www.samajalive.in
Saturday, December 6, 2025
14.1 C
Bhubaneswar

୫ଲକ୍ଷ ଭାରତୀୟଙ୍କୁ ମିଳିବ ନାଗରିକତ୍ବ

ନୂଆଦିଲ୍ଲୀ : ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ‌ ବାଇଡେନ୍‌ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବା ପରେ ଭାରତ-ଆମେରିକା ସମ୍ପର୍କ କିପରି ରହିବ ତାହା ଏବେ ଚର୍ଚ୍ଚାରେ ରହିଛି। ଭାରତ ପାଇଁ ବାଇଡେନ୍‌ ପ୍ରଶାସନର ମନୋଭାବ କିପରି ରହିବ ଏବଂ ଭାରତରେ ବାଇଡେନ୍‌ ପ୍ରଶାସନ କିଭଳି ପ୍ରଭାବ ପକାଇବ ସେନେଇ ପ୍ରଶ୍ନ ଉଠିଛି। ବାଇଡେନ୍‌ ୨ଟି କାର୍ଯ୍ୟକାଳରେ ବାରାକ୍‌ ଓବାମାଙ୍କ ଉପରାଷ୍ଟ୍ରପତି ଥିବାରୁ ସେ ଭାରତରେ ଜଣେ ଜଣାଶୁଣା ବ୍ୟକ୍ତିତ୍ବ। ବାଇଡେନ୍ ଉପରାଷ୍ଟ୍ରପତି ଥିବା ସମୟରେ ଆମେରିକା ପାଇଁ ଭାରତର ରାଷ୍ଟ୍ରଦୂତ ଥିଲେ ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ସେହିପରି ଆମେରିକା ପାଇଁ ଏବେ ଭାରତର ରାଷ୍ଟ୍ରଦୂତ ଥିବା ତରଣଜିତ ସିଂହ ସାନ୍ଧୁ ସେତେବେଳେ ଜୟଶଙ୍କରଙ୍କ ସହଯୋଗୀ ଥିଲେ। ସେହି ସମୟରୁ ବାଇଡେନଙ୍କ ପରାମର୍ଶଦାତାଙ୍କ ସହିତ ଜୟଶଙ୍କର ଦ୍ବିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିଆସିଛନ୍ତି। ତେଣୁ ବାଇଡେନ ପ୍ରଶାସନ ସହିତ ସମ୍ପର୍କ ଯୋଡିବାରେ ଭାରତ ପାଇଁ ସମସ୍ୟା ହେବ ନାହିଁ। ଏହା ସହିତ ଟ୍ରମ୍ପଙ୍କ ତୁଳନାରେ ବାଇଡେନଙ୍କ ମନୋଭାବକୁ ଆକଳନ କରିବା ଭାରତ ପାଇଁ ସହଜ ହେବ। ବାଇଡେନ କିଛି କ୍ଷେତ୍ରରେ ଟ୍ରମ୍ପ୍‌ଙ୍କୁ ଅନୁସରଣ କରିପାରନ୍ତି; କିନ୍ତୁ ଅନ୍ୟ କିଛି କ୍ଷେତ୍ରରେ ତାଙ୍କ ନୀତି ଭିନ୍ନ ହୋଇପାରେ। ପ୍ରତିରକ୍ଷା, ସୁରକ୍ଷା ଓ ଅନ୍ୟାନ୍ୟ ରଣନୀତିକୁ ନେଇ ଦୁଇ ଦେଶର ସମ୍ପର୍କ‌ ୨୦୦୦ ପର୍ଯ୍ୟନ୍ତ ଯେମିତି ଥିଲା ବାଇ‌ଡେନ୍‌ ପ୍ରଶାସନରେ ତାହା ଠିକ୍‌ ସେମିତି ରହିପାରେ। କିନ୍ତୁ ଚୀନ୍‌ ପ୍ରସଙ୍ଗରେ ବାଇଡେନ୍‌ଙ୍କ ଶିବିରରେ ଏକ ବିଭାଜନ ଦେଖିବାକୁ ମିଳିଥିବାରୁ ଏହା ଭାରତକୁ ପ୍ରଭାବିତ କରିପାରେ। ଅନ୍ୟପକ୍ଷେ ହ୍ବାଇଟ୍‌ ହାଉସ୍‌କୁ ଯିଏ ବି ନିର୍ବାଚିତ ହେ‌ଲେ ମଧ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ସମସ୍ୟା ଅତୁଟ ରହିବ ବୋଲି ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଥିଲା।
ବାଇଡେନ୍‌ ପ୍ରଶାସନ ଭାରତରେ ମାନବ ଅଧିକାର ଉଲ୍ଳଂଘନ ଅଭିଯୋଗ ଆଣିପାରେ। କାଶ୍ମୀର ପ୍ରସଙ୍ଗ‌ରେ ମଧ୍ୟ ଏହା ଭିନ୍ନ ମତ ରଖିପାରେ। ବାଇଡେନ୍‌ଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି କମଳା ହାରିସ୍‌। ଉଭୟ ବାଇଡେନ୍‌ ଏବଂ ହାରିସ୍‌ ଭାରତ ସଂକ୍ରାନ୍ତରେ ନୀତିଗତ ନିଷ୍ପତ୍ତି ନେବାରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବେ। ନିକଟରେ ବାଇଡେନ୍‌ଙ୍କର ଜଣେ ବରିଷ୍ଠ ପରାମର୍ଶଦାତା କହିଥିଲେ, ଭାରତକୁ ପ୍ରମୁଖ ସହଯୋଗୀ ଭାବେ ସାମିଲ ନ କଲେ ଆମେ କିଛି ସାଧାରଣ ବୈଶ୍ବିକ ଆହ୍ବାନର ସମାଧାନ କରିପାରିବା ନାହିଁ। ତେଣୁ ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ତେଣୁ ବାଇଡେନ୍‌ ପ୍ରଶାସନ ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେବ ବୋଲି କୁହାଯାଉଛି। ଚୀନ୍‌ ପ୍ରସଙ୍ଗରେ ଟିମ୍‌ ବାଇଡେନ୍‌ ବିଭାଜିତ। ତେଣୁ ଏହା ଆମେରିକା-ଭାରତ ଏବଂ ଭାରତ-ଚୀନ୍‌ ସମ୍ପର୍କକୁ ପ୍ରଭାବିତ କରିପାରେ। ବାଇଡେନ୍‌ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ଭାରତ ପ୍ରଶାନ୍ତମହାସାଗରୀୟ ରଣନୀତି ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନଥିଲା। ଏହି ଅଞ୍ଚଳ ଭାରତୀୟ ବିଦେଶୀ ନୀତିର ମୁଖ୍ୟ ହୋଇଥିବାରୁ ଏଥିପ୍ରତି ମଧ୍ୟ ଗୁରୁତ୍ବ ଦେବାକୁ ହେବ। ଭାରତ ଆମେରିକା ମଧ୍ୟରେ ଆରମ୍ଭରୁ ବାଣିଜ୍ୟିକ ସମସ୍ୟା ରହିଆସିଛି। ଓବାମାଙ୍କ ଶାସନ ସମୟରେ ମଧ୍ୟ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଅତି ତିକ୍ତ ହୋଇ ଉଠିଥିଲା। ଆଗକୁ ଏହା କିଭଳି ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ପ୍ରାୟ ୧କୋଟି ୧୦ଲକ୍ଷ ପ୍ରବାସୀଙ୍କୁ ନାଗରିକତ୍ବ ପ୍ରଦାନ କରିବାର ସମ୍ଭାବନା ରହିଛି। ଆମେରିକାର ନାଗରିକତ୍ବ ପାଇବାକୁ ଥିବା ପ୍ରବାସୀଙ୍କ ମଧ୍ୟରେ ୫ଲକ୍ଷ ଭାରତୀୟ ଅଛନ୍ତି। ଆମେରିକାରେ ବିଭିନ୍ନ ଦେଶର ପ୍ରାୟ ୧କୋଟି ୧୦ଲକ୍ଷ ପ୍ରବାସୀ ବେଆଇନ ଭାବେ ବସବାସ କରିଆସୁଛନ୍ତି। ଏହି ପ୍ରବାସୀଙ୍କୁ ହଟାଇବା ଉପରେ ଡୋନାଲ୍ଡ ଟ୍ରମ୍ପ ଗୁରୁତ୍ବ ଦେଇ ଆସୁଥିଲେ। କିନ୍ତୁ ବାଇଡେନ ଏମାନଙ୍କୁ ଆମେରିକାର ନାଗରିକତ୍ବ ପ୍ରଦାନ ନେଇ ନୀତି ନିର୍ଦ୍ଧାରଣ କରିଛନ୍ତି। ଏହା ସହିତ ଆମେରିକାକୁ ପ୍ରତିବର୍ଷ ୯୫ହଜାର ଶରଣାର୍ଥୀଙ୍କୁ ଆଶ୍ରୟ ଦେବାର ଯୋଜନା କରିଛନ୍ତି। ଏହା ସହିତ ବିଭିନ୍ନ ମୁସଲମାନ ରାଷ୍ଟ୍ରର ନାଗରିକଙ୍କ ଆମେରିକା ଆଗମନ ଉପରେ ଟ୍ରମ୍ପ ପ୍ରଶାସନ ଯେଉଁ କଟକଣା ଲାଗୁ କରିଥିଲେ ତାହା ପ୍ରତ୍ୟାହାର ହେବାର ସମ୍ଭାବନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories