ନୀଳଗିରି: ମାତ୍ର କିଛି ଦିନର ବ୍ୟବଧାନ ପରେ ବାଲେଶ୍ୱର ଜିଲା ନୀଳଗିରିରେ ପୁଣି ଥରେ ଜାଲନୋଟ୍ କାରବାର ଲୋକ ଲୋଚନକୁ ଆସିଛି। ଗରାଖ ବେଶରେ ଆସି ୨ଜଣ ଯୁବକ ସାମଗ୍ରୀ କିଣୁଥିବା ବେଳେ ଧରା ପଡିଛନ୍ତି। ଆଜି ସନ୍ଧ୍ୟାରେ ବରହମପୁର ଥାନା ଅଧୀନ ବାଉଁଶପାଳ ଗାଁର ସୁଶାନ୍ତ ପାତ୍ର ଓ ବରହମପୁର ଗାଁର ଟିକନା ବେହେରା ଏକ ସ୍କୁଟିରେ ନୀଳଗିରି ଥାନା ଅଧୀନ ଧୋବଶିଳା ନିକଟ ଖୁଣ୍ଟୁଣା ଛକରେ ଚକ୍କର କାଟୁଥିଲେ। ରାତି ବଢିବାରୁ ଏମାନେ ସେହି ଛକରେ ଥିବା ଏକ ଦୋକାନରୁ ୫୦ ଟଙ୍କାରେ ବିସ୍କୁଟ କିଣି ୫ ଶହ ଟଙ୍କିଆ ନୋଟ ଦେଇଥିଲେ। ଦୋକାନୀର ସନ୍ଦେହ ହେବାରୁ ସେ ସ୍ଥାନୀୟ ଲୋକଙ୍କୁ ଫୋନ କରିବାରୁ ଏହି ଅଭିଯୁକ୍ତମାନେ ଖସି ଯିବାକୁ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ ଲୋକେ ସେମାନଙ୍କୁ ମାଡ଼ି ବସି ନିସ୍ତୁକ ଛେଚିଥିଲେ। ଅଭିଯୁକ୍ତମାନେ ରଖିଥିବା ଜାଲନୋଟ ସବୁ ଚିରି ବିଲ ଭିତରେ ଫିଙ୍ଗି ଦେଇଥିଲେ। ଖବର ପାଇ ନୀଳଗିରି ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ଥାନାରେ ଅଟକ ରଖିଥିବା ବେଳେ ତାଙ୍କ ପକେଟରୁ ଅଢେ଼ଇ ହଜାର ଟଙ୍କା ଜାଲ ନୋଟ ସହ ବ୍ୟବହୃତ ସ୍କୁଟି ମଧ୍ୟ ଜବତ ହୋଇଛି। ଏନେଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ କହିଛନ୍ତି।
Popular Categories



