ତାମିଲରେ ନିଟ୍‍ ଦେଇଥିବା ପରୀକ୍ଷାର୍ଥୀଙ୍କୁ ମିଳବ ଅନୁକମ୍ପାମୂଳକ ନମ୍ବର

0

ଚେନ୍ନାଇ : ତାମିଲ ଭାଷାରେ ଜାତୀୟ ଦକ୍ଷତା ଏବଂ ପ୍ରବେଶିକା ପରୀକ୍ଷା (ନିଟ୍‍) ଉତ୍ତର ଦେଇଥିବା ପରୀକ୍ଷାର୍ଥୀଙ୍କୁ ଅନୁକମ୍ପାମୂଳକ ୧୯୬ ନମ୍ବର ପ୍ରଦାନ କରାଯିବ। ଏ ନେଇ ମାଡ୍ରାସ୍‍ ହାଇକୋର୍ଟଙ୍କ ମଦୁରାଇ ପୀଠ ମଙ୍ଗଳବାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ)କୁ ନିର୍ଦେଶ ଦେଇଛନ୍ତି। ଏଥିସହ ୨ ସପ୍ତାହ ମଧ୍ୟରେ ନିଟ୍‍ ରାଙ୍କ ତାଲିକା ସଂଶୋଧନ କରିବାକୁ ହାଇକୋର୍ଟ ସିବିଏସ୍‍ଇକୁ ତାଗିଦ କରିଛନ୍ତି। ମେଡିକାଲ ନାମଲେଖା ପାଇଁ ଉଦ୍ଦିଷ୍ଟ ପରୀକ୍ଷାର ୪୯ଟି ଇଂରାଜୀ ପ୍ରଶ୍ନକୁ ତ୍ରୁଟିପୂର୍ଣ୍ଣ ଭାବେ ତାମିଲରେ ଅନୁବାଦ କରାଯାଇଥିବା ଜଣାପଡିଥିଲା। ଏ ସମ୍ବନ୍ଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ତ୍ରୁଟିପୂର୍ଣ୍ଣ ଅନୁବାଦ ଯୋଗୁ ଛାତ୍ରଛାତ୍ରୀମାନେ ପ୍ରଶ୍ନକୁ ନେଇ ଦ୍ୱନ୍ଦ୍ୱରେ ପଡିଥିଲେ। ଏଣୁ ସେମାନଙ୍କୁ କ୍ଷତିପୂରଣ ବାବଦ ଅନୁକମ୍ପାମୂଳକ ନମ୍ବର ଦେବାକୁ ଆବେଦନକାରୀ ତଥା ସିପିଆଇଏମ୍‍ ନେତା ଟି. କେ. ରଙ୍ଗରାଜନ ଦର୍ଶାଇଥିଲେ। ଏହି ଜନସ୍ୱାର୍ଥ ମାମଲା ବିଚାରଧୀନ ଥିବା ଜାଣି ମଧ୍ୟ ସିବିଏସ୍‍ଇ ପକ୍ଷରୁ ନିଟ୍‍ ଫଳାଫଳ ଘୋଷଣା କରାଯାଇଥିଲା। ଅନ୍ୟପଟେ ଅନୁବାଦରେ ତ୍ରୁଟି ହୋଇଥିଲେ ମଧ୍ୟ ପ୍ରଶ୍ନଗୁଡିକ ଅସ୍ପଷ୍ଟ ନ ଥିଲା ବୋଲି ସିବିଏସ୍‍ଇ ପକ୍ଷରୁ ଜୁଲାଇ ୬ରେ ଶୁଣାଣି ବେଳେ କାର୍ଟରେ ଯୁକ୍ତି ଦର୍ଶାଯାଇଥିଲା। ଏହାକୁ ନେଇ ହାଇକୋର୍ଟ ସିବିଏସ୍‍ଇକୁ ତୀବ୍ର ଭର୍ତ୍ସନା କରିଛନ୍ତି। ସଂଖ୍ୟାଗରିଷ୍ଠ ମତାମତକୁ ଭିତ୍ତି କରି କିଭଳି ତ୍ରୁଟିପୂର୍ଣ୍ଣ ଉତ୍ତରକୁ ସ୍ୱୀକାର କରାଯାଇପାରିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

Leave A Reply