www.samajalive.in
Saturday, December 6, 2025
17.1 C
Bhubaneswar

ବିରଳ ରାଜନେତା ନବୀନ ପଟ୍ଟନାୟକ

୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଏକ ଐତିହାସିକ ରାଜନୈତିକ ପରିବାରରୁ ଆସିଛନ୍ତି। ତାଙ୍କର ପିତା ବିଜୁ ପଟ୍ଟନାୟକ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ବୀର ଯୋଦ୍ଧା ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ। ତାଙ୍କର ମାତା ଜ୍ଞାନ ପଟ୍ଟନାୟକ ମଧ୍ୟ ଏକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲେ। ନବୀନଙ୍କର ଶିକ୍ଷା କଟକର ସେଣ୍ଟ ଜୋସେଫ୍ କନଭେଣ୍ଟରେ ଆରମ୍ଭ ହୋଇଥିଲା, ପରେ ସେ ଡେହରାଡୁନ୍‌ର ୱେଲହାମ୍ ବଏଜ୍ ସ୍କୁଲ୍ ଓ ଡୁନ୍ ସ୍କୁଲ୍‌ରେ ପଢ଼ିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରି ମାଲ୍ କଲେଜ୍‌ରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ନବୀନ ବାଲ୍ୟକାଳରେ ଇତିହାସ, ଚିତ୍ରକଳା ଓ କ୍ରୀଡ଼ାରେ ଅସାଧାରଣ ପ୍ରତିଭା ଦେଖାଇଥିଲେ। ରାଜନୀତିରୁ ଦୂରରେ ରହି ସେ ଲେଖକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ‘ଏ ସେକେଣ୍ଡ ପ୍ୟାରାଡାଇଜ୍: ଇଣ୍ଡିଆନ୍ କୋର୍ଟଲି ଲାଇଫ୍ ୧୫୯୦-୧୯୪୭’, ‘ଏ ଡେଜର୍ଟ କିଙ୍ଗଡମ୍: ଦି ରାଜପୁଟ୍ସ ଅଫ୍ ବିକାନେର୍’ ଓ ‘ଦି ଗାର୍ଡେନ୍ ଅଫ୍ ଲାଇଫ୍: ଆନ୍ ଇଣ୍ଟ୍ରୋଡକ୍ସନ୍ ଟୁ ଦି ହିଲିଙ୍ଗ୍ ପ୍ଲାଣ୍ଟ୍ସ ଅଫ୍ ଇଣ୍ଡିଆ’ ଭଳି ପୁସ୍ତକ ତାଙ୍କର ଗଭୀର ଚିନ୍ତନ ଓ ଭାରତୀୟ ସଂସ୍କୃତି ପ୍ରତି ଅନୁରାଗକୁ ପ୍ରତିଫଳିତ କରେ।

୧୯୯୭ରେ ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନ ରାଜନୀତିରେ ପାଦ ଥାପିଥିଲେ। ଆସ୍କା ସଂସଦୀୟ କ୍ଷେତ୍ରରୁ ଉପନିର୍ବାଚନରେ ବିଜୟୀ ହୋଇ ସେ ୧୧ତମ ଲୋକସଭାରେ ପହଞ୍ଚିଥିଲେ। ସେହି ବର୍ଷ ଡିସେମ୍ବରରେ ସେ ବିଜୁ ଜନତା ଦଳ (ବିଜେଡି) ଗଠନ କରି ପିତାଙ୍କ ସ୍ବପ୍ନକୁ ଆଗେଇ ନେବାକୁ ସଂକଳ୍ପବଦ୍ଧ ହୋଇଥିଲେ। ୧୯୯୮ ଓ ୧୯୯୯ରେ ଲୋକସଭା ନିର୍ବାଚନରେ ବିଜୟ ପରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟରେ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ସେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ଏହା ଥିଲା ଓଡ଼ିଶାର ଇତିହାସରେ ଏକ ନୂତନ ଯୁଗର ଆରମ୍ଭ। ୧୯୯୯ର ମହାବାତ୍ୟାର ଠିକ ପରେ ଗୋଟିଏ ବିଧ୍ୱସ୍ତ ଓଡ଼ିଶାର ଦାୟିତ୍ୱ ନେଇଥିଲେ ନବୀନ। ଗୋଟିଏ ପଟେ ମହାବତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ଓଡ଼ିଶାର ପୁନଃନିର୍ମାଣର ଦାୟିତ୍ୱ ଆର ପଟରେ ରାଜ୍ୟର ଦୟନୀୟ ଆର୍ଥିକ ସ୍ଥିତି, ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ସମ୍ମୁଖରେ ଏକ ବିରାଟ ଆହ୍ୱାନ ଥିଲା। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନବୀନ ଦବି ଯାଇ ନଥିଲେ । ଧୀରେ ଧୀରେ ସ୍ଥିତି ବଦଳିଥିଲା। ଓଡ଼ିଶାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବାରେ ସକ୍ଷମ ହୋଇଥିଲେ। ନିଜର ସୁଶାସନ ବଳରେ, ଓଡିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ, ଯାହା ବଳରେ, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ନିରନ୍ତର ବିଜୟ ସହିତ ସେ ଓଡ଼ିଶାର ସର୍ବକାଳୀନ ସର୍ବାଧିକ କାର୍ଯ୍ୟକାଳ ବିଶିଷ୍ଟ ମୁଖ୍ୟମନ୍ତ୍ରୀ ଓ ଦେଶର ଦ୍ବିତୀୟ ସର୍ବାଧିକ କାର୍ଯ୍ୟକାଳ ବିଶିଷ୍ଟ ମୁଖ୍ୟମନ୍ତ୍ରୀର କୀର୍ତ୍ତିମାନ ହାସଲ କରିଥିଲେ। ୨୦୨୪ରେ ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ ତାଙ୍କର ୨୪ ବର୍ଷର ଶାସନ ଓଡ଼ିଶାର ଜନମାନସରେ ଏକ ଅମଳିନ ଛାପ ଛାଡ଼ିଛି।

- Advertisement -

ନବୀନ ପଟ୍ଟନାୟକଙ୍କ ଶାସନ ଓଡ଼ିଶାକୁ ଏକ ନୂତନ ଦିଗନ୍ତରେ ପହଞ୍ଚାଇଛି। ତାଙ୍କର ପ୍ରଥମ କାର୍ଯ୍ୟକାଳରୁ ହିଁ ଦୁର୍ନୀତି ବିରୋଧୀ ଅଭିଯାନ ଏକ ନଜିର ସୃଷ୍ଟି କରିଥିଲା। ୨୦୦୦ ରୁ ୨୦୧୨ ମଧ୍ୟରେ ୨୬ ଜଣ ମନ୍ତ୍ରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରି ସେ ପାରଦର୍ଶୀ ପ୍ରଶାସନର ଏକ ଆଦର୍ଶ ସ୍ଥାପନ କରିଥିଲେ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ପ୍ରତିଷ୍ଠିତ କରିବାରେ ତାଙ୍କର ଦୂରଦୃଷ୍ଟି ଅନନ୍ୟ। ବିପର୍ଯ୍ୟୟ ପରିଚାଳନା, ଦାରିଦ୍ର୍ୟ ନିରାକରଣରେ ନବୀନଙ୍କର ଯୋଜନାଗୁଡ଼ିକ ବିପ୍ଳବ ଆଣିଛି। ନିତି ଆୟୋଗର ରିପୋର୍ଟ ଅନୁଯାୟୀ, ୨୦୦୫-୦୬ ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାର ବହୁ ଆୟାମୀ ଦାରିଦ୍ର୍ୟ ୬୩.୮୪% ରୁ ୧୧.୦୭% କୁ ହ୍ରାସ ପାଇଛି, ଯାହାଦ୍ୱାରା ୧୦୨.୭୮ ଲକ୍ଷ ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ‘ମମତା ଯୋଜନା’ ଗର୍ଭବତୀ ମହିଳାମାନଙ୍କୁ ସଶକ୍ତ କରିଛି ଓ ରାଜ୍ୟର ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାରକୁ ନିୟନ୍ତ୍ରଣ ସ୍ତରକୁ ଆଣିବାରେ ସକ୍ଷମ ହୋଇଛି। ‘କାଳିଆ ଯୋଜନା’ କୃଷକମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିଛି, ‘ମିଶନ ଶକ୍ତି’ ମାଧ୍ୟମରେ ରାଜ୍ୟର ପ୍ରାୟ ସତୁରି ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇ ଆର୍ଥିକ ସ୍ୱାଧୀନତା ହାସଲ କରିଛନ୍ତି ଓ ‘ଜାଗା ମିଶନ’ ସହରୀ ଗରିବମାନଙ୍କୁ ଆବାସ ଯୋଗାଇଛି। ମହିଳା ସଶକ୍ତୀକରଣରେ ତାଙ୍କର ଅବଦାନ ଅତୁଳନୀୟ। ପଞ୍ଚାୟତରେ ୫୦% ମହିଳା ସଂରକ୍ଷଣ ଏବଂ ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ନେତୃତ୍ୱ ପ୍ରଦାନ କରିବାରେ ସେ ଏକ ନୂତନ ଦୃଷ୍ଟାନ୍ତ ସ୍ଥାପନ କରିଛନ୍ତି। କ୍ରୀଡ଼ା, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନବୀନଙ୍କର ପଦକ୍ଷେପ ଓଡ଼ିଶାକୁ ଏକ ଆଧୁନିକ ରାଜ୍ୟରେ ପରିଣତ କରିଛି। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ମାଧ୍ୟମରେ ଲକ୍ଷାଧିକ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଇଛି। ‘ମୋ ସ୍କୁଲ୍’ ଓ ‘୫ ଟି’ ଯୋଜନା ମାଧ୍ୟମରେ ସ୍କୁଲ୍‌ଗୁଡ଼ିକରେ ଆଧୁନିକ ଅନ୍ତର୍ଗଠନ ଓ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିଛି। ଉପଜାତି କଲ୍ୟାଣ ଓ ଆଦିବାସୀ ବିକାଶରେ ମଧ୍ୟ ତାଙ୍କର ଯୋଜନାଗୁଡ଼ିକ ଫଳପ୍ରଦ ହୋଇଛି। ରାଜ୍ୟର ଆର୍ଥିକ ବିକାଶରେ ତାଙ୍କ ଅବଦାନ ଅନନ୍ୟ।

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଏକ ଜନନେତାର ଆଦର୍ଶ। ସେ ନମ୍ର, ଶାନ୍ତ ଓ କର୍ମନିଷ୍ଠ। ତାଙ୍କର କମ୍ କଥାବାର୍ତ୍ତା ଶୈଳୀ ତାଙ୍କୁ ଅନ୍ୟ ରାଜନେତାଙ୍କଠାରୁ ଅଲଗା କରିଛି। ଓଡ଼ିଆ ଭାଷାରେ ସୀମିତ ଦକ୍ଷତା ସତ୍ତ୍ୱେ ସେ ଓଡ଼ିଶାର ସଂସ୍କୃତି ଓ ଭାଷାକୁ ପ୍ରୋତ୍ସାହନ ଦେଇଛନ୍ତି। ‘ଓଡ଼ିଆ ଭାଷା ନିୟମ ୨୦୧୬’ ଓ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଭଳି ପଦକ୍ଷେପ ତାଙ୍କର ଓଡ଼ିଆ ସଂସ୍କୃତି ପ୍ରତି ଗଭୀର ସମ୍ମାନକୁ ପ୍ରତିଫଳିତ କରେ। ନବୀନ ପଟ୍ଟନାୟକଙ୍କର ଉପସ୍ଥିତି ଓଡ଼ିଶା ଓ ଭାରତୀୟ ରାଜନୀତିରେ ଏକ ଐତିହାସିକ ଅଧ୍ୟାୟ। ନବୀନଙ୍କ ନମ୍ରତା, କର୍ମନିଷ୍ଠା ଓ ସଂସ୍କାରବାଦୀ ଦୃଷ୍ଟିକୋଣ ଭାରତୀୟ ରାଜନୀତିରେ ଏକ ନୂତନ ଆଦର୍ଶ ସ୍ଥାପନ କରିଛି। ନବୀନ ପଟ୍ଟନାୟକ କେବଳ ଜନନେତା ନୁହନ୍ତି; ସେ ଓଡ଼ିଶାର ଏକ ଜୀବନ୍ତ କିମ୍ବଦନ୍ତୀ କହିଲେ ଅତ୍ୟୁକ୍ତି ହେବନାହିଁ। ଆଜି ତାଙ୍କର ୭୯ତମ ଜନ୍ମ ଦିବସରେ ଏହି ମହାନ ରାଜନେତାଙ୍କୁ ଅଭିନନ୍ଦନ ଓ ପ୍ରଣାମ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories