ଏଣିକି ବର୍ଷକୁ ଦୁଇ ଥର ନିଟ୍ ଓ ଜେଇଇ
ନୂଆଦିଲ୍ଳୀ: ଏଣିକୁ ବର୍ଷକୁ ଦୁଇ ଦୁଇ ଥର ଅନୁଷ୍ଠିତ ହେବ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଓ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା(ନିଟ୍)। ସିବିଏସ୍ଇ ହାତରୁ ପରୀକ୍ଷା ପରିଚାଳନା ଦାୟିତ୍ୱ କାଢ଼ି ନିଆଯାଇ ନ୍ୟାଶ୍ନାଲ୍ ଟେଷ୍ଟିଂ ଏଜେନ୍ସି(ଏନଟିଏ)କୁ ଦିଆଯିବ। ଶନିବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦ୍କର ଏହା ଘୋଷଣା କରିଛନ୍ତି।
ଶ୍ରୀ ଜାଭେଦକରଙ୍କ ସୂଚନା ଅନୁଯାୟୀ, ଦେଶର ପ୍ରମୁଖ ଆଇଆଇଟି, ଆଇଆଇଏମ୍ ଓ ଇଞ୍ଜିନିୟରିଂ କଲେଜ୍ରେ ନାମ ଲେଖା ପାଇଁ ଅନୁଷ୍ଠିତ ଜେଇଇ ମେନ୍ ପ୍ରତିବର୍ଷ ଜାନୁଆରୀ ଓ ଏପ୍ରିଲ୍ରେ ଅନୁଷ୍ଠିତ ହେବ। ସେହିପରି ଡାକ୍ତରୀ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ନିଟ୍ ପରୀକ୍ଷା ପ୍ରତିବର୍ଷ ଫେବୃଆରୀ ଓ ମେ’ ମାସରେ ଅନୁଷ୍ଠିତ ହେବ। ସେହି ଦୁଇ ପରୀକ୍ଷା ମଧ୍ୟରୁ ଯେଉଁ ପରୀକ୍ଷାର ନମ୍ବର ଅଧିକ ଥିବ ତାହାକୁ ବିଚାରକୁ ନିଆଯିବ। ଏନଟିଏ ଦ୍ୱାରା ପରୀକ୍ଷା ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା।