www.samajalive.in
Sunday, December 14, 2025
17.1 C
Bhubaneswar

ଦିଲ୍ଲୀ ହିଂସା ନେଇ କମ୍ପିଲା ଲୋକସଭା ବିଜେପି-କଂଗ୍ରେସ ସଦସ୍ୟ ହାତାହାତି

ନୂଆଦିଲ୍ଲୀ,୨ା୩: ଦିଲ୍ଲୀ ହିଂସାକୁ ନେଇ ସୋମବାର ଲୋକସଭା କମ୍ପିଛି। କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗ ଉତ୍ଥାପନ କରିବା ସହ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବାରେ ବାଚସ୍ପତିଙ୍କୁ ବାରମ୍ବାର ଗୃହ ମୁଲତବୀ ରଖିବାକୁ ପଡ଼ିଛି। ତିନି ଥର ମୁଲତବୀ ରଖିବା ସତ୍ତ୍ବେ ବିଜେପି ଓ କଂଗ୍ରେସ ସଦସ୍ୟମାନଙ୍କ ମଧ୍ୟରେ ହାତାହାତି ଭଳି ଘଟଣା ଘଟିବାରୁ ବାଚସ୍ପତି ଓମ୍‌ ବିରଳା ମଙ୍ଗଳବାର ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲବତୀ ରଖିବାକୁ ବାଧ୍ୟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଶାସକ ଦଳ ପକ୍ଷରୁ କଂଗ୍ରେସ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଙ୍ଗଳବାର ସଂକଳ୍ପ ଆଗତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୋମବାର ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଶଶୀ ତରୁର ପ୍ରମୁଖ ପ୍ରବଳ ହୋହଲ୍ଲା କରିଥିଲେ। ହିଂସାକାଣ୍ଡର ନିନ୍ଦା ସହ ସେମାନେ ‘ଘୃଣା ମନ୍ତବ୍ୟ ବନ୍ଦ କର, ଦେଶ ବଞ୍ଚାଅ’ ଭଳି ବିଭିନ୍ନ ସ୍ଲୋଗାନ୍‌ ଦେଇ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ ଓ କଳା ପତାକା ପ୍ରଦର୍ଶନ କରିଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଥିଲେ। ଏଥିଯୋଗୁଁ ଗୃହର କାର୍ଯ୍ୟ ଚାଲିପାରି ନ ଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ୧୯୮୪ର ଦଙ୍ଗା ପାଇଁ କଂଗ୍ରେସକୁ ଦୋଷ ଦେଇଥିଲେ। ଏହି ସମୟରେ ବିଜେପିର ସଞ୍ଜୟ ଜୟସ୍ବାଲ ‘ବିବାଦ ସେ ବିଶ୍ବାସ’ ବିଧେୟକ ସମ୍ପର୍କରେ ବକ୍ତବ୍ୟ ରଖୁଥିଲେ। କଂଗ୍ରେସ ସଦସ୍ୟମାନେ ଶାସକ ଦଳ ଆସନ ନିକଟରେ ପହଞ୍ଚି କାଗଜପତ୍ର ଚିରିବା ସହ ଚୌକି ଫିଙ୍ଗିଥିଲେ।

ବିଜେପି ସଦସ୍ୟମାନେ ଏହାର ଜବାବ ଦେବାକୁ ଯାଇ କଂଗ୍ରେସ ସଦସ୍ୟଙ୍କୁ ଠେଲାପେଲା କରିଥିଲେ। ଉଭୟ ପକ୍ଷ ମଧ୍ୟରେ ମାର୍‌ପିଟ୍‌ ମଧ୍ୟ ହୋଇଥିଲା। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ପ୍ରମୁଖ ଗୃହରେ ଉପସ୍ଥିତ ଥିଲେ। ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ସ୍ମୃତି ଇରାନୀ ଉତ୍ତେଜନା ହ୍ରାସ ପାଇଁ ପ୍ରୟାସ ଚଳାଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ବାଚସ୍ପତି ଗୃହକୁ ଦ୍ବିତୀୟ ଥର ମୁଲତବୀ ରଖିଥିଲେ ଏବଂ ଅପରାହ୍ଣ ୩ଟାରେ ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ହେଲାବେଳକୁ ବିଜେପି ସଦସ୍ୟମାନେ କଂଗ୍ରେସ ସଦସ୍ୟଙ୍କୁ ଗୃହକୁ ପ୍ରବେଶ କରାଇ ଦେଇ ନ ଥିଲେ। କଂଗ୍ରେସ ସଦସ୍ୟା ରମ୍ୟା ହରିଦାସ ତାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ କରିବାରେ ଗୃହ ପରିଚାଳନା ଦାୟିତ୍ବରେ ଥିବା ବିଜେପିର ରମା ଦେବୀ ‘ଆପଣମାନେ ଯାହା କରିଛନ୍ତି ଭୁଲ୍‌’ ବୋଲି କହିବା ସହ ଗୃହକୁ ପୁନର୍ବାର ମୁଲତବୀ ଘୋଷଣା କରିଥିଲେ। ଏହା ସତ୍ତ୍ବେ ଉତ୍ତେଜନା ଥମି ନ ଥିଲା। ବିଜେପି ସଦସ୍ୟମାନେ ଅଧିକ ପାଟିତୁଣ୍ଡ କରିଥିଲେ; ଫଳରେ ବାଚସ୍ପତି ଗୃହକୁ ଆସନ୍ତା କାଲି ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଏହା ପୂର୍ବରୁ ହୋହଲ୍ଲା ମଧ୍ୟରେ ଦୁଇଟି ବିଧେୟକ ଗୃହରେ ଆଗତ ଓ ଗୋଟିଏ ବିଧେୟକ ଗୃହୀତ ହୋଇଥିଲା। ପରେ କଂଗ୍ରେସ ସଦସ୍ୟମାନେ ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories