ବିଜେବି ଛାତ୍ରୀ ରୁଚିକାକୁ ନ୍ୟାୟ ପ୍ରଦାନ ଦାବିରେ ମହମବତୀ ଶୋଭାଯାତ୍ରା

ଆଠଗଡ଼: ସଂପ୍ରତି ଭୁବନେଶ୍ୱରର ବିଜେବି କଲେଜର ଛାତ୍ରୀ ତଥା ଆଠଗଡ଼ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଖଡିର ଝିଅ ରୁଚିକା ମହାନ୍ତି ର‍୍ୟାଗିଂର ଶିକାର ହୋଇ ଆତ୍ମହତ୍ୟା କରିବା ଘଟଣାରେ ନ୍ୟାୟ ପ୍ରଦାନ ପାଇଁ ଆଠଗଡ଼ର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଆଠଗଡ଼ ଭାରତୀୟ ଜନତା ପାର୍ଟି ପକ୍ଷରୁ ର‍୍ୟାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା କଖଡିର ଝିଅ ରୁଚିକା ମହାନ୍ତିଙ୍କୁ ନ୍ୟାୟ ପ୍ରଦାନ ପୂର୍ବକ ତାଙ୍କ ଆତ୍ମହତ୍ୟା ପୂର୍ବ ଚିଠିରେ ଉଲ୍ଲିଖତ ର‍୍ୟାଗିଂ କରିଥିବା ୩ଜଣ ବରିଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଧରିବା ଏବଂ ଉପଯୁକ୍ତ ଦଣ୍ଡ ବିଧାନ ଦାବିରେ ମଙ୍ଗଳବାର ସନ୍ଧ୍ୟାରେ ମହମବତୀ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନଗରମଣ୍ଡଳ ସଭାପତି ହେମନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ନେତ୍ରୀ ତଥା ନଗରପାଳ ପ୍ରାର୍ଥୀନୀ ଇଲା ପଣ୍ଡା, ବରିଷ୍ଠ କାର୍ଯ୍ୟକର୍ତ୍ତା ବିଚିତ୍ରାନନ୍ଦ ଜେନା, ଯୁବମୋର୍ଚ୍ଚା ନେତା ତପନ ଲେଙ୍କାଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏଥିରେ ଯୋଗଦେଇ ଦାବି ଉପସ୍ଥାପନ କରିଥିଲେ।

ଆଠଗଡ଼ର ବିଜେଡି ଯୁବ ସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ତାଙ୍କର ବହୁ ସମର୍ଥକ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ପାଇଁ ନ୍ୟାୟ ଦାବିରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା କରାଯାଇଥିଲା। ଶ୍ରୀ ବାରିକ ରୁଚିକାଙ୍କ ଆତ୍ମହତ୍ୟା ଘଟଣା ପଛରେ ର‍୍ୟାଗିଂ କରିଥିବା ୩ଜଣ ବରିଷ୍ଠ ଛାତ୍ରୀଙ୍କୁ ଯଥାଶୀଘ୍ର ଚିହ୍ନଟ କରି ଗିରଫ କରିବା ଏବଂ ରୁଚିକାର ପରିବାରକୁ ରାଜ୍ୟ ସରକାର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ। ଶ୍ରୀ ବାରିକଙ୍କ ନେତୃତ୍ୱରେ ତାଙ୍କ ସମର୍ଥକ ପ୍ରଶାନ୍ତ ବେହେରା, ସରୋଜ ଦାସ, ଟୁକୁ ସାମଲଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ସମର୍ଥକ ହାତରେ ମହମବତୀ ଧରି ଏକ ନୀରବ ଶୋଭାଯାତ୍ରାରେ ରଥଗଡ଼ା ଛକରୁ ବାହାରି ସହର ପରିକ୍ରମା କରିଥିଲେ।

Comments are closed.