www.samajalive.in
Sunday, December 14, 2025
26.1 C
Bhubaneswar

ସଂସ୍କୃତି ବିଭାଗରେ କମ୍ପ୍ୟୁଟରୀକରଣ ମାଧ୍ୟମରେ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ବର: ରାଜ୍ୟ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗରେ କମ୍ପୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାର ଆଜି ଶୁଭାରମ୍ଭ ହୋଇଛି । ଏହି ବ୍ୟବସ୍ଥା ଫଳରେ ଏଣିକି ବିଭିନ୍ନ ଉତ୍ସବରେ ସାସ୍କୃତିକ କାର୍ୟ୍ୟକ୍ରମ ପାଇଁ ସଂସ୍କୃତି ବିଭାଗକୁ ଆବେଦନ କରୁଥିବା ଅନୁଷ୍ଠାନ ଓ ବିଭିନ୍ନ ଉତ୍ସବରେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିବାକୁ ଇଚ୍ଛୁକ ଥିବା ସାଂସ୍କୃତିକ ଦଳଙ୍କ ପାଇଁ ମନୋନୟନ କାର୍ୟ୍ୟ ସହଜ ହେବ । କାର୍ୟ୍ୟକ୍ରମରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ଆଜି ଏହି କମ୍ପୁଟରୀକୃତ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏହି ବ୍ୟବସ୍ଥାରେ କମ୍ପୁଟରଯୋଗେ ଆବଶ୍ୟକ ତଥ୍ୟ ଭରିବା ପରେ କିପରି କାର୍ୟ୍ୟାଦେଶ ସ୍ୱୟଂକ୍ରିୟ ଭାବେ ସୃଷ୍ଟି ହୋଇପାରୁଛି ତାହା ଅନୁଧ୍ୟାନ କରିବା ସହ ବ୍ୟବସ୍ଥାର ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଆବେଦନ କରିଥିବା ଆରାଧନା ନୃତ୍ୟ ଏକାଡେମୀ ,ସୁନ୍ଦରପଦା ଏବଂ କାର୍ୟ୍ୟକ୍ରମ ପରିବେଷଣ କରିବାକୁ ଥିବା ଓମକାର ଭଜନ ସଂଧ୍ୟା ଅନୁଷ୍ଠାନକୁ କାର୍ୟ୍ୟାଦେଶ ପ୍ରଦାନ କରି ମନ୍ତ୍ରୀ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏହି ଅବସରରେମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ, ବିଜ୍ଞାନ ଓ ବୈଷୟିକ ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ବ୍ୟାପକ ପରିବର୍ତ୍ତନ ଘଟୁଛି । ଏହାର ବ୍ୟବହାର ଜାଣିବା ଏବେ ସମସ୍ତଙ୍କ ପାଇଁ ଅପରିହାର୍ୟ୍ୟ ହୋଇପଡିଛି । ସେହିପରି ସଂସ୍କୃତି ବିଭାଗରେ ସାଂସ୍କୃତିକ ଦଳ ମାନଙ୍କ ପାଇଁ ଅନ୍ ଲାଇନ୍ ବ୍ୟବସ୍ଥାରେ ବିଭିନ୍ନ କାର୍ୟ୍ୟକ୍ରମପରିଚାଳନା କାଗଜପତ୍ର ବ୍ୟବହାର ଓ ସମୟର କମ୍ ଉପଯୋଗ ହେବା ସାଙ୍ଗକୁଏହା କାର୍ୟ୍ୟରେ ସ୍ୱଚ୍ଛତା ଆଣିବାରେ ଅଧିକ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ଆମ ରାଜ୍ୟରେ ପ୍ରାୟ ପାଂଚ ହଜାରରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଦଳ ବିଭାଗରେ ସେମାନଙ୍କର ଅନୁଷ୍ଠାନ ପଞ୍ଜୀକୃତ କରିଛନ୍ତି ।ଉଭୟ ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଆବେଦନ କରୁଥିବା ଅନୁଷ୍ଠାନ ଓ କାର୍ୟ୍ୟକ୍ରମ ପରିବେଷଣ କରୁଥିବା ଅନୁଷ୍ଠାନମାନେ ଏହାଦ୍ୱାରା ଉପକୃତ ହେବା ସହିତ ଜନସାଧାରଣଙ୍କ ନିକଟରେ ଏହାର ସୁଫଳ ଯେପରି ନ୍ୟାୟପୂର୍ଣ୍ଣ ଉପାୟରେ ଖୁବ୍ ଶୀଘ୍ର ପହଁଚିବ, ଏହା ଉପରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ ।କାର୍ୟ୍ୟକ୍ରମରେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଯୋଗଦେଇ କହିଲେ ଯେ, ଏହି ବ୍ୟବସ୍ଥା ଅନୁସାରେ ଇଚ୍ଛୁକ ଥିବା ସାଂସ୍କୃତିକ ଅନୁଷ୍ଠାନ ମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ସେମାନଙ୍କର ନାମ ପଞ୍ଜିକରଣ କରିଛନ୍ତି । ସାସ୍କୃତିକ ଅନୁଷ୍ଠାନମାନେ ଏକ ହଜାର ଟଙ୍କା ଦେଇ ପ୍ରଥମେ ନିଜ ଅନୁଷ୍ଠାନର ନାମ ଓ ସେମାନଙ୍କର କାର୍ୟ୍ୟାବଳୀ ସଂପର୍କରେ ଅନ୍ ଲାଇନ୍ ଯୋଗେ ପଂଜୀକରଣ କରିଛନ୍ତି । ପଂଜୀକୃତ ଅନୁଷ୍ଠାନଗୁଡିକର ନିୟମିତ ଅଡିସନ କରାଯାଉଛି । ଯୋଗ୍ୟ ବିବେଚିତ ଅନୁଷ୍ଠାନଗୁଡିକୁ କାର୍ୟ୍ୟକ୍ରମ ପରିବେଷଣ ପାଇଁ ଚୂଡାନ୍ତ ତାଲିକାରେ ରଖାଯାଉଛି ଓ ଚୟନ ହୋଇନଥିବା ଅନୁଷ୍ଠାନଗୁଡିକୁ ପରବର୍ତ୍ତୀ ସମୟରେ ଭଲ ପ୍ରଦର୍ଶନ କରିବା ପରେ ସୁଯୋଗ ରହିଛି । ଅଦ୍ୟାବଧି ପ୍ରାୟ ୧୬୦୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଅନୁଷ୍ଠାନ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ନାମ ଚୟନ ହୋଇସାରିଛି । ଏହି ବ୍ୟବସ୍ଥା ଅନୁସାରେ କ୍ରମାନ୍ୱୟରେ ଗୋଟିଏ ଅନୁଷ୍ଠାନ ବା ସାଂସ୍କୃତିକ ଦଳକୁ କାର୍ୟ୍ୟକ୍ରମ ଦିଆନଯାଇ ନିୟମିତ ଆବର୍ତ୍ତନ ଭିତ୍ତିରେ କାର୍ୟ୍ୟକ୍ରମ ଦିଆଯିବ । ଏହାଦ୍ୱାରା ସାଂସ୍କୃତିକ ଦଳ ପରିଚାଳନାରେ ସମାନତା, ସ୍ୱଚ୍ଛତା ଓ ସୁବିଧାଜନକ ହେବ । ଏଥି ସହିତ ଉଭୟ ଅନୁଷ୍ଠାନ ପାଇଁ ମତାମତ ସଂଗ୍ରହ ବ୍ୟବସ୍ଥା ରହିଛି । ତତ୍ ସହିତ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିବା ଅନୁଷ୍ଠାନୁଗୁଡିକୁ ଶୀଘ୍ର ପ୍ରାପ୍ୟ ପ୍ରଦାନରେ ସହଜ ହେବ । ଏହି ବ୍ୟବସ୍ଥା କେବଳ ବ୍ୟକ୍ତିକୈନ୍ଦ୍ରିକ ନହୋଇ ଜନସାଧାରଣଙ୍କ ସାମଗ୍ରିକ ସୁବିଧା ପାଇଁ ସହଜ ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଥିଲେ । କାର୍ୟ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ କହିଲେ ଯେ, ବାରମାସରେ ବିଭିନ୍ନ ସମୟରେ ଓଡିଶାରେ ପର୍ବପର୍ବାଣୀ ପାଳିତ ହେଉଥିବା ବେଳେ ବିଭିନ୍ନ ସମୟରେ ଆୟୋଜକ କମିଟିମାନେ ସଂସ୍କୃତି ବିଭାଗରୁ ସାଂସ୍କୃତିକ ଦଳ ପାଇବା ନିମନ୍ତେ ତଥ୍ୟଗତ ଅଭାବରୁ ଠିକ୍ ସମୟରେ ସୁଯୋଗ ପାଇପାରନ୍ତି ନାହିଁ । ଏହି ବ୍ୟବସ୍ଥା ଫଳରେ ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଆବେଦନକାରୀ ଅନୁଷ୍ଠାନ ଓ ସବୁ କଳାକାର କଳା ପ୍ରଦର୍ଶନର ସମାନ ସୁଯୋଗ ପାଇପାରିବେ ବୋଲି ଶ୍ରୀ ଦାସ କହିଥିଲେ । କାର୍ୟ୍ୟକ୍ରମରେ ଲୁମିନସ ଇନଫୋଓ୍ୱେଜ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତନ୍ମୟ ମହାନ୍ତି ଯୋଗଦେଇ ପାୱାର ପଏଣ୍ଟ ମାଧ୍ୟମରେ ଏହି ଅନ୍ ଲାଇନ୍ କମ୍ପୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂପର୍କରେ ବିଶଦ୍ ଭାବେ ବୁଝାଇଥିଲେ । ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ଆଚାର୍ୟ୍ୟ ଧନ୍ୟବାଦ ଅର୍ପଣ ପୂର୍ବକ ସ୍ୱଚ୍ଛତା ଅବଲମ୍ବନ କରି ସାଂସ୍କୃତିକ କାର୍ୟ୍ୟକ୍ରମ ପରିଚାଳନା ବ୍ୟବସ୍ଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ୟ୍ୟକ୍ରମର ଅନ୍ତର୍ଭୁକ୍ତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଆ ବିଭାଗର ଉପ ଶାସନ ସଚିବ ଶ୍ରୀ ସଂଜୟ କୁମାର ମିଶ୍ରଙ୍କ ସମେତ ସମେତ ବିଭାଗର ବିଭିନ୍ନ ଶାଖାର ଉଚ୍ଚ କର୍ତ୍ତୃପକ୍ଷ, ସମସ୍ତ ପଦାଧିକାରୀ, କର୍ମଚାରୀ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଓଡିଆ ଭାଷା ପ୍ରତିଷ୍ଠାନର କାର୍ୟ୍ୟକ୍ରମ ସଂଯୋଜକ ଡଃ. ଫଣୀନ୍ଦ୍ର ଭୂଷଣ ନନ୍ଦ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories