www.samajalive.in
Monday, December 15, 2025
15.1 C
Bhubaneswar

ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ସମ୍ବଲପୁର: ସମ୍ବଲପୁର ଜବରଦଖଲକାରୀଙ୍କ ଭୂସ୍ୱର୍ଗ ରୂପେ ପରିଚିତ। ତେବେ ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ଟାଉନ ଥାନା ସମ୍ମୁଖରେ ଥିବା ସାହୁ କଲୋନୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ମଙ୍ଗଳବାର କରାଯାଇଛି। ବେଆଇନ ଭାବରେ ସମ୍ବଲପୁର ସହରର କେନ୍ଦ୍ରସ୍ଥଳିରେ ଗଢ଼ି ଉଠିଥିବା ସାହୁ କଲୋନୀ ଠାରେ ଅନେକ ବର୍ଷ ଧରି ରହିଥିବା ବସ୍ତିରେ ନିଶା କାରବାର ସମେତ ଅପରାଧିକ କାର୍ଯ୍ୟକଳାପ ଗତିବିଧି ହେଉଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଏଥି ପାଇଁ ପୂର୍ବରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ବାରମ୍ବାର ଅଞ୍ଚଳବାସୀଙ୍କୁ ନୋଟିସ ଦିଆଯିବା ସତ୍ୱେ ସେଠାରେ ରହୁଥିବା ଜବରଦଖଲକାରୀ ମାନେ ବସ୍ତି ଖାଲି କରୁ ନ ଥିବାରୁ ଆଜି ମହାନଗର ନିଗମ ଅଧିକାରୀ, ମାଜିଷ୍ଟ୍ରେଟ ଓ ପୁଲିସ ଏସଡିପିଓ ଙ୍କ ଉପସ୍ଥିତିରେ ୧ ପ୍ଲାଟୁନ ପୁଲିସ ମୃତୟନ କରାଯାଇ ଜବରଦଖଲ କୁ ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ ସମୟରେ ବସ୍ତି ଅଞ୍ଚଳର ବାସିନ୍ଦା ମାନେ ଏହାକୁ ବିରୋଧ କରିଥିବାରୁ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। କିନ୍ତୁ ଶେଷରେ ପ୍ରଶାସନ ପ୍ରଥମ ଦିନରେ ୧୫ଟି ଘରକୁ ଉଚ୍ଛେଦ କରିବାରେ ସଫଳ ହୋଇଛି। ସହରାଞ୍ଚଳରେ ଅବୈଧ୍ୟ କାର୍ଯ୍ୟକଳାପ, ବିଭିନ୍ନ ପ୍ରକାରର ବେଆଇନ କାରବାର ଆଦିକୁ ରୋକିବା ପାଇଁ ଅନେକ ଦିନରୁ ଏହି ଅଞ୍ଚଳରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରବାସୀ ଦାବି କରି ଆସୁଥିଲେ। ଏଣୁ ଆଜି ଜିଲା ପ୍ରଶାସନ, ମହାନଗର ନିଗମ ଓ ପୁଲିସ ବିଭାଗ ମିଳିତ ଭାବରେ ସାହୁ କଲୋନୀ ଅଞ୍ଚଳରେ ଜୋରଦାର ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛନ୍ତି। ନିଗମ କତ୍ତୃପକ୍ଷର ୨ଟି ବୁଲଡୋଜର ଅବୈଧ୍ୟ ରୁପେ ନିର୍ମିତ ୧୫ଟି ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ବେଳେ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ଅଞ୍ଚଳରେ ୩୦ରୁ ଉର୍ଦ୍ଧ ବେଆଇନ ଘରକୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି। ଜବରଦଖଲ ଉଚ୍ଛେଦ ଅଭିଯାନର ପ୍ରଥମ ଦିବସରେ ସାହୁ କଲୋନୀ ରାସ୍ତାରେ ଉଚ୍ଛେଦ କରାଯାଇଛି। ଉଚ୍ଛେଦ କରାଯାଉଥିବା ସ୍ଥାନ ଗୁଡିକରେ ଆଗାମୀ ଦିନରେ ଉଠା ଦୋକାନୀ ମାନଙ୍କୁ ଥଇଥାନ କରାଯିବା ଭେଣ୍ଡିଂ ଜୋନ ସହିତ ପାର୍କିଂ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ନିଗମ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୦ ତାରିଖରେ ଏହି ଅଞ୍ଚଳର ଝୁପୁଡିପଡ଼ା ଅଞ୍ଚଳରେ ୩ ଦିନ ଧରି ଜବରଦଖଲ ଉଚ୍ଛେଦ ପରେ ଏହି ଅଞ୍ଚଳରେ ନିୟମିତ ବଜାର ବସିବା ପାଇଁ ପିଣ୍ଡି, ରାସ୍ତା ପ୍ରଶସ୍ତିକରଣ ପାଇଁ ବିଭିନ୍ନ କାର୍ଯ୍ୟ ଜାରି ରହିଛି। ଏହି ଅଞ୍ଚଳରେ ଅଗ୍ନିଶମ ବିଭାଗର ପାଚେରୀ ପଟରୁ ରାସ୍ତା ନିର୍ମାଣ ହୋଇ ଧୋବିଯୋର ନାଳା କଡ ଦେଇ ସାହୁ କଲୋନୀ ପର୍ଯ୍ୟନ୍ତ ଯାଇ ପୁର୍ନବାର ମୁଖ୍ୟ ରାସ୍ତାକୁ ସଂଯୋଗ ହେବ। ଜବରଦଖଲ ହୋଇ ରହିଥରବା ଏକ ବିସ୍ତୃତ ଅଞ୍ଚଳରେ ଦୈନିକ ବଜାର, ମାଛ ବଜାର, ଶୌଚାଳୟ, ପାର୍କିଂ ସମେତ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛ। ଅପରପକ୍ଷରେ ଏହି ଅଞ୍ଚଳରେ ଅବୈଧ୍ୟ ରୂପେ ଗଞ୍ଜେଇ, କଫ ସିରଫ, ନିଶା ବଟିକା, ବ୍ରାଉନ ସୁଗାର ଆଦି ମାରାତ୍ମକ ନିଶା ଦ୍ରବ୍ୟ କାରବାର ଭୂସ୍ୱର୍ଗ ପାଲଟି ଯାଇଥିବାର ବାରମ୍ବାର ଅଭିଯୋଗ ହୋଇ ଆସିଛି। ଏଣୁ ଜିଲା ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ସହିତ ବିକାଶମୂଳକ କାର୍ଯ୍ୟ କରୁଥିବାର ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories