ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ତ୍ରୁଟିପୂର୍ଣ୍ଣ ପାଣ୍ଠି ପରିଚାଳନା ଏବଂ ପ୍ରଶାସନିକ ଉଦାସୀନତା ଯୋଗୁଁ, ରାଜ୍ୟ, ଜିଲା ଏବଂ ବ୍ଲକସ୍ତରରେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ପ୍ରକଳ୍ପ ପରିଚାଳନା ୟୁନିଟ (ପିଏମୟୁ) ସେଲ୍ ଅଧୀନରେ କାର୍ଯ୍ୟରତ ପ୍ରାୟ ୭୦୦ରୁ ଅଧିକ କର୍ମଚାରୀ ଗତ ସାତ ମାସ ଧରି ପାରିଶ୍ରମିକ ପାଇ ନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ପଞ୍ଚାୟତିରାଜ ବିଭାଗ ଅନ୍ତର୍ଗତ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଜନମନ, ଅନ୍ତ୍ୟୋଦୟ ଗୃହ ଯୋଜନାର ବୈଷୟିକ ଓ ଆର୍ଥିକ ପରିଚାଳନା ନିମନ୍ତେ ରାଜ୍ୟ ସରକାର ବ୍ଲକ, ଜିଲା ଏବଂ ରାଜ୍ୟସ୍ତରରେ ବିଭିନ୍ନ ମାନବ ସମ୍ବଳ ସଂସ୍ଥା ମାଧ୍ୟମରେ ବିଭିନ୍ନ ପଦବୀରେ ଏହି କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଆରମ୍ଭରୁ ପ୍ରାୟ ୮ରୁ ୧୦ ବର୍ଷ ହେବ ୩୧୪ ବ୍ଲକ ସ୍ତରରେ ବ୍ଲକ ପ୍ରକଳ୍ପ ସଂଯୋଜକ, ବ୍ଲକ ପ୍ରକଳ୍ପ ସହାୟକ, ୩୦ ଜିଲାରେ ପ୍ରକଳ୍ପ ସଂଯୋଜକ, ଜିଲା ପ୍ରକଳ୍ପ ଅଧିକାରୀ, ଜିଲା କଲ୍ ସେଣ୍ଟର ଏବଂ ରାଜ୍ୟ ସ୍ତରରେ ବିଭିନ୍ନ ପଦବୀରେ ପ୍ରାୟ ୭୦୦ରୁ ଉର୍ଦ୍ଧ୍ବ କର୍ମଚାରୀ କାମ କରି ଆସୁଛନ୍ତି। ରାଜ୍ୟ ଅର୍ଥ ବିଭାଗର ମଞ୍ଜୁରୀ କ୍ରମେ ଏହି କର୍ମଚାରୀଙ୍କୁ ୟୁଏନ୍ଡିପି ମାଧ୍ୟମରେ ନିଯୁକ୍ତି ଦିଆଯାଇଥିଲା। ପରେ ବିଭିନ୍ନ ମାନବ ସମ୍ବଳ ଏଜେନ୍ସି ମାଧ୍ୟମରେ ସେମାନଙ୍କୁ ଯୋଗ୍ୟତା ଅନୁଯାୟୀ ବିଭିନ୍ନ ବୈଷୟିକ ଏବଂ ଅଣ ବୈଷୟିକ ପଦ ପଦବୀରେ ଅବସ୍ଥାପିତ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ନିୟମାବଳୀ ଅନୁଯାୟୀ ଏହି ପିଏମ୍ୟୁ ସେଲ୍ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟଠାରୁ ରାଜ୍ୟ ରାଜକୋଷକୁ ପାଣ୍ଠି ଆସିଥାଏ। ମାତ୍ର ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥ ପରିଚାଳନା ଏବଂ ଉପଯୁକ୍ତ ଭାବେ ଏହି ପାଣ୍ଠି ବିନିଯୋଗ ନ ହେବାରୁ ଗତ ଏପ୍ରିଲ ମାସରୁ ପାଣ୍ଠି ଆସିବାରେ ବାଧା ସୃଷ୍ଟି ହୋଇଥିଲା। ରାଜ୍ୟ ପଞ୍ଚାୟତିରାଜ ବିଭାଗ ମନଇଚ୍ଛା ଏହି ଅର୍ଥ ଖର୍ଚ୍ଚ କରିବାରୁ ଗୁରୁତର ଆର୍ଥିକ ସମସ୍ୟା ଉପୁଜିଲା।
ଫଳସ୍ବରୂପ, କର୍ମଚାରୀମାନେ ବିଭିନ୍ନ ସମୟରେ ଗ୍ରାମୀଣ ଗୃହ ନିର୍ମାଣ ଲକ୍ଷ୍ୟ ପୂରଣ, ସର୍ଭେ କରିବା ପରି ଅନେକ କାମ ରାତିଦିନ କରିବା ସତ୍ତ୍ୱେ ନିଜ ଦରମା ପାଇବାରୁ ବଞ୍ଚିତ ଅଛନ୍ତି। ସେହିପରି ରାଜ୍ୟସ୍ତରରେ ପ୍ରାୟ ୩ ମାସ ହେବ କର୍ମଚାରୀମାନେ ଦରମା ପାଇବାରୁ ବଞ୍ଚିତ ଅଛନ୍ତି। ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀମାନେ ଆଜି କାଲି କହି ମିଥ୍ୟା ପ୍ରତିଶ୍ରୁତି ଦେବା ସହ ବିନା ଦରମାରେ କର୍ମଚାରୀଙ୍କୁ ଛୁଟି ଦିନମାନଙ୍କରେ ମଧ୍ୟ ଖଟାଉଥିବା ଅଭିେଯାଗ ହୋଇଛି। ଇତିମଧ୍ୟରେ କେନ୍ଦ୍ର ସରକାର, ସମସ୍ତ କେନ୍ଦ୍ର ସରକାରୀ ଯୋଜନାରେ ସୁଗମ ପାଣ୍ଠି ପରିଚାଳନା ନିମନ୍ତେ ରାଜ୍ୟ ସରକାରଙ୍କୁ ଏସ୍ଏନ୍ଏ-ସ୍ପର୍ଶ ମଡେଲ ଆପଣାଇବାକୁ ନିର୍ଦେଶ ଦେଇଥିବାବେଳେ, ରାଜ୍ୟ ଅର୍ଥ ବିଭାଗ ଓ ପଞ୍ଚାୟତିରାଜ ବିଭାଗର ଟାଳଟୁଳ ନୀତି ତଥା ସମନ୍ୱୟ ଅଭାବରୁ ଏଯାବତ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ଯାହା ଫଳରେ କର୍ମଚାରୀମାନେ ଦୀର୍ଘ ସମୟ ଧରି ଆର୍ଥିକ ସଙ୍କଟ ଭୋଗୁଛନ୍ତି ବୋଲି କୁହାଯାଇଛି।



