‘ଭିନ୍ନକ୍ଷମମାନଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଘରୋଇ ଉଦ୍ୟୋଗର ସହଯୋଗ ଲୋଡ଼ା’
ଇନ୍ଦୋରରେ ଦିବ୍ୟାଙ୍ଗ ସଶକ୍ତିକରଣ ନେଇ ଜାତୀୟ କର୍ମଶାଳା
ଭୁବନେଶ୍ୱର:ଭିନ୍ନକ୍ଷମମାନଙ୍କ ପାଇଁ ନିଯୁକ୍ତି ଓ ଆୟକାରୀ ସୁଯୋଗଗୁଡ଼ିକର ବୃଦ୍ଧି ନିମନ୍ତେ ଘରୋଇ ଉଦ୍ୟୋଗର ସହଯୋଗ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ଦେଇଛନ୍ତି। ଅନୁରୂପ ଭାବରେ ଭିନ୍ନକ୍ଷମମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟଗୁଡ଼ିକରେ ସ୍ୱତନ୍ତ୍ର ଆଇଟିଆଇ ଖୋଲାଯିବା ସହିତ ଭିତ୍ତିଭୂମି ବିକାଶ ଓ ଆବାସିକ ସୁବିଧା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆୟୋଜିତ ଏକ ଜାତୀୟ
କର୍ମଶାଳାରେ ଅଂଶଗ୍ରହଣ କରି ମନ୍ତ୍ରୀ ଉପରୋକ୍ତ ମର୍ମରେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଛନ୍ତି।
କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଜାତୀୟ କର୍ମଶାଳାରେ ଭିନ୍ନକ୍ଷମମାନଙ୍କ ସାମାଜିକ ଓ ଆଇନଗତ ସଶକ୍ତିକରଣ, ଭିନ୍ନକ୍ଷମ ଶିଶୁମାନଙ୍କ ନିମନ୍ତେ ଡାଟାବେସ୍ ପ୍ରସ୍ତୁତି ସାଙ୍ଗକୁ ଜିଲ୍ଲାସ୍ତରରେ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ
ଉପଲବ୍ଧିଗୁଡ଼ିକ ଉପରେ ଆଲୋଚନା ହୋଇଥିଲା।
ରାଜ୍ୟରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭିନ୍ନ ପଦକ୍ଷେପ ରୂପାୟନ ନେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ବାର୍ଷିକ ୨୩ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଚାଲୁ ରହିଥିବାବେଳେ ୬ଟି ଜିଲ୍ଲାରେ ସମନ୍ୱିତ ଭିତ୍ତିଭୂମି ବିକାଶ ପୁଞ୍ଜ କାର୍ଯ୍ୟ କରୁଛି ଓ ୪ଟି ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ପ୍ରତି କେନ୍ଦ୍ର ପାଇଁ ୪୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଶିକ୍ଷା କ୍ଷେତ୍ରରେ ବାଣୀଶ୍ରୀ ବୃତ୍ତି ୨୨ ହଜାରରୁ ଅଧିକ ବିଦ୍ୟାର୍ଥିଙ୍କୁ ଦିଆଯାଉଥିବାବେଳେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲାପ୍ଟପ୍ ଯୋଗାଇ ଦିଆଯାଉଛି। ବ୍ରହ୍ମପୁରସ୍ଥିତ ଅତ୍ୟାଧୁନିକ ବ୍ରେଲି ପ୍ରେସ୍ରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ପାଇଁ ୨୦୨୧-୨୨ ବର୍ଷରେ ପ୍ରାୟ ୩୭ ହଜାର ବ୍ରେଲି ପାଠ୍ୟପୁସ୍ତକ, ଯୁକ୍ତ-୨ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲି ପୃଷ୍ଠା ଓ ଓଡ଼ିଆ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇପାରିଛି।
ଦିବ୍ୟାଙ୍ଗମାନଙ୍କ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କାର ବିବାହ ସହାୟତା ପ୍ରଦାନ କରାଯାଉଛି । ଭୁବନେଶ୍ୱର ସମେତ ରାଜ୍ୟର ୫ଟି ସହରରେ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ କାର୍ଯ୍ୟ କରୁଛି । ମଧୁବାବୁ ପେନ୍ସନ୍ ଯୋଜନାରେ ୯୦ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ଦର୍ଶାଇ ଭିନ୍ନକ୍ଷମ ସଶକ୍ତିକରଣକୁ ଓଡ଼ିଶା ବିଶେଷ ଗୁରୁତ୍ୱ ଦେଇଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଥିଲେ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ମଧ୍ୟ ଏହି ଜାତୀୟ କର୍ମଶାଳାରେ ଉପସ୍ଥିତ ଥିଲେ।
ଜାତୀୟ କର୍ମଶାଳାକୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର ଉଦ୍ଘାଟନ କରିଥିବାବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ୍ଙ୍କ ସମେତ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରାଳୟର ଉଚ୍ଚପଦାଧିକାରୀ, ବିଭିନ୍ନ ରାଜ୍ୟର ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସାମାଜିକ ସୁରକ୍ଷା ବିଶେଷଜ୍ଞମାନେ ଏହି ଜାତୀୟ କର୍ମଶାଳାରେ ସାମିଲ ହୋଇଥିଲେ।
Comments are closed.