ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ତୋରାଣି ପୋଖରୀ ପଞ୍ଚାୟତ ଅନ୍ତର୍ଗତ ମଧୁରାପଶି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ହାତୀପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ବ୍ୟାପକ ପନିପରିବା ଫସଲ ନଷ୍ଟ କରିବା ସହ ବହୁ କ୍ଷୟକ୍ଷତି କରିଛନ୍ତି। ସୂଚନା ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ହାତୀପଲ ଗ୍ରାମରେ ପଶି ବ୍ୟାପକ ପରିବା ଚାଷ ନଷ୍ଟ କରିଦେଇଛନ୍ତି । ଗ୍ରାମର ୧୧ଜଣ ଚାଷୀଙ୍କ ବନ୍ଧାକୋବି, ଫୁଲକୋବି, ବାଇଗଣ, ଆଳୁ, ସୋରିଷ ଓ ମକା ଇତ୍ୟାଦି ଖାଇବା ସହ ମାଡି ଦଳି ନଷ୍ଟ କରିଦେଇଛନ୍ତି। ଗ୍ରାମର ଡାକ୍ତର ମହାନ୍ତ, ଫକୀର ମୋହନ ମହାନ୍ତ, ଭୈରବ ମହାନ୍ତ, ଶୁକଦେବ ମହାନ୍ତ, ଲୋକନାଥ ମହାନ୍ତ, ଅଭିମନ୍ୟୁ ମହାନ୍ତ, ଦିଲ୍ଲୀପ କୁମାର ମହାନ୍ତ, ଯତୀନ୍ଦ୍ର ମହାନ୍ତ, ଲେମ୍ବୁଧର ମହାନ୍ତ, ପରମାନନ୍ଦ ମହାନ୍ତ, ତରଣୀ ସେନ ମହାନ୍ତ ପ୍ରମୁଖଙ୍କର ହାତୀପଲ ପରିବା ଚାଷ ନଷ୍ଟ କରିଦେଇଛନ୍ତି। ହାତୀପଲରେ ୯ରୁ ଅଧିକ ହାତୀ ଥିବା ଗ୍ରାମବାସୀମାନେ କହିଛନ୍ତି । ଅନ୍ୟ ପକ୍ଷରେ ନଷ୍ଟ ହୋଇଥିବା ପନିପରିବାର କ୍ଷୟକ୍ଷତିର ଆକଳନ ସହ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।
Popular Categories



