ନୂଆଦିଲ୍ଲୀ : ଦେଶବ୍ୟାପୀ ସମ୍ପୂର୍ଣ୍ଣ ଲକଡାଉନ କାରଣରୁ ଭାରତରେ କରୋନାର ସମୁହ ସଂକ୍ରମଣ ବିଶେଷ ପରିଲକ୍ଷିତ ହୋଇନାହିଁ। ଆମେରିକା ଏବଂ ୟୁରୋପ ତୁଳନାରେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ କମ୍ ରହିଛି। ଲକଡାଉନ ଅବଧି ସରି ଆସୁଥିବା ବେଳେ ଆଗାମୀ ତିନି ଦିନ ଭାରତ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି ସ୍ବାସ୍ଥ୍ୟ ଗବେଷକମାନେ ମତ ଦେଇଛନ୍ତି।
ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦର ପୂର୍ବତନ ମହାନିର୍ଦେଶକ ସମୀର କୁମାର ବ୍ରହ୍ମଚାରୀ କହିଛନ୍ତି, ଭାରତରେ ସଂକ୍ରମଣ ହାର କମ୍ ରହିଛି ବୋଲି ଦମ୍ଭର ସହିତ କହିବା ଲାଗି ଏହି ତିନି ଦିନ ଅପେକ୍ଷା କରିବାକୁ ହେବ। ବିଶେଷକରି ଧରାବି ବସ୍ତି ପାଇଁ ଏହା ପରୀକ୍ଷାର ସମୟ। ଯଦି ଏଠାରେ ସଂକ୍ରମଣ ବିସ୍ଫୋରକ ରୂପ ନ ନିଏ ତା’ହେଲେ ବୁଝିବାକୁ ହେବ ଯେ ଏଠାରେ ହାଇଜିନ୍ ହାଇପୋଥେସିସ୍ ବା ଅପରିସ୍କାର ସ୍ଥାନରେ ବାସ କରୁଥିବା ଲୋକଙ୍କ ଶରୀରରେ ସ୍ବତଃ ରୋଗପ୍ରତିଷେଧକ ଶକ୍ତି ସୃଷ୍ଟି ହେବା ପ୍ରକ୍ରିୟା କାମ ଦେଉଛି। ଭାରତରେ ଏଯାବତ୍ ଆମେରିକା ଓ ୟୁରୋପ ଭଳି ସ୍ଥିତି ଉପୁଜି ନ ଥିବା ନେଇ ବୈଜ୍ଞାନିକମାନେ ଦୁଇଟି ସମ୍ଭାବ୍ୟ କାରଣ ଦର୍ଶାଇଛନ୍ତି। ପ୍ରଥମତଃ ଉଷ୍ମ ଜଳବାୟୁ ଏବଂ ଦ୍ବିତୀୟରେ ବିଦେଶରୁ ଆସୁଥିବା ଲୋକଙ୍କ ଠାରେ କରୋନା ସଂକ୍ରମଣର ଲକ୍ଷଣ ପରୀକ୍ଷା କରି ସେମାନଙ୍କୁ ଓ ସେମାନଙ୍କ ପରିବାର ଲୋକଙ୍କୁ ଅନୁଧ୍ୟାନରେ ରଖାଯିବା ଦ୍ବାରା ଅନ୍ୟ ଭାରତୀୟମାନଙ୍କୁ ସୁରକ୍ଷା ମିଳିପାରିଛି।
ଅନ୍ୟପଟେ ଭାରତୀୟ ଭେଷଜ ଗବେଷକମାନେ କୋଭିଡ-୧୯ ରୋଗର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରୁଛନ୍ତି। ଉଦାହରଣ ସ୍ବରୁପ ଭାରତୀୟ ଭେଷଜ ଗବେଷଣା ପରିଷଦ ନିକଟରେ ରୋଗ ଚିହ୍ନଟ କରିବା ଲାଗି ସେରୋଲୋଜିକାଲ ପରୀକ୍ଷା ଉପରେ କଟକଣା ଲାଗୁ କରିଛି। ମାତ୍ର ସଂକ୍ରମଣ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ଲାଗି ଏହି ପରୀକ୍ଷାର ଆବଶ୍ୟକତା ରହିଥିବା କିଛି ଗବେଷକ ମତ ଦେଇଛନ୍ତି।
ଏବେ ସରକାର ଲକ୍ଡାଉନ୍ ସମୟସୀମା ବୃଦ୍ଧି କରିବା ଉପରେ ବିଚାର କରୁଥିବା ବେଳେ ଏହା ଦେଶରେ ସଂକ୍ରମଣ ହାର ହ୍ରାସ କରିବାରେ ସହାୟକ ହୋଇପାରିଛି ବୋଲି ଗବେଷକମାନେ ସ୍ବୀକାର କରିଛନ୍ତି। ହେଲଥ ସିଷ୍ଟମ୍ସ ଟ୍ରାନ୍ସଫରମେସନ ପ୍ଲାଟଫର୍ମର ଟେକ୍ନିକାଲ ପରାମର୍ଶଦାତା ଦେବଦାସନ କହିଛନ୍ତି ଯଦିଓ ହଜାରହଜାର ଶ୍ରମିକ ନିଜ ରାଜ୍ୟକୁ ଫେରିବା ଦ୍ବାରା ଲକ୍ଡାଉନ୍ ପାଳନରେ କିଛିଟା ଢିଲା ହୋଇଥିଲା ତଥାପି ସରକାର ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ ସ୍ବରୂପ ଏହାକୁ କାର୍ଯ୍ୟକାରୀ କରିବା ଉଚିତ। ସମ୍ଭବତଃ ଏହାଦ୍ବାରା ସଂକ୍ରମଣ ରୋକାଯାଇପାରିବ। ସାମାଜିକ ଦୂରତ୍ବ ରକ୍ଷା ନିଶ୍ଚିତ ଭାବେ କାମ ଦେଉଛି। ନଚେତ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ୨୦୦୦ ଲେଖାଏଁ ବଢିପାରିଥାଆନ୍ତା ବୋଲି ସେ ଦର୍ଶାଇଛନ୍ତି।
ଶିବନାଦର ବିଶ୍ବବିଦ୍ୟାଳୟର ଦୁଇ ମେଧାବୀଙ୍କ ଦ୍ବାରା କରାଯାଇଥିବା ଏକ ସର୍ଭେ ଅନୁସାରେ ଯଦି ୮୦ରୁ୯୦% ଲୋକ ଲକଡାଉନକୁ କଡ଼ା ଅନୁପାଳନ କରନ୍ତି ତା’ହେଲେ ପ୍ରଥମ ଦିନରୁ ୨୦ତମ ଦିନ ମଧ୍ୟରେ କରୋନା ଲକ୍ଷଣ ପ୍ରକାଶ ପାଇଥିବା ଲୋକଙ୍କ ସଂଖ୍ୟା ୮୫% କମ୍ ରହିବ। ଯାହାକି ୩୦,୭୯୦ ପରିବେର୍ତ୍ତ କେବଳ ୩,୫୦୦ ମଧ୍ୟରେ ସୀମିତ ହେବ।



