ବୌଦ୍ଧ: ପୁଣି ଚର୍ଚ୍ଚାରେ ଖରଭୂଇଁ ପଥର କ୍ବାରି। ପ୍ରଥମେ ଜିଲ୍ଲା ପ୍ରଶାସନ ଦ୍ବାରା ପଥର କ୍ବାରି ବନ୍ଦ ଘୋଷଣା ଓ ପରେ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେବା ବିବାଦ ସୃଷ୍ଟି କରିଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଖରଭୂଇଁ ଗ୍ରାମବାସୀ ୧.୧୧.୨୦୨୨ରୁ ଆନ୍ଦୋଳନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ପଥର କ୍ବାରି ଖନନ ଆରମ୍ଭ ହୋଇଥିଲା। ହେଲେ ଏବେ ମଧ୍ୟ ପାଳି କରି ଗ୍ରାମବାସୀ ଧାରଣାରେ ବସୁଛନ୍ତି। ସେପଟେ ପଥର କ୍ବାରି ଠିକାରେ ନେଇଥିବା ସଂସ୍ଥା ସରକାରୀ ନିୟମ ଉଲଂଘନ କରି ଅଧିକ ଅଞ୍ଚଳ କବ୍ଜା କରି ପଥର ଉତ୍ତୋଳନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଗ୍ରାମର ପୁରୁଷ ମହିଳା ଆସି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଜଙ୍ଗଲ ଓ ପରିବେଶ ତଥା ପ୍ରଦୂଷଣ ବୋର୍ଡର ସମସ୍ତ ନୀତି ନିୟମ ଉଲଂଘନ କରି ଖରଭୂଇଁ ଜଙ୍ଗଲ-୨ ଓ ୩ରେ ଥିବା ପଥର କ୍ବାରିରୁ ବିପୁଳ ପରିମାଣର ପଥର ଉତ୍ତୋଳନ କରାଯାଉଛି। ଯାହା ପରିବେଶର ବିବିଧତା ନଷ୍ଟ କରୁଛି। ଜିଲ୍ଲାପାଳଙ୍କ ସହ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ, ରାଜ୍ୟ ପରିବେଶ ବିଭାଗ ଅଧ୍ୟକ୍ଷ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ନିକଟରେ ମଧ୍ୟ ଇ-ମେଲରେ ଅଭିଯୋଗ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅଭିଯୋଗକାରୀମାନେ ହେଲେ ହୃଦାନନ୍ଦ ଦେହୁରୀ, ତିଲୋତ୍ତମା କହଁର, ସୁବର୍ଣ୍ଣା ବଗର୍ତ୍ତି ପ୍ରମୁଖଙ୍କ ସହ ଅନ୍ୟ ଗ୍ରାମବାସୀ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।
Popular Categories



