଧାରଣାରେ ବସି ରହିଛନ୍ତି।

Comments are closed.