ସମ୍ବଲପୁର: ପବିତ୍ର ଗୁରୁଦିବସ ଉପଲକ୍ଷେ ଜିଲାର ୮ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଜିଲା ପ୍ରଶାସନ ତରଫରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ୟ୍ୟାଳୟରେ ଧନକଉଡା ବ୍ଲକର ୭ ଜଣ ଓ ରେଙ୍ଗାଲି ବ୍ଲକର ଜଣେ ଶିକ୍ଷକଙ୍କ ସମେତ ସମୁଦାୟ ୮ ଜଣଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବୋଧଗମ୍ୟ ଡିଜିଟାଲ ବିଷୟବସ୍ତୁ ପ୍ରସ୍ତୁତ କରିଥିବାରୁ ଜିଲା ପ୍ରଶାସନ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲା ଶିକ୍ଷାଧିକାରିଣୀ ମୀନାରାଣୀ ମଙ୍ଗଳ ଉପସ୍ଥିତ ରହିଥିଲେ।
ସମ୍ବଲପୁର: ସମ୍ବଲପୁର ଠାରେ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଙ୍ଗଠନ ଦ୍ୱାରା ପରିଚାଳିତ ଜ୍ୟାକ ଆଣ୍ଡ ଜିଲ ସ୍କୁଲ ଠାରେ ଗୁରୁଦିବସ ପାଳିତ ହୋଇଯାଇଛି। ମଙ୍ଗଳବାର ଆୟୋଜିତ ଏହି କାର୍ୟ୍ୟକ୍ରମରେ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଙ୍ଗଠନ ସମ୍ବଲପୁରର ଅଧ୍ୟକ୍ଷା ଅଞ୍ଜନୀ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ଦିବସ ପାଳନର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନର ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା। ଛୋଟ ଶିଶୁ ମାନଙ୍କୁ ଶିକ୍ଷା ପ୍ରଦାନ ସହିତ ସହାୟତା କରିବା ଲକ୍ଷ୍ୟ ନେଇ ମହିଳା କଲ୍ୟାଣ ସଙ୍ଗଠନ କାର୍ୟ୍ୟରତ ଅଟେ। କାର୍ୟ୍ୟକ୍ରମରେ ଇକୋର ଉପାଧ୍ୟକ୍ଷା ରୂଚିକା ସିଂ ଙ୍କ ସମେତ ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ।
ଆଠଗଡ଼: ଆଠଗଡ଼ର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଡ଼ଜାତ ପରିକ୍ରମା ଆନୁକୁଲ୍ୟରେ ଗୁରୁଦିବସ ଅବସରରେ ୧୦ମ ପୂଜ୍ୟପୂଜା ସମାରୋହ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗଡ଼ଜାତ ପରିକ୍ରମାର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯାଜପୁର ଜିଲ୍ଲାର ଶ୍ରୀ ଗୁରୁ ଆଶ୍ରମ ମୌନାନନ୍ଦ ମଠର ସାଧୁ ସ୍ୱାମୀ ଜ୍ଞାନାନନ୍ଦ ମହାରାଜ ଯୋଗଦେଇ ପ୍ରାଚୀନ କାଳର ପବିତ୍ର ଗୁରୁଶିଷ୍ୟ ପରମ୍ପରା ଏବେ ଲୋପ ପାଇଗଲାଣି ଏବଂ ବସ୍ତୁବାଦି ଦୁନିଆରେ ଗୁରୁଙ୍କ ପ୍ରତି ଶିଷ୍ୟଙ୍କର ଯେପରି ସମ୍ମାନ ରହିବା କଥା ତାହା ଆଉ ଦେଖାଯାଉନାହିଁ। ସମାଜରେ ଗୁରୁଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ଏବଂ ଗୁରୁ ଅଜ୍ଞାନର ଅମା ଅନ୍ଧକାରରେ ଜ୍ଞାନର ଆଲୋକକୁ ବିଛୁରିତ କରିଥାନ୍ତି ବୋଲି ସ୍ୱାମୀ ଜ୍ଞାନାନନ୍ଦ ପ୍ରକାଶ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ମଧ୍ୟପ୍ରଦେଶର ଅମରକଣ୍ଟକସ୍ଥିତ ଜାତୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ ନରୋତ୍ତମ ଗାଆଣ, ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସଂପାଦକ ବେଣୁଧର ପଣ୍ଡା ଓ ବିଶ୍ୱନାଥ ବିଦ୍ୟାପୀଠର ପ୍ରଧାନଶିକ୍ଷକ ରଘୁନାଥ ସାସମଲ ଯୋଗଦେଇ ସମାଜରେ ଗୁରୁଙ୍କ ସ୍ଥାନ ସବୁବେଳେ ଶୀର୍ଷରେ ରହିଛି ଏବଂ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଗଡ଼ଜାତ ପରିକ୍ରମା ସଂପାଦକ ଲଲାଟେନ୍ଦୁ ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ସୁରେଶ ଚନ୍ଦ୍ର ପରିଡ଼ା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଗୁରୁ ବୀରକିଶୋର ମହାପାତ୍ର, ପୂର୍ଣ୍ଣାନନ୍ଦ ଦାଶ, ସତ୍ୟବାଦୀ ବଳିୟାରସିଂହ, ମୁରଲୀଧର ବେଉରା, ଡଃ ନରୋତ୍ତମ ଗାଆଣ, ଉଦୟନାଥ ନାୟକ, ସାରଙ୍ଗଧର ଜେନା, ପିତବାସ ଦାସଶର୍ମା, ଭୀମସେନ ଦାଶ, ଜଗନ୍ନାଥ ବାରିକ, ଯୁଧିଷ୍ଠିର ରାଉଳ, ବାଉରୀବନ୍ଧୁ ଜେନା, ହରମୋହନ ପ୍ରଧାନ, ପ୍ରଭାକର ମହାପାତ୍ର, ସୁରେଶ ଚନ୍ଦ୍ର ଜେନା, ସୁଦର୍ଶନ ନାୟକ, ପୁଲିନ ମିଶ୍ର, ଶିବାନୀ ଦତ୍ତ, କନକ ମଞ୍ଜରୀ ସାହୁ, ନଳିନୀ କୁମାରୀ ପଣ୍ଡା ପ୍ରମୁଖ ୨୦ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜଶ୍ରୀ ଏମ୍ପୋରିୟମର ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଜୟ ତାପାରିଆଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଦୀପାଳି ଦାଶ, ପ୍ରଣତି ପଣ୍ଡା, ପ୍ରକାଶ କୁମାର ସେଠୀ ଓ ତ୍ରିଲୋଚନ ବେହେରା ପ୍ରମୁଖ ସହଯୋଗ କରିଥିବାବେଳେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ସୁବାସ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର: ଭାରତର ପୁର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ପବିତ୍ର ଗୁରୁଦିବସ ରୂପେ ସେପ୍ଟେମ୍ବର ୫ ତାରିଖକୁ ପାଳନ କରାଯାଇଥାଏ । ଆଜିର ଏହି ପବିତ୍ର ଦିନରେ ବିଭନ୍ନ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ପ୍ରତିଷ୍ଠାନ ମାନଙ୍କରେ ଗୁରୁଦିବସ ପାଳନ କରାଯାଇଥାଏ । ଏହି କ୍ରମରେ ସାମାଜିକ ସାଂସ୍କୃତିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଲ୍ ଏକତା ପକ୍ଷରୁ ଆଜିର ପବିତ୍ର ଦିନଟିକୁ ଏକ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି । ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ୍ ନାରୀ ଶକ୍ତି ପକ୍ଷରୁ ସ୍ଥାନୀୟ ସିଦ୍ଧେଶ୍ୱରବେର୍ଣ୍ଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ସମୟରେ ମଞ୍ଚର ନାରୀ ଶକ୍ତିର ସଦସ୍ୟା ମାନେ ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁସାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପହଞ୍ଚି ସେଠାରେ ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମାଁ ମାନଙ୍କୁ ବିଧି ଓ ରୀତିନୀତି ଅନୁଯାୟୀ ଗୁରୁପୂଜନ କରିଥଲେ । କାର୍ୟ୍ୟକ୍ରମରେ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ମଧ୍ୟ ସାମିଲ ହୋଇଥିଲେ । ନାରୀ ଶକ୍ତି ଜିଲ୍ଲା ସଂଯୋଜିକା ସ୍ଵସ୍ତିକା ନାୟକଙ୍କ ନେତୃତ୍ୱରେ ହୋଇଥିବା ଆଜିର କାର୍ୟ୍ୟକ୍ରମରେ ଝୁନୁ ତ୍ରିପାଠୀ, ପଙ୍କଜିନି ବୈଠାରୁ, ଲକ୍ଷ୍ମୀପ୍ରିୟା ପ୍ରଧାନ, ତୃପ୍ତିମୟୀ ପଣ୍ଡା, ଯାମିନୀ ଠାକୁର, ଜୟଶ୍ରୀ ପୁରୋହିତ, କାନ୍ତି ମେହେର, ପଦ୍ମିନୀ ବୈଠରୁ, ସବିତା ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ । ମଞ୍ଚର ସକ୍ରିୟ କାର୍ୟ୍ୟକର୍ତ୍ତା ଶରତ କୁମାର ବହିଦାର, ଆବାହକ ଭବାନୀ ଶଙ୍କର ଭୋଇ ଓ ସଂଯୋଜକ ମାନସ ରଞ୍ଜନ ବକ୍ସି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।
ସମ୍ବଲପୁର: ସମ୍ବଲପୁର ବଡ଼ ବଜାର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପକ୍ଷରୁ ମଙ୍ଗଳବାର ପବିତ୍ର ଗୁରୁ ଦିବସ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ୍ ଙ୍କର ୧୩୬ତମ ପବିତ୍ର ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ବବିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର୍ ଏବଂ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ହରି ଶଙ୍କର ମିଶ୍ର ଯୋଗଦାନ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ବହିଦାର୍ ଙ୍କ ଦ୍ୱାରା ମାଁ ସମଲେଶ୍ୱରୀ, ସ୍ୱାମୀ ବିବେକାନନ୍ଦ ଓ ଭାରତରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ୍ ଙ୍କ ଫଟୋଚିତ୍ର ଉପରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ଧୂପ ଦୀପ ଦ୍ୱାରା ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀ ମାନେ ସାମୂହିକ ଗୁରୁ ବନ୍ଦନା ଗାନ କରିଥିଲେ । ଭାରତୀୟ ସଂସ୍କୃତିରେ ମାତା ପିତା ଏବଂ ଗୁରୁ ମାନଙ୍କୁ ଦେବୀଦେବତାଙ୍କ ଶ୍ରେଷ୍ଠ ଆସନ ଓ ମର୍ୟ୍ୟାଦା ପ୍ରଦାନ ପୂର୍ବକ ସମ୍ମାନ ଦେବାର ପରମ୍ପରା ଏବଂ ମହାନ୍ ଗୁରୁ ଶିଷ୍ୟ ପରମ୍ପରା ଆବାହମାନ କାଳରୁ ରହି ଆସିଛି । ଏହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ବିଦ୍ୟାଶିକ୍ଷା ସଙ୍ଗେ ସଙ୍ଗେ ନୈତିକ ଶିକ୍ଷା, ଆଧ୍ୟାତ୍ମିକ ଶିକ୍ଷା, ସଂସ୍କୃତି ର ଶିକ୍ଷା ଓ ଚରିତ୍ର ନିର୍ମାଣ ସହ ପୂର୍ଣ୍ଣାଙ୍ଗ ବିକାଶ ହୋଇ ପାରିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ବହିଦାର୍ କହିଥିଲେ । ଭାରତରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ୍ ଙ୍କ ଜୀବନ ଦର୍ଶନ ଉପରେ ସେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ସ୍ୱାମୀ ବିବେକାନନ୍ଦ ଙ୍କ ଆଦର୍ଶରେ ପରିଚାଳିତ ଏହି ଶିକ୍ଷାକେନ୍ଦ୍ରର ସମସ୍ତ ଶିକ୍ଷୟିତ୍ରୀ ମାନଙ୍କ ଅଧ୍ୟବସାୟ ଓ ସ୍ନେହପୂର୍ଣ୍ଣ ବ୍ୟବହାରର ଭୁୟସୀ ପ୍ରଶଂସା କରିଥିଲେ । ଶିକ୍ଷୟିତ୍ରୀ ତୃପ୍ତି ମାଝୀ, ସୁଜ୍ଞାନୀ ମାହାଣା ଓ ସନ୍ତୋଷିନୀ ଦେବୀଙ୍କ ପରିଚାଳନାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀ, ଅବିଭାବକ ମାନଙ୍କ ସମେତ ସହରର ବହୁ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ଉପସ୍ଥିତ ଥିଲେ । ସମସ୍ତଙ୍କ ଦ୍ୱାରା ସାମୁହିକ ଜାତୀୟ ସଙ୍ଗୀତ ଗାନ ପରେ ଶିକ୍ଷୟିତ୍ରୀ ତୃପ୍ତି ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।
କାମାକ୍ଷାନଗର: ପବିତ୍ର ଗୁରୁ ଦିବସ ପରିପ୍ରେକ୍ଷୀରେ କାମାକ୍ଷାନଗର ମହାବିଦ୍ୟାଳୟରେ ଅଧକ୍ଷ ମଙ୍ଗଳୁ ନାଏକଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ମୋସ୍କୁଲ ଅଭିଯାନର ସଂଯୋଜକ ପ୍ରଦୀପ କୁମାର ମହାପାତ୍ର ଓ ମହାବିଦ୍ୟାଳୟର ପୁର୍ବତନ ଛାତ୍ର ତଥା ମୋ ସ୍କୁଲ ଅଭିଯାନର ଛାତ୍ର ସଂସଦ ଦୀପକ କୁମାର ଖେମକା, ଅଜିତ୍ କୁମାର ମହାନ୍ତଙ୍କ ଉପସ୍ଥିତିରେ ପାଞ୍ଚଟି ପାମୋଲିନ ଗଛ ମହାବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା।
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗରେ ସ୍ନାତକ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ନେଇ ଗୁରୁ ଦିବସ ପାଳନ ହୋଇ ଯାଇଛି। ଗୁରୁ ଦିବସ ପାଳନ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁବାସ ଚନ୍ଦ୍ର ପ୍ରଧାନ ଯୋଗଦାନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହୋଇ ଦେଶ ମାତୃକାର ସେବା ପାଇଁ ଦିଗଦର୍ଶନ ପ୍ରଦାନ କରିଥିଲେ। ଏହା ସହିତ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ସଦାନନ୍ଦ ଦତ୍ତ, ଇତିହାସ ବିଭାଗର ମୁଖ୍ୟ କ୍ଷୀର ସାଗର ରଣା ଏବଂ ଅତିଥି ଅଧ୍ୟାପକ ରାଜେଶ କୁମାର ବଗର୍ତ୍ତୀ ଓ ଚିନ୍ମୟୀ ମାଝି ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ ଜଣେ ଜଣେ ଆଦର୍ଶ ବ୍ୟକ୍ତି ବିଶେଷ ଭାବେ ସୁନାମ ଅର୍ଜନ କରି ସମାଜର ବିକାଶ ପାଇଁ କାର୍ୟ୍ୟ କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ।
ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ଡ଼ଃ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସ୍କୁଲ ପରିଚାଳନା କମିଟି ସଭାପତି ଶବର କୁମାର ତରାଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ବିଜୟ କୁମାର ବେହେରା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ମାହାଳିକ, ପୂର୍ଵତନ ସି ଆର ସି ସି ରବିନ୍ଦ୍ର ସେଠୀ, ସହକାରୀ ଶିକ୍ଷକ ଦିବ୍ୟସିଂହ ପଲାଇ, ସ୍ୱପ୍ନାରାଣୀ ପଲାଇ, ରଘୁନାଥ ସାହୁ, ପ୍ରମିଳା ଶବର, ପ୍ରିୟଙ୍କା ପଲାଇ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଅବସରରେ ସମର୍ଦ୍ଧିତ କରାଯାଇଥିଲା।
କଣ୍ଟାବାଞ୍ଜି: ସ୍ଥାନୀୟ ଉତ୍କଳ ବାଲାଶ୍ରମଠାରେ ପବିତ୍ର ଗୁରୁଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଚିନ୍ମୟ ଯୋଷୀ, କାହ୍ନୁଚରଣ ମିଶ୍ର, ଅଶୋକ ଛାପଡିଆ ଏବଂ ଅନୀଲ ଅଗ୍ରବାଲ ପ୍ରମୂଖ ଉପସ୍ଥିତ ଥିଲେ। ସଭା ପରିଚାଳନା ବାଲାଶ୍ରମ ଇନଚାର୍ଜ ସମୀର ସାଗର କରିଥିଲେ। ସଭାରେ ବାଲାଶ୍ରମର ସମସ୍ତ ଶିଶୁ ସହ ସମସ୍ତ କର୍ମଚାରୀ ଅତିଥିମାନଙ୍କ ଙ୍କ ଠାରୁ ଗୁରୁ ଦିବସ ପାଳନ ର ମହାତ୍ମ୍ୟ ତଥା ଲକ୍ଷ୍ୟ ବିଷୟରେ ଜାଣିବାକୁ ପାଇଥିଲେ। ଶିଶୁ ମାନେ ଡ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଭଳି ଆଦର୍ଶବାଦୀ ହେବା ପାଇଁ ଇଚ୍ଛା ପ୍ରକାଶର ଆଗ୍ରହ ଦେଖାଇଥିଲେ।
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଡମ୍ବରରେ ଗୁରୁଦିବସ ପାଳନ କରାଯାଇଛି। ପ୍ରଥମେ ଛାତ୍ର ଛାତ୍ରୀ ମାନେ ମହାନ ଶିକ୍ଷାବିତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଉପଲକ୍ଷେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଭକ୍ତିପୂତ ପ୍ରଣାମ ଜଣାଇ ଗୁରୁଦିବସ ପାଳନ କରିଛନ୍ତି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ସୁନାନିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଦୀପା ସାହୁକାର, ଗୁଣନିଧୀ ନାୟକ, ସନ୍ତୋଷ କୁମାର ପଣ୍ତା, ରମେଶ ଚନ୍ଦ୍ର ବରାଳ, ସୁରେନ୍ଦ୍ର ହିଆଲ, ଅଭୀନ, କର୍ଷିକା, କମିଓ ପ୍ରସାଦ ମୁଟୁକା, ଜ୍ଞାନପ୍ରକାଶ କହର, ସିବାଶିସ୍ ଜେନା, ଉମେଶ ଚନ୍ଦ୍ର ବାରିକ, ହରପ୍ରସାଦ ଦାଶ ଉପସ୍ଥିତ ଥିଲେ। କ୍ରୀଡା ଶିକ୍ଷକ ଉମେଶ ଚନ୍ଦ୍ର ଦାସ ମଞ୍ଚ ପରିଚାଳନା କରିଥିଲେ।
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ପ୍ରାଥମିକ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ମହା ଆଡମ୍ବରରେ ଗୁରୁଦିବସ ପାଳିତ ହୋଇ ଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମିଶ୍ରାଣି କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କାଦୋବକ୍ଷହାଲ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟାପକ ଡଃ ସୁଶାନ୍ତ କୁମାର ପୂଜାରୀ ମୁଖ୍ୟ ବକ୍ତା, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଏନ୍ ଏ ସି ଅଧ୍ୟକ୍ଷ ବନମାଳୀ ବରିହା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଓ ତପନ କୁମାର ଦାଶ, ଅତାବିରା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ପ୍ରାଥମିକ ଶିକ୍ଷା ଓ ସାଂସ୍କୃତିକ ଅନୁଷ୍ଠାନର ସଭାପତି ମନୋରଂଜନ ମିଶ୍ର ମଞ୍ଚ ପରିଚାଳନା କରି ଓ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ୨୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଗୁରୁଦିବସ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରେଣୀ କକ୍ଷରେ ଆୟୋଜିତ ସଭାରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ତାଙ୍କ ତୈଳ ଚିତ୍ରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ରୀ ଗଣ ପ୍ରଦୀପ ପ୍ରଜ୍ୟୋଲନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ତରିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା।
ଲଡୁଗାଁ: କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ହାଇସ୍କୁଲ ବ୍ୟାଚ୍ ୧୯୭୫ର କିଛି ପୁରାତନ ଛାତ୍ର ଗୁରୁ ଶିଷ୍ୟ ପରମ୍ପରାକୁ ଆଗାମୀ ପୀଢିକୁ ବାର୍ତ୍ତା ଯୋଗାଇବା ଭଳି ଏକ ନିଆରା ଗୁରୁ ଦିବସ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଗୁରୁଜୀ ମାନଙ୍କୁ ଶିକ୍ଷାଦାନର ୫୦ ବର୍ଷ ପରେ ବି ପୁରାତନ ଛାତ୍ର ଭୁଲି ନାହାନ୍ତି। କାର୍ଯ୍ୟକ୍ରମରେ ଶିକ୍ଷକ ବନମାଳୀ ମାଝୀ, ତ୍ରିନାଥ ଠାକୁର, କୀର୍ତ୍ତନ ସିଂ, ରସିକ ରାଜ କାଣ୍ଡ, ହେମନ୍ତ ସାହୁ, ରାମ ପ୍ରସାଦ ସାହୁ ଗୁରୁ ମାନଙ୍କୁ ନିମନ୍ତ୍ରଣ ଓ ଫୁଳମାଳ ଦ୍ଵାରା ସ୍ଵାଗତ କରାଯାଇ ଗୁରୁପୂଜନ, ପ୍ରଦୀପ ପ୍ରଜ୍ବଳନ, ଶ୍ରୀଫଳ ସହ କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରାଯାଇଛି।
ରେଙ୍ଗାଲି: ରେଙ୍ଗାଲି ସ୍ଥିତ ସୁରଜମଲ୍ ମହାବିଦ୍ୟାଳୟରେ ଆଜି ପବିତ୍ର ଗୁରୁଦିବସ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡାଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଅଧକ୍ଷ ଶ୍ରୀ ପଣ୍ଡା ଡ. ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କଲାପରେ ଗୁରୁପୁଜନ କରାଯାଇଥିଲା। ସେହିପରି ଲଇଡା ସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସ ଓ ଗୁରୁଦିବସ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବଲପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ଦାସ ମୁଖ୍ୟ ଅତିଥି ଏବଂ ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ଡଃ କାମଦେବ ସାହୁ, ଦୁତିକା ସାହୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବସନ୍ତ କୁମାର ନାଏକ ସମ୍ମାନିତ ଅତିଥି ରୁପେ ମଞ୍ଚାସୀନ ଥିଲେ।
ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଜଗନ୍ନାଥ ସଂସ୍କୃତିର ଗବେଷକ ଅକ୍ଷୟ ନାରାୟଣ ମିଶ୍ର ପ୍ରଦୀପ ପ୍ରଜ୍ଵଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ। ବିଦ୍ୟାଳୟର ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ନିର୍ମଳ ଚରଣ ସାହୁ ଏବଂ କୁଳମଣି ସାହୁ ଯୋଗ ଦେଇଥିଲେ। ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ଅଧ୍ୟକ୍ଷ ଅଶ୍ୱଥାମା ଗିରି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭାରତରତ୍ନ ଡ଼. ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ପୂର୍ବକ ଉଦଘାଟନ କରି ତାଙ୍କର ଜୀବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ଦେବାସହ ଗୁରୁଶିଷ୍ୟ ପରମ୍ପରାର ବିଭିନ୍ନ ଉଦାହରଣ ଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ। ପାଟଣା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଆଜି ଗୁରୁଦିବସ ପରମ୍ପରା ସହକାରେ ପାଳନ କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁ ଓ ମୁଖ୍ୟ ବକ୍ତା ଭାବେ ହଳଧର ମହାନ୍ତ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ତିଗିରିଆ: ତିଗିରିଆ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟରେ ଗୁରୁ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁପୂଜନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା, ବରିଷ୍ଠ ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ
ଲାଞ୍ଜିଗଡ଼: ପବିତ୍ର ଗୁରୁଦିବସ ଅବସରରେ ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ପେଙ୍ଗସୁର ପ୍ରାଥମିକ ବିଦ୍ୟାଳୟ ଓ ବନ୍ଧପାରିସ୍ଥିତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଗୁରୁଦିବସ ସମାରୋହରେ ସାମିଲ ହୋଇଛନ୍ତି କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ। ଶ୍ରୀ ମାଝୀ ଆଜି ପେଙ୍ଗସୁର ସ୍କୁଲ ପରିଦର୍ଶନ କରି ସେଠାରେ ଅନ୍ତେବାସୀ ଛାତ୍ରମାନଙ୍କ ସହିତ ମତ ବିନିମୟ କରିଥିଲେ। ଏଇ ସମୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦଶରଥ ମାଝୀ, ପ୍ରହଲ୍ଲାଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ବନ୍ଧପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ଗୁରୁଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଶ୍ରୀ ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମନୋରଞ୍ଜନ ବିଶି, ସୁଶୀଲ କୁମାର ବାଗ, ଦେବାଶିଷ ରଞ୍ଜନ ବିଶି, ବନ ଦଳେଇ, ହରେକ୍ରୁଷ୍ଣ ନାଏକ, କାବୁଲି ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।
ପାତ୍ରପୁର ବ୍ଳକ ମିଳିତ ଶିକ୍ଷକ ସଙ୍ଗ ଆନୁକୁଲ୍ୟରେ ପ୍ରତିବର୍ଷ ଭଳି ଗୁରୁ ପୂଜନ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯlଇଛି। ସଙ୍ଘ ସଭାପତି ତଥା ରାଜ୍ୟ ସଂଘ ନେତା ରାଜେଶ୍ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ସ୍ୱରୂପ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର ମୁଖ୍ୟ ବକ୍ତା, ଜିଲ୍ଲା ସ୍ତରୀୟ ଶିକ୍ଷକ ନେତା ତଥା ସଙ୍ଘ ସମ୍ପାଦକ ଶଶାଙ୍କ କୁମାର ପ୍ରଧାନ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ।
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ସାରସ୍ଵତ ମହାବିଦ୍ୟାଳୟରେ ଆଜି ପବିତ୍ର ଗୁରୁଦିବସ ସହ ୩୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ମହାବିଦ୍ୟାଳୟର ଯୁକ୍ତ ତିନିର ଅଧ୍ୟକ୍ଷା ପ୍ରତିମା ପାଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସରେ ବରଗଡ଼ ପାର୍ବତୀ ଗିରି ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସଂଘମିତ୍ରା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।
ବୁର୍ଲା: ବୁର୍ଲା ଭିସୁଟ ବିଟେକ୍ ଏବଂ ଏମଟେକ୍ ସିଭିଲ୍ ଇଞ୍ଜିନିୟରିଂ ସୋସାଇଟିର ଛାତ୍ରମାନେ ରିସର୍ଚ୍ଚ ସ୍କୋଲାର୍ ଛାତ୍ର ମାନଙ୍କ ସହିତ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ସେମିନାର ହଲରେ ଗୁରୁ ଦିବସ ପାଳନ କରିଥିଲେ। ଭିସୁଟ ବୁର୍ଲାର ଅନ୍ୟ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ଉତ୍ସାହର ସହିତ ଗୁରୁ ଦିବସକୁ ପାଳନ କରିଥିଲେ ହୃଦୟସ୍ପର୍ଶୀ ଭାଷଣ ଦେଇ ଛାତ୍ରମାନେ କୃତଜ୍ଞତା ଜଣାଇବା ସହ ହାତ ତିଆରି କାର୍ଡ, ଫୁଲ ଏବଂ ସେମାନଙ୍କର ମାର୍ଗଦର୍ଶକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଭିତ୍ତିଭୂମି ଏବଂ ଯୋଜନା ସ୍କୁଲର ମୁଖ୍ୟ ପ୍ରଫେସର ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ଦ୍ଵାରା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିବା ବେଳେ ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ହେଡ୍ ପ୍ରଫେସର ରାକେଶ ରୋଶନ ଦାଶ ଏବଂ ଆର୍କିଟକ୍ଚର ବିଭାଗର ଆସୋସିଏଟ୍ ହେଡ୍ ଡକ୍ଟର ଭାରତୀ ମହାପାତ୍ର, ସ୍ଥାପତ୍ୟ ବିଭାଗର ଆସୋସିଏଟ ମୁଖ୍ୟ ପ୍ରଫେସର ସୁଧାଂଶୁ ଶେଖର ଦାସ, ପ୍ରଫେସର ଅମରନାଥ ନାୟକ, ସୁଶ୍ରୀ କିର୍ତ୍ତୀସୁତା ଭୋଇ, ଡ ରାଜୀବ ଲୋଚନ ସାହୁ, ପ୍ରଫେସର ରମାକାନ୍ତ ପାଣିଗ୍ରାହି ଡିନ୍ ଅଧ୍ୟାପିକ ତଥା ଯୋଜନା, ସୁଧିରା ରଥ, ଡ ରାମକୃଷ୍ଣ ଦାଣ୍ଡପାଟ, ବିଦ୍ୟାଳୟର ଅନ୍ୟ ଅଧ୍ୟାପିକ ଆଲୁମିନି ବ୍ୟାପାରର ଡିନ୍ ପ୍ରଫେସର ଅନୀଲ କୁମାର କର, ଡ ଦେବବ୍ରତ ଗିରି, ଡ ଭରଦ୍ୱାଜ ନନ୍ଦା ସମାବେଶକୁ ସମ୍ବୋଧିତ କରି ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଶିକ୍ଷାବିତ୍ ଏବଂ ଛାତ୍ରମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ।
କଲମପୁର: ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ୫ ଖାରବେଳ ନଗର ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ କଲମପୁର ବ୍ଲକ ଅଧିନସ୍ଥ ପଣ୍ଡିଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁ ଦିବସ ପାଳନ କରାଯାଇଛି। ମଙ୍ଗଳବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବୋର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁମନ କୁମାର ରଥ ଯୋଗଦେଇଥିଲେ। ପ୍ରମୁଖ ଅତିଥି ଭାବରେ କଲମପୁର ବି.ଡି.ଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ରୁଦ୍ରମୋହନ ନାୟକ, ଗୋଷ୍ଟୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ପ୍ରମୁଖ ଯୋଗ େଦେଇଥିଲେ। କଲମପୁର ବ୍ଲକ ଶିକ୍ଷକ ସଂଘ ର ସଭାପତି ସନ୍ତୋଷ କୁମାର ଚୌଧୁରୀ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉତ୍ସବରେ ସଂଘର ଜିଲ୍ଲା ସଭାପତି ଜାମିନୀ ମିଶ୍ର, ସାଧାରଣ ସମ୍ପାଦକ ସୁଧିର କୁମାର ରଥ, ବରିଷ୍ଠ ଉପଦେଷ୍ଟା ଗଙ୍ଗାଧର ପ୍ରଧାନ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତୁ କୁମାର ପଣ୍ଡା, ଶୁସାନ୍ତ କୁମାର ଖମାରୀ, ଶୁସିଳ କୁମାର ମୁଣ୍ଡ ପୂର୍ବତନ ଗୋଷ୍ଟୀ ଶିକ୍ଷା ଅଧିକାରୀ ହରିଶଙ୍କର ବାଗ, କଲମପୁର ଶିକ୍ଷକ ସଂଘର ଉପସଭାନେତ୍ରୀ ସଂଯୁକ୍ତା ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ। ଏହି ଗୁରୁ ଦିବସ ପାଳନ ଅବସରରେ ପଣ୍ଡିଗାଁ ବିଦ୍ୟାଳୟ ସ୍ଥାପନ ପାଇଁ ଜମି ଦାନ କରିଥିବା ସ୍ୱର୍ଗତ ସୀମାଂଚଳ ବେହେରାଙ୍କ ସୁପୂତ୍ର ବସନ୍ତ କୁମାର ବେହେରାଙ୍କ ସମେତ ଆଦର୍ଶ ଶିକ୍ଷକ ମନ୍ମଥ କୁମାର ମିଶ୍ର, ମନୋଜ କୁମାର ମେହେର, ଅବସରପ୍ରାପ୍ତ ଶିକ୍ଷକ ବାଳଗୋପାଳ ତେଣ୍ଡକାରୀ, ବିଶ୍ୱମୋହିନୀ ପଣ୍ଡା, ପରମାନନ୍ଦ ଜେନା, ନାରାୟଣ ଚନ୍ଦ୍ର ରଥ, ବରିଷ୍ଠ କିରାଣୀ ଦୁର୍ଯ୍ୟୋଧନ ନାଗ, ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ମନ୍ମଥ କୁମାର ମିଶ୍ର ମଂଚ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନେ ଗୁରୁ ପୂଜନ ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ବେହେରାଙ୍କୁ ଫୁଲ ଚନ୍ଦନ ଦେଇ ପୂଜନ କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନରେ ବ୍ଲକର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ।
କେନ୍ଦୁଝରଗଡ଼଼: ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ପବିତ୍ର ଗୁରୁ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ଓଏସ୍ଡି ପ୍ରଫେସର ଡ.ପ୍ରତାପ କୁମାର ମହାନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସ୍ନାତ୍ତକ ଓ ସ୍ନାତ୍ତକୋତ୍ତର ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ନେଇ ଅନୁଷ୍ଠିତ ସଭାରେ କୁଳପତି ଡ. ମହାନ୍ତି ସଭାପତିତ୍ୱ କରି ଭାରତୀୟ ଗୁରୁ ପରମ୍ପରା ଓ ଭାଗବତର ଉଦାହରଣ ଦେଇ ଶିକ୍ଷକ ମାନଙ୍କୁ ଦାୟିତ୍ୱବାନ ହେବାକୁ ଆହ୍ୱାନ ଦେଇଥିଲେ। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ନରେନ୍ଦ୍ର କୁମାର ସାହୁ, ସ୍ନାତ୍ତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଡ.ସତ୍ୟବ୍ରତ ମିଶ୍ର, ଜନସମ୍ପର୍କ ଅଧିକାରୀ ସହକାରୀ ପ୍ରଫେସର ସୁଧାକର ଦାଶ, ଶିକ୍ଷକ ଶିକ୍ଷା ବିଭାଗ ସଂଯୋଜକ ସହକାରୀ ପ୍ରଫେସର ବିଜୟ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗୁରୁଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଶିକ୍ଷକ ମାନଙ୍କ ପକ୍ଷରୁ ଡ.ଦାମୋଦର ସାହୁ, ଡ. ସୁମନ୍ତ୍ର ନାଏକ, ବିକାଶ ଚନ୍ଦ୍ର ବେହେରା, ଡ.ଜଗନ୍ନାଥ କୁଅଁର ଏବଂ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ପ୍ରଗତୀ ଶର୍ମା, ଗୋପାଳ ଚନ୍ଦ୍ର ବାରିକ, ନୀଳିମା ନାୟକ ପ୍ରମୁଖ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ଓ ଶିକ୍ଷା ବିଭାଗର ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପକ୍ଷରୁ ଅତିଥି ମାନଙ୍କୁ ଫୁଷ୍ପଗୁଛ ଚାରା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିିତ କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଛାତ୍ରଛାତ୍ରୀ ପୁଷ୍ପମାଲ୍ୟ ଓ ଉପହାର ଦେଇ ଗୁରୁପୂଜନ ସହ ଆର୍ଶିବାଦ ଭିକ୍ଷା ଲାଭ କରିଥିଲେ। ଶେଷରେ ଶିକ୍ଷକ ଓ ଶିକ୍ଷା ବିଭାଗ ଛାତ୍ର ଭାଗବତ ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
କେନ୍ଦୁଝରଗଡ଼଼: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡ଼ରେ ମଙ୍ଗଳବାର ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭା ପ୍ରାରମ୍ଭରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସହ ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଚାର୍ଯ୍ୟ ଦୟାନିଧି ମହାନ୍ତ, ଦେବାଶିଷ ସାମଲ, ଲମ୍ବୋଦର ମହାନ୍ତ, ବିଜୟିନୀ ଦେବୀ, ଦୀନବନ୍ଧୁ ମହାକୁଡ ପ୍ରମୁଖ ବିଦ୍ୟାଳୟରେ ସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ଫମାଲ୍ୟ ଅର୍ପଣ କରିଥିଲେ। ଡ. ରାଧାକ୍ରୀଷ୍ଣନଙ୍କ ବିଷୟରେ ବକ୍ତବ୍ୟରେ ଗୁରୁ କିପରି ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛନ୍ତି ସେ ସମ୍ପର୍କରେ ପ୍ରଥମେ ଛାତ୍ରଛାତ୍ରୀ ଓ ପରେ ଆଚାର୍ଯ୍ୟ ଆଚାର୍ଯ୍ୟା ଅଭିଭାଷଣ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ ପୁଷ୍ପଚନ୍ଦନ ଦେଇ ଗୁରୁ ପୂଜନ ସହ ଆର୍ଶିବାଦ ଲାଭ କରିଥିଲେ।
କେନ୍ଦୁଝରଗଡ଼଼: ବଣିଆପାଟସ୍ଥିତ ଲର୍ଡ ଜଗନ୍ନାଥ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ମଙ୍ଗଳବାର ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭା ପ୍ରାରମ୍ଭରେ ଅବରପ୍ରାପ୍ତ ପ୍ରାଧ୍ୟାପକ ଡ.ବିମ୍ବାଧର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତର ରାଷ୍ଟ୍ରପତି ସ୍ୱଗତଃ ଡ. ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ ଅବସରରେ ଗୁରୁଦିବସର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ସଦାଶିବ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁରୁଦିବସ ପାଳନର ମହତ୍ତ୍ୱ ସମ୍ପର୍କରେ ଅଭିଭାଷଣ ରଖି ଗୁରୁ-ଶିଷ୍ୟ ପବିତ୍ର ପରମ୍ପରା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଦ୍ୱିତୀୟବର୍ଷ ଛାତ୍ର ପ୍ଳାବନ ବେହେରା ଓ ଇଶ୍ୱରଜିତ ନାଏକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟକ୍ଷ ସୁବ୍ରତ କୁମାର ପଟ୍ଟନାୟକ, ଅଧ୍ୟାପକ ରାଜକିଶୋର ମହାନ୍ତ, ବିଜୟ କୁମାର ରଣା, କାବୁ ସାହୁ, ଅଧ୍ୟାପିକା ସୁଶ୍ରୀ ମୀରା ମିଶ୍ର, ନନ୍ଦିନୀ ପ୍ରଧାନ, ଅଞ୍ଜଳି ବେହେରା, ଲକ୍ଷ୍ୟଜିତ ମହାପାତ୍ର, ଜୟନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ଗୁରୁଦିବସ ପାଳନର ମହନୀୟ ପରମ୍ପରା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ନବଧୀ’ର ଦ୍ୱିତୀୟ ସଂସ୍କରଣ ବିଦ୍ୟାଳୟ ପରିଚାଳନା ସମିତିର ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ନାଥଶର୍ମା ଓ ତପନ କୁମାର ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପରିଶେଷରେ ଛାତ୍ରଛାତ୍ରୀଙକ ଦ୍ୱାରା ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙକୁ ଫୁଲଚନ୍ଦନ ଦେଇ ଗୁରୁପୂଜନ ସହ ଆର୍ଶିବାଦ ଭିକ୍ଷା କରିଥିଲେ।
କେନ୍ଦୁଝରଗଡ଼଼: ପୁରୁଣାବଜାର ସିଦ୍ଧମଠସ୍ଥିତ ବେଦ ବିଦ୍ୟାଳୟରେ ମଙ୍ଗଳବାର ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଡ.ବିଜୟ କୁମାର ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ନିମାଇଁ ଚରଣ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ପବିତ୍ର ଗୁରୁ-ଶିଷ୍ୟ ମହାନ ପରମ୍ପରା ସମ୍ପର୍କରେ ଆଲୋକପାତ କରି ଛାତ୍ରମାନଙ୍କୁ ନିଜର ଲକ୍ଷ୍ୟ ହାସଲ ପାଇଁ ସର୍ବଦା ଚେଷ୍ଟିତ ହେବାକୁ ଆହ୍ୱାନ ଦେଇଥିଲେ। ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ମଧୁସୂଦନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ସମସ୍ତ ଅଧ୍ୟାପକ ଓ ଅତିଥି ମାନଙ୍କୁ ଗୁରୁପୂଜନ ସହ ଆର୍ଶିବାଦ ଭିକ୍ଷା ଲାଭ କରିଥିଲେ। ଗୁରୁଦିବସର ମହତ୍ତ୍ୱ ସମ୍ପର୍କରେ ଛାତ୍ର ରଶ୍ମୀରଞ୍ଜନ ତ୍ରିପାଠୀ, ସ୍ନେହାଶିଷ ପଣ୍ଡା, ଶୈଲଜନାଥ ପଣ୍ଡା, ସତ୍ୟବ୍ରତ ମିଶ୍ର, ତାପସ ଦାଶ, ଚନ୍ଦ୍ରଶେଖର ଦାଶ, ପ୍ରତ୍ୟୁଷ ରଞ୍ଜନ ମିଶ୍ର, ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ନିଜ ନିଜ ଅଭିବ୍ୟକ୍ତି ପ୍ରଦାନ ସହ ଗୁରୁଙ୍କ ପ୍ରତି ସର୍ବଦା ଅନୁରକ୍ତି ପ୍ରଦର୍ଶନ ପାଇଁ ଶପଥ ନେଇଥିଲେ। ପ୍ରାରମ୍ଭରେ ଛାତ୍ରମାନଙ୍କ ଦ୍ୱାରା ସାମୂହିକ ଗୁରୁବନ୍ଦନା ପାଠ କରାଯାଇଥିଲା। ପରିଶେଷରେ ଅଧ୍ୟାପକ ପଣ୍ଡିତ ଶେଷଦେବ ପାଣିଗ୍ରାହୀ, ପଣ୍ଡିତ ଆଶୁତୋଷ ମିଶ୍ର, ପଣ୍ଡିତ ସୁଶାନ୍ତ କୁମାର ଆଚାର୍ଯ୍ୟ, ରୋହିତ କୁମାର ଜେନା, ମିଲନ ପେରେଇ ପ୍ରମୁଖ ଗୁରୁ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରମାନଙ୍କୁ ଆର୍ଶିବଚନ କରିଥିଲେ।
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହଠାରେ ଅନୁଷ୍ଠିତ ଏହି ସଭାରେ ସଂଘର ସଭାପତି ନବକିଶୋର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଫୁଲବାଣୀ ବିଇଡି କଲେଜର ଅଧ୍ୟକ୍ଷ ଆଶିଷ ପଟେଲ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିକ୍ଷକ ମାନେ ସମାଜର ଶ୍ରଷ୍ଠା ସେମାନେ ଶିକ୍ଷା ପ୍ରଦାନ କରିବା ସହିତ ସାରା ଜୀବନ ଧରି ଶିଖିବାର ମାନସିକତା ରଖିବା ଆବଶ୍ୟକ, ଶିକ୍ଷକ ମାନେ ଅବସର ନେବାପରେ ମଧ୍ୟ ଶିକ୍ଷା ପ୍ରଦାନ କରିବା ଦିଗରେ କାର୍ଯ୍ୟରତ ହେବା ଉଚିତ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ କବି ତଥା ପ୍ରଶିକ୍ଷକ ଡ.ନୃସିଂହାନନ୍ଦ ମହାପାତ୍ର, ଶିକ୍ଷକ ମାନେ କେବଳ ଶିକ୍ଷା ଦାନ ସମ୍ପର୍କିତ ବିଷୟରେ ନିଜକୁ ସୀମିତ ନ ରଖି ସବୁ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବା ସହିତ, ଆବଶ୍ୟକ ସ୍ଥଳେ ଶିକ୍ଷା ପ୍ରଦାନ ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କହିବା ସହିତ ଅଧ୍ୟାତ୍ମିକ ଜ୍ଞାନ ଏବଂ ଧର୍ମ ଚର୍ଚ୍ଚା ବାବଦରେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ସଂଘର ସହ ସମ୍ପାଦକ ବଂଶୀଧର ପଣ୍ଡା ପରିଚାଳନା କରିଥିବା ବେଳେ ସମ୍ପାଦକ ଶରତଚନ୍ଦ୍ର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ସାମିଲ୍ ଥିବା ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହା ସହିତ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଅଶୋକ କୁମାର ମହାନ୍ତି ଓ ଆଦିତ୍ୟପ୍ରସାଦ ତ୍ରିପାଠୀଙ୍କୁ ସେମାନଙ୍କର ସମାଜ ପ୍ରତି ଉତ୍ସର୍ଗିକୃତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଂଘର ଉପସଭାପତି ମନୋରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ କରୁଣାକର ସାହୁ ଏବଂ କାର୍ଯ୍ୟକାରୀ ସଦସ୍ୟ ଅନନ୍ଦ ସ୍ୱାଇଁ, ଭୀମସେନ ମିଶ୍ର, ମଧୁସୁଧନ ସାହୁ, ଅରୁଣ କୁମାର ମହାନ୍ତି, ନାରାୟଣ ନାୟକ, ପ୍ରଭୁଚରଣ ପ୍ରଧାନ, ଅନନ୍ତକିଶୋର ଦାସ, ଶ୍ୟାମବନ୍ଧୁ ମହାରଣା, ଶିଶିର କୁମାର ମହାନ୍ତି ଏବଂ ନିମାଇଁଚରଣ ପରମାଣିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଜିଲାର ବିଭିନ୍ନ ବ୍ଳକର ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ।



