ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜରି (ପ୍ଲାଷ୍ଟିକ)ରୁ ନିର୍ମିତ ସାମଗ୍ରୀ ଗୁଡିକର ବ୍ୟବହାର ଓ ବିକ୍ରିକୁ ନିଗମ କତ୍ତୃପକ୍ଷ ପକ୍ଷରୁ ନିଷିଦ୍ଧ କରାଯାଇଛି। ଏହା ସତ୍ୱେ ବଜାର ଗୁଡିକରେ ବ୍ୟାପକ ମାତ୍ରାରେ ଜରି ବ୍ୟାଗ ଗୁଡିକର ବ୍ୟବହାର ଦେଖିବାକୁ ମିଳୁଛି। ତେବେ କେତେବେଳେ କେମିତି ନିଗମ କତ୍ତୃପକ୍ଷ ଚଢ଼ଉ କରି କିଛିଟା ଜରିମାନା ଆଦାୟ କରି କାର୍ଯ୍ୟ ଶେଷ କରିଦେଉଛି। ବୁଧବାର ଅଚାନକ ନିଗମ କର୍ତୃପକ୍ଷ ପିରବାବା ଛକ, ନୟାପଡ଼ା, ଗୋଲବଜାର ଓ ଗୋବିନ୍ଦତୋଲା ଅଞ୍ଚଳରେ ୮ଟି ଦୋକାନ ଗୁଡିକୁ ଚଢ଼ଉ କରି ସମୁଦାୟ ୨୫ ହଜାର ଟଙ୍କା ଆଦାୟ ସହିତ ବିପୁଳ ମାତ୍ରାରେ ଜରି ଜବତ କରିଛନ୍ତି।
ଚଢ଼ଉ ସମୟରେ ଜରି ନିର୍ମିତ ସାମଗ୍ରୀ ଯଥା ଥଳି, ଗ୍ଲାସ ଆଦି ଜବତ କରାଯାଇଛି। ପ୍ରଦୂଷଣ ବିଭାଗ ଓ ନିଗମ କତ୍ତୃପକ୍ଷ ପକ୍ଷରୁ ମିଳିତ ଭାବରେ ଏହି ଚଢ଼ଉ କରାଯାଇଥିଲା ବୋଲି ସୂଚନା ପ୍ରଦାନ କରାଯାଇଛି। ମହାନଗର ନିଗମ ପକ୍ଷରୁ ଗତ ଆର୍ଥିକ ବର୍ଷରେ ସମୁଦାୟ ୨ ଲକ୍ଷ ୪୫ ହଜାର ୬ ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଗତ ଏପ୍ରିଲ ମାସରୁ ଏ ପର୍ଯ୍ୟନ୍ତ ୫୨ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।



