ବର୍ଜ୍ୟରୁ ଜୀବିକା ସନ୍ଧାନରେ ଏନ୍ଆଇଟି ଛାତ୍ର
ରାଉରକେଲା: ବର୍ଜ୍ୟରୁ ଜୀବିକା ସନ୍ଧାନରେ ଏନ୍ଆଇଟିର ଜଣେ ପିଏଚଡି ଛାତ୍ର ନିଜ ଉଦ୍ୟମ ଜାରି ରଖିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପରିବେଶ ଅନୁକୂଳ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିପାରୁଥିବା ଏହି ପିଏଚଡି ଛାତ୍ରଙ୍କ ପ୍ରୟାସ ପରିବେଶ ବଞ୍ଚିବାରେ ସହାୟକ ହେବା ସହ ବେରୋଜଗାରୀ ହଟାଇବାରେ ସହାୟକ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି।
ରାଉରକେଲାସ୍ଥିତ ଏନଆଇଟିରେ ପିଏଚଡି ତୃତୀୟ ବର୍ଷର ଛାତ୍ର ସିଙ୍ଗୁରୁ ରାଜେଶ ା ଆନ୍ଧ୍ର ରାଜ୍ୟ ଶ୍ରୀକାକୁଲମ ଅଞ୍ଚଳର ମୂଳ ବାସିନ୍ଦା ଅଟନ୍ତି ରାଜେଶ। ଦିନକୁ ଦିନ ପରିବେଶ ପ୍ରଦୂଷଣ ବଢ଼ୁଥିବା ଓ ଦେଶର ବିଭିନ୍ନ ରାଜ୍ୟରେ ବେରୋଜଗାରୀ ବଢ଼ୁଥିବା ତାଙ୍କୁ ବ୍ୟତିବ୍ୟସ୍ତ କରିପକାଇଥିଲା। ପରିବେଶ ପ୍ରଦୂଷଣ ରୋକାଯିବା ସହ ବର୍ଜ୍ୟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଜଣେ କିଭଳି ସ୍ବାବଲମ୍ବୀ ହୋଇପାରିବ ସେ ନେଇ ସେ ଯୋଜନା ପ୍ରସ୍ତୁତ କରିଥିଲେ। ବର୍ଜ୍ୟବସ୍ତୁରୁ ପରିବେଶ ଅନୁକୂଳ ସାମଗ୍ରୀ ପ୍ରସ୍ତୁତ କରି କିଭଳି ବଜାରକୁ ଛଡ଼ାଯାଇପାରିବ ସେ ଦିଗରେ ପ୍ରସ୍ତୁତି ଆରମ୍ଭ କରିଥିଲେ ରାଜେଶ। ବିଭିନ୍ନ ଶସ୍ୟର ବର୍ଜ୍ୟରୁ ସେ ଗଜାନନଙ୍କ ମୂର୍ତ୍ତି, ରାକ୍ଷୀ ଆଦି ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ। ଏବେ ବିଭିନ୍ନ ପ୍ରକାରର ଶସ୍ୟ ବର୍ଜ୍ୟରୁ ଚା’କପ୍ ପ୍ରସ୍ତୁତ କରି ରାଜେଶ ଚର୍ଚ୍ଚାରେ। ବିଭିନ୍ନ ପ୍ରକାର କୃଷିଜାତ ବର୍ଜ୍ୟ ସଂଗ୍ରହ କରିବା ପରେ ସେଥିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରନ୍ତି ସେ। ଚାଷୀମାନେ ବର୍ଷକ ୧୨ମାସ କାମ କରିପାରନ୍ତି ନାହିଁ। ଏଣୁ ଖାଲି ସମୟରେ ବସିବା ଅପେକ୍ଷା ଯେଉଁ ଶସ୍ୟ ସେମାନେ ଚାଷ କରନ୍ତି ତା’ର ବର୍ଜ୍ୟରୁ କିଭଳି ଭଲଭଲ ଜିନିଷ ତିଆରି କରି ହେବ ସେ କୌଶଳ ପ୍ରସ୍ତୁତ କରିଛନ୍ତି ରାଜେଶ। ଏହାଦ୍ବାରା ଜଣେ ଚାଷୀ ନିଜ ସମୟର ସଦୁପଯୋଗ କରିବା ସହ ଅଧିକ ରୋଜଗାରକ୍ଷମ ହୋଇ ଉଦ୍ୟୋଗୀ ପରିଚୟ ପାଇପାରିବ ବୋଲି ତାଙ୍କର ମତ। ଏଥିପାଇଁ ରାଜେଶଙ୍କୁ ଏନଆଇଟି ଏଫଟିବିଆଇ ବ୍ୟବସାୟିକ କ୍ଷେତ୍ର ସହାୟକ ହେଉଥିବା ଜଣାଯାଇଛି। ଏବେ ଶ୍ରୀକାକୁଲମ ଜିଲା ନର୍ସନପେଟା ମଣ୍ଡଳ ଗୋପାଳପେଣ୍ଟା ଗଁାରେ ସେ ଏଭଳି ଏକ ପାଇଲଟ ପ୍ରାଣ୍ଟ କରିଥିବା ରାଜେଶ ସୂଚନା ଦିଅନ୍ତି।
ତାଙ୍କର ଏଭଳି ପ୍ରୟାସରେ ଏନଆଇଟି ପ୍ରଫେସର ଆଧିଦେଶ ଏସ.କୁମାୱତ ପରାମର୍ଶ ଦେଇ ଆସୁଥିବାବେଳେ ତାଙ୍କ ପତ୍ନୀ କୀର୍ତ୍ତି ତାଙ୍କର ମାର୍ଗଦର୍ଶକ ବୋଲି ସେ କହନ୍ତି। ପ୍ଲାଷ୍ଟିକ ବ୍ୟବହୃତ ସାମଗ୍ରୀ ଓ ରାକ୍ଷୀ ଗୋଟିଏ ଦିନ ପରେ ଫୋପାଡ଼ି ଦିଆଯାଉଥିବାବେଳେ ଏହା ଉର୍ବର ମାଟିକୁ କ୍ଷୟମୁଖୀ କରିଥାଏ। ଏହାସହ ପରିବେଶ ପ୍ରଦୂଷିତ ହୋଇଥାଏ। ଯଦି ପରିବେଶ ଅନୁକୂଳ ରାକ୍ଷୀ ବ୍ୟବହାର କରାଯାଏ ତେବେ ଏହା ମାଟିରେ ପଡ଼ିଲେ ମଧ୍ୟ ମାଟିର ଉର୍ବରତା ନଷ୍ଟ କରେନାହିଁ ବୋଲି ତାଙ୍କର ମତ। ଏପରିକି ଏଭଳି ରାକ୍ଷୀରେ ସେ ଗୋଟିଏ ଲେଖାଏଁ ମଞ୍ଜି ରଖୁଥିବା ଓ ଏହା ମାଟିରେ ପଡ଼ିଲେ ନୂଆ ଚାରା ସୃଷ୍ଟି ହୋଇପାରୁଥିବା ସେ କହନ୍ତି। କେବଳ ରାକ୍ଷୀ ନୁହେଁ ରାଜେଶ ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ପ୍ରସ୍ତୁତ କରିବା ସହ ଚା’କପ୍ ପ୍ରସ୍ତୁତ କରୁଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ପରିବେଶ ନଷ୍ଟ କରୁଥିବାବେଳେ କାଗଜରେ ପ୍ରସ୍ତୁତ ଚା’କପ୍ ମଧ୍ୟ ପରିବେଶ ନଷ୍ଟ କରୁଛି। ଏଣୁ କିଭଳି ଶସ୍ୟ ବର୍ଜ୍ୟରୁ ଚା’କପ୍ ପ୍ରସ୍ତୁତ କରିହେବ ସେ ପ୍ରୟାସ କରି ସେଥିରେ ମଧ୍ୟ ସଫଳ ହୋଇଛନ୍ତି ରାଜେଶ। ତାଙ୍କ ଉଦ୍ୟୋଗର ନଁା ସେ ଗ୍ରୀନ୍ ଗିୟର୍ସ ଆଗ୍ରୋଟେକ ରଖିଛନ୍ତି। ଧାନ, କଦଳୀ, ଆଖୁ,ବାଉଁଶର ବର୍ଜ୍ୟ ସହ ବିଭିନ୍ନ ଗଛରୁ ଝଡ଼ି ପଡ଼ୁଥିବା ପତ୍ରକୁ ସଂଗ୍ରହ କରି ସେଥିରୁ ସେ ଏସବୁ ପ୍ରସ୍ତୁତ କରିଛନ୍ତି। ଦିଲ୍ଲୀ,ପଞ୍ଜାବରେ ପ୍ରଦୂଷର ମାତ୍ରା ବଢ଼ିବାରେ ଲାଗିଛି ା ଏହାକୁ କିଭଳି ରୋକିପାରିବା ସହ କିଭଳି ରୋଜଗାରକ୍ଷମ ହୋଇପାରିବ ତାହା ତାଙ୍କର ଲକ୍ଷ୍ୟ ା ଗୋଟିଏ କିଲୋ ଶସ୍ୟ ବର୍ଜ୍ୟରୁ ୧୦୦ରୁ ୧୨୦ ରାକ୍ଷୀ ପ୍ରସ୍ତୁତ କରିପାରୁଥିବା ରାଜେଶ ଏଥିରୁ ୩/୪ଟି ଗଣେଶ ମୂର୍ତ୍ତି ଓ ପ୍ରାୟ ୧୨ଟି ଚା’ କପ୍ ପ୍ରସ୍ତୁତ କରାଯାଇପାରିବ ବୋଲି କହନ୍ତି। ଏକ ଟନ ବର୍ଜ୍ୟକୁ କ୍ରୟ କରିବା ପାଇଁ ୧୦୦୦ରୁ ୧୨୦୦ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଥିରୁ ଜଣେ ରୋଜଗାରକ୍ଷମ ହେବା ସହ ଅଧିକ ଲାଭବାନ ହୋଇପାରିବ ବୋଲି ସେ ମତ ଦିଅନ୍ତି। ଗତବର୍ଷ ଦିଲ୍ଲୀରେ ଆୟୋଜିତ କିଷାନ ସମ୍ମାନ ସମ୍ମିଳନୀକୁ ତାଙ୍କୁ ନିମନ୍ତ୍ରଣ ଆସିଥିବାବେଳେ ସେଠାରେ ତାଙ୍କ ଦ୍ବାରା ବର୍ଜ୍ୟରୁ ପ୍ରସ୍ତୁତ ସାମଗ୍ରୀ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ପଞ୍ଜାବ, ହରିୟାଣା ଭଳି ରାଜ୍ୟରେ ବେରୋଜଗାରୀ ସଂଖ୍ୟା ବଢ଼ୁଥିବାବେଳେ ଏଭଳି ପ୍ରୟାସ ଏହାକୁ ରୋକିପାରିବା ସହ ପରିବେଶ ସନ୍ତୁଳନ ରକ୍ଷାରେ ବେଶ ସହାୟକ ହେବ ବୋଲି ରାଜେଶ କହନ୍ତି।
Comments are closed.