ଧର୍ମରାଜ ଯୁଧିଷ୍ଠିର ପରୀକ୍ଷିତଙ୍କ ଉପରେ ରାଜ୍ୟଭାର ଅର୍ପଣ କରି ସପରିବାର ସ୍ବର୍ଗାରୋହଣ କରିଥିଲେ। ଯୁଧିଷ୍ଠିରଙ୍କ ସଦୃଶ ପରୀକ୍ଷିତ ମଧ୍ୟ ପରମ ଧାର୍ମିକ, ସତ୍ୟନିଷ୍ଠ, ପ୍ରଜାନୁରାଗୀ ଥିଲେ। ଆଚରଣ ଶୁଦ୍ଧ ହେଲେ ବିଚାରଧାରା ସ୍ବତଃ ଶୁଦ୍ଧ ହୋଇଯାଏ। ରାଜା ପରୀକ୍ଷିତଙ୍କର ଆଚାର, ବିଚାରଧାରା ଶୁଦ୍ଧ ଥିଲା। ସେହି କାରଣରୁ କଳି ପ୍ରବେଶ କରି ପାରୁନଥିଲା ତାଙ୍କ ରାଜ୍ୟରେ। ସମୟକ୍ରମେ କଳି ଆଗମନର ଆଶଙ୍କାରେ ଆତଙ୍କ, ଭୟ ବ୍ୟାପି ଯାଇଥିଲା ସର୍ବତ୍ର। ଧର୍ମ ଓ ଗୋମାତା ଉପରେ ସଂକଟର କଳାବାଦଲ ଘନୀଭୂତ ହେବାଦେଖି ପରୀକ୍ଷିତ କଳି ପ୍ରବେଶ ସମ୍ପର୍କରେ ଅବଗତ ହୋଇଥିଲେ। ଅଧର୍ମର ମୂଳୋତ୍ପାଟନ ଓ କଳି ପ୍ରବେଶକୁ ପ୍ରତିହତ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ ପରୀକ୍ଷିତ। ‘କଳି’ ଭୟଭୀତ ହୋଇ ଛଦ୍ମବେଶ ଧାରଣ କରି ରାଜା ପରୀକ୍ଷିତଙ୍କ ପାଦତଳେ ପଡ଼ି ପ୍ରାର୍ଥନା କରିିଥିଲା ନିଜକୁ ରକ୍ଷା କରିବା ପାଇଁ। ଛଦ୍ମ ବେଶଧାରୀ କଳିକୁ ଚିହ୍ନି ନ ପାରି ଶରଣାଗତ ରକ୍ଷକ, ଧର୍ମପ୍ରାଣ, ରାଜା ପରୀକ୍ଷିତ ଅଭୟ ପ୍ରଦାନ କରିଥିଲେ। କଳି ଅଭୟ ପାଇବା ପରେ ପ୍ରକୃତ ପରିଚୟ ପ୍ରଦାନ କରିଥିଲା। ସତ୍ୟନିଷ୍ଠ, ନ୍ୟାୟପରାୟଣ ରାଜା ଶରଣାଗତକୁ ରକ୍ଷା କରିବା ନିମିତ୍ତ ବଚନବଦ୍ଧ ଥିଲେ; ପୂର୍ବରୁ ଦେଇଥିବା ଆଶ୍ବାସନାରୁ ଓହରି ଯାଇ ସତ୍ୟଭଙ୍ଗ ଅପରାଧରେ ଅପରାଧୀ ହେବାକୁ ଚାହିଁ ନଥିଲେ। ଏହା ହିଁ ଥିଲା ତାଙ୍କର ଦୁର୍ବଳତା। ତଥାପି ନିଜ ସୁନାମ ଅକ୍ଷୁଣ୍ଣ ରଖିବାକୁ କଳିକୁ ତାଙ୍କର ରାଜ୍ୟ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ନିର୍ଦେଶ ଦେଇଥିଲେ।
କଳି ଅତି ଚତୁର ଓ ଧୂର୍ତ୍ତ ଥିଲା। ରାଜାଙ୍କୁ କାକୁତିମିନତି ହୋଇ କହିଥିଲା- ମୋତେ ରାଜ୍ୟରୁ ତଡ଼ି ନଦେଇ ଆପଣଙ୍କ ସମ୍ମୁଖରେ ରହିବାକୁ ଅନୁମତି ଦିଅନ୍ତୁ। ଏହାଦ୍ବାରା ମୁଁ ଅନୁଚିତ କାର୍ଯ୍ୟ କରିବାକୁ ସୁଯୋଗ ପାଇବି ନାହିଁ। ଯଦିବା ମନ ବଳାଏ ଏହା ଆପଣଙ୍କ ନଜରରେ ପଡ଼ିବ ଓ ଆପଣ ମୋତେ ସେଥିରୁ ନିବୃତ୍ତ କରାଇ ପାରିବେ। ରାଜା ପରୀକ୍ଷିତ ସଦୟ ହୋଇ ଚାରିଟି ଜାଗା- ମଦ୍ୟ (ସୁରା), ଦ୍ୟୂତ (ଜୁଆ), ବ୍ୟଭିଚାର ଓ ହତ୍ୟା (ହିଂସା) ମଧ୍ୟରେ ଆବଦ୍ଧ ରହିବାକୁ କଳିକୁ ନିର୍ଦେଶ ଦେଇଥିଲେ। କଳି କିନ୍ତୁ ଏଥିରେ ସନ୍ତୁଷ୍ଟ ନହୋଇ ଆଉ ଏକ ସ୍ଥାନ ପ୍ରାର୍ଥନା କରିଥିଲା ଓ ପରୀକ୍ଷିତ ତାହା ସ୍ବୀକାର କରିଥିଲେ। ତାହା ଥିଲା ସ୍ବର୍ଣ୍ଣ (ସୁନା)। ରାଜା ଏହା ସ୍ବୀକାର କଲାମାତ୍ରେ କଳି ଅଦୃଶ୍ୟ ହୋଇଯାଇ ରାଜାଙ୍କ ସ୍ବର୍ଣ୍ଣମୁକୁଟ, ଅର୍ଥାତ୍ ଶିରରେ ନିଜ ଆସ୍ଥାନ ଦୃଢ଼ କରିନେଇଥିଲା। ସୀମିତ ସ୍ଥାନ ଭିତରେ ତା’ର ବିଚରଣ ରହିଲା, ଅନ୍ୟତ୍ର ତା’ର ପ୍ରବେଶ ନିଷିଦ୍ଧ ଥିଲା, ସମସ୍ତଙ୍କୁ ବଶ କରିବା କ୍ଷମତା ତା’ର ଶକ୍ତି ବହିର୍ଭୂତ ହୋଇଗଲା। ଆଚାରବିଚାରରେ ଯିଏ ଶୁଦ୍ଧ ତାଙ୍କ ଗୃହରେ କିମ୍ବା ତାଙ୍କଠାରେ କଳି ପ୍ରବେଶ କରିବା ସମ୍ଭବ ହୋଇନଥାଏ। ଯେଉଁମାନଙ୍କ ଗୃହରେ କୃଷ୍ଣନାମ କୀର୍ତ୍ତନ, ଦରିଦ୍ର ନାରାୟଣ ସେବା ଆଦି ସତ୍କର୍ମ ସମ୍ପନ୍ନ ହେଉଥାଏ ସେଠାରେ ମଧ୍ୟ କଳିର ପ୍ରବେଶ ସମ୍ଭବ ହୋଇନଥାଏ। ଏକମାତ୍ର ଶୁଦ୍ଧାଚରଣ ହିଁ କଳିର ପ୍ରବେଶକୁ ସମ୍ପୂର୍ଣ୍ଣରୂପେ ପ୍ରତିହତ କରିବାରେ ସମର୍ଥ।



