ଚୋର ସନ୍ଦେହରେ ୨ ଜଣଙ୍କୁ ପିଟି ମାରିଦେଲେ

ବରଗଡ଼: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ସାହୁଟିକ୍ରାରେ ଦଳେ ଲୋକ ଚୋର ସନ୍ଦେହରେ ୨ ଜଣ ଯୁବକଙ୍କୁ ପିଟି ପିଟି ମାରି ଦେଇଛନ୍ତି। ଲୋକଙ୍କ ‌ମାଡ଼ରେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବରଗଡ଼ ସହର ପାଖ ତୋରା ସାହୁଟିକ୍ରା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ୪ ଜଣ ଅପରିଚିତ ଯୁବକ ଆଜି ଦିପହର ସମୟରେ ଏହି ଗାଁକୁ କୌଣସି କାରଣରୁ ଆସିଥିଲେ। ଲୋକେ ଏହି ୪ ଅପରିଚିତ ଯୁବକଙ୍କୁ ଚୋର ବୋଲି ସନ୍ଦେହ କରିଥିଲେ। ସେମାନଙ୍କୁ ଅଟକାଇ କାବୁ କରି ନେଇଥିଲେ। ଜଣେ ଯୁବକ ଲୋକଙ୍କ ହାବୁଡ଼ରୁ କୌଣସି ପ୍ରକାରେ ଖସି ପଳାଇବାରୁ ସନ୍ଦେହ ବଢ଼ିଥିଲା। ଅନ୍ୟ ୩ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଥିଲେ। ଲୋକଙ୍କ ମାଡ଼ରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ଲୋକଙ୍କ ମାଡ଼ରେ ପ୍ରାଣ ହରାଇଥିବା ମୃତବ୍ୟକ୍ତି ହେଲେ ନିକଟସ୍ଥ ପଣ୍ଡରିପଥର ଗ୍ରାମର ବିଜୟ ବାଗ (୨୦)। ଅନ୍ୟ ୨ ଯୁବକ ମୁମୂର୍ଷୁ ଅବସ୍ଥାରେ ଘଟଣାସ୍ଥଳରେ ପଡ଼ିଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ସହରାଞ୍ଚଳ ଡାକ୍ତରଖାନାକୁ ନେଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସନ୍ଧ୍ୟାରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସମ୍ବଲପୁରର ଭିକୁ ଜାଲଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଛି। ପଣ୍ଡରିପଥର ଗ୍ରାମର ସୁରଜ କର୍ମୀଙ୍କୁ ସେଠାରୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଦଳେ ଯୁବକ ଏହି ଗ୍ରାମକୁ ଆସି ଚୋରି କରିଥିଲେ। ପୁଲିସ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଆଜି ଯେତେବେଳେ ଏହି ଅପରିଚିତ ଯୁବକମାନେ ଗାଁକୁ ଆସିଲେ ପୁଲିସ କିଛି କରୁନଥିବାରୁ ଲୋକେ ନିଜେ ସେମାନଙ୍କୁ ଶାସ୍ତି ଦେବାକୁ ମନସ୍ଥ କରିଥିଲେ ଓ ନିସ୍ତୁକ ମାଡ଼ ମାରିଥିଲେ ବୋଲି ଜଣାପଡ଼ିଛି। ଏହି ଯୁବକମାନେ ଚୋରି ଉଦ୍ଦେଶ୍ୟରେ ଗାଁକୁ ଯାଇଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

Comments are closed.