ତିଗିରିଆ: ତିଗିରିଆ ଗଡ଼ଜାତର ଆରାଧ୍ୟ ଦେବତା ପ୍ରଭୁ ପ୍ରସନ୍ନମଣିଙ୍କର ଚଳିତ ୨୦୨୩ ମସିହା ଘୋଷଯାତ୍ରାକୁ ସୂଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ତହସିଲଦାର ପ୍ରମୋଦ କୁମାର ବାସ୍କେଙ୍କ ଅଧ୍ୟକ୍ଷତାରେ ତିଗିରିଆ ତହସିଲ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମାପନ କରିବା ପାଇଁ ବୈଠକରେ ସବିଶେଷ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ଚଳିତ ବର୍ଷ ଜୁନ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ୧୯ ତାରିଖରେ ନେତ୍ରୋତ୍ସବ, ୨୦ ତାରିଖରେ ଶ୍ରୀ ଗୁଣ୍ଡିଚା, ୨୪ ତାରିଖରେ ହେରାପଞ୍ଚମୀ, ୨୯ ତାରିଖରେ ବାହୁଡା ଯାତ୍ରା ଓ ସୁନାବେଶ ଅନୁଷ୍ଠିତ ହେବ। ରଥଯାତ୍ରା ସମୟରେ ବିଭିନ୍ନ ବିଭାଗ ଉପରେ ନ୍ୟସ୍ତ ଥିବା ଦାୟିତ୍ଵଗୁଡିକୁ ସଠିକ ଭାବେ ସମ୍ପାଦନ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତାଘାଟ ମରାମତି, ପାନୀୟଜଳ ଯୋଗାଣ, ଆଲୋକ ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ସ୍ଵାସ୍ଥ୍ୟ ଓ ଆଇନ ଶୃଙ୍ଖଳା ସମ୍ପର୍କରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ଦାୟିତ୍ଵକୁ ନିର୍ବାହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ପ୍ରଭୁ ଶ୍ରୀ ପ୍ରସନ୍ନମଣିଙ୍କର ମନ୍ଦିର ପରିଚାଳନା ଟ୍ରଷ୍ଟି ଲଳିତକୃଷ୍ନ ଦାସ, ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା, ଅଗ୍ନିଶମ ଅଧିକାରୀ ପ୍ରତାପ ବେହେରା, ତିଗିରିଆ ନିଜିଗଡ଼ ସରପଞ୍ଚଙ୍କ ପ୍ରତିନିଧି ରାଜା ଆଦିତ୍ୟ ପ୍ରସାଦ ମହାନ୍ତି, ନୂଆପାଟଣା ସରପଞ୍ଚ ସୋମନାଥ ଦାସ, ଗଦାଧରପୁର ସରପଞ୍ଚ ପୁଷ୍ପିତା ସ୍ଵାଇଁ, ଶାରୀରିକ ଯୋଗ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ କୁମାର ପ୍ରଧାନ, ତିଗିରିଆ ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣ ସହାୟକ ଯନ୍ତ୍ରୀ ସଞ୍ଜୟ କୁମାର ସାହୁ, ତିଗିରିଆ ତହସିଲର ବରିଷ୍ଠ କିରାଣୀ ସରୋଜ ମହାନ୍ତି, ବିନ୍ଧାଣୀମା ସମିତି ସଭ୍ୟ ସୋନାଲି ସେଠ, ବରିଷ୍ଠ ସେବାୟତ ବ୍ରଜ କିଶୋର ଦାଶ, ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ।



