www.samajalive.in
Monday, December 15, 2025
17.1 C
Bhubaneswar

ଗୋପବନ୍ଧୁ ବିଜ୍ଞାନ କଲେଜର ୬୧ତମ ପ୍ରତିଷ୍ଠା ଦିବସ

ଆଠଗଡ଼: କଟକ ଜିଲ୍ଲାର ଅନ୍ୟତମ ପୁରାତନ ଓ ଐତିହ୍ୟ ସଂପନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ ବିଜ୍ଞାନ କଲେଜର ୬୧ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। କଲେଜର ଦୃଶ୍ୟଶ୍ରାବ୍ୟ ପ୍ରେକ୍ଷାଗୃହରେ କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ଡେପ୍ୟୁଟି କଲେକ୍ଟର ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଦିପ୍ତୀମୟୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ମନୋଭାବ ଓ ଜ୍ଞାନ ଆହରଣର ଜିଜ୍ଞାସା ନେଇ ଶିକ୍ଷା ଗ୍ରହଣ କଲେ ସଫଳତା ଅବଶ୍ୟମ୍ଭାବୀ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷା ସହିତ ବିଦ୍ୟାର୍ଥୀ ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ହେବା ଆବଶ୍ୟକ ବୋଲି ସେ ମତପୋଷଣ କରିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ସଂଘର ସଂପାଦିକା ଅଧ୍ୟାପିକା ଦମୟନ୍ତୀ ପରିଡ଼ା, ସଭାପତି ପ୍ରତାପ କେଶରୀ ଖାଟୋଇ, ପ୍ରତିଷ୍ଠା ଦିବସ ପାଳନ କମିଟି ସଂଯୋଜକ ଅଧ୍ୟାପିକା ଡଃ ଗାୟତ୍ରୀ ତ୍ରିପାଠୀ, ଅଧ୍ୟାପକ ଗୌତମବୁଦ୍ଧ ସୀତାରାମ ପ୍ରମୁଖ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନାମରେ ନାମିତ ଏହି ମହାବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜକୁ ଗର୍ବିତ ଅନୁଭବ କରିବା ସହ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଲାଗି ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟଅତିଥି ଶ୍ରୀମତୀ ବେହେରା, କଲେଜ ଅଧ୍ୟକ୍ଷ ଡଃ ସାହୁ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା କଲେଜ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ତାଙ୍କ ପ୍ରିୟ ଶିଷ୍ୟ ତଥା କଲେଜର ପ୍ରତିଷ୍ଠାତା ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସକାଳେ କଲେଜର ଏନଏସଏସ, ଏନସିସି, ଯୁବ ରେଡକ୍ରସ ଏବଂ ସ୍କାଉଟ ଗାଇଡ ପକ୍ଷରୁ କଲେଜ ପରିସରରେ ବ୍ୟାପକ ଚାରା ରୋପଣ କରାଯାଇଥିଲା। ଏହି ଅବସରରେ +୩ ଓ +୨ର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ପ୍ରଣବ ଦାସ, ଦେବାଶିଷ ପଟ୍ଟନାୟକ, ଦେବେଶ ନନ୍ଦନ ରଥ, ଲଳିତେନ୍ଦୁ ପଟ୍ଟନାୟକ, ଦେବାଶିଷ ସାହୁ, ସିନ୍ମୟ ସାହୁ, ଡଃ ଚିତ୍ରସେନ ରାଉତ, ଡଃ ଦିବ୍ୟଶକ୍ତି ସାମନ୍ତରାୟ, ସତ୍ୟରଞ୍ଜନ ପ୍ରଧାନ, ସୌମ୍ୟକାନ୍ତ ସେନାପତି, ଯଶରଞ୍ଜନ ପୋଢ, ଅମିତ୍‌‌ କୁମାର ଭୋଷ, ଅନିରୁଦ୍ଧ ସେନାପତି, ଅଧ୍ୟାପିକା ସସ୍ମିତା ଖାଲକୋ, ସୁଶ୍ରୀ ସେନାପତି, ସସ୍ମିତା ହୋତା ପ୍ରମୁଖ ଚାରା ରୋପଣ ସହିତ ପ୍ରତିଷ୍ଠା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଡଃ ଚିତ୍ତରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories