www.samajalive.in
Friday, December 5, 2025
27.1 C
Bhubaneswar

ସମ୍ପାଦକୀୟ: ଶ୍ରୀମନ୍ଦିର ସୁରକ୍ଷା

ପୁରୁଷୋତ୍ତମଧାମ, ଶ୍ରୀକ୍ଷେତ୍ର, ନୀଳାଚଳ, ପତିତପାବନ ଶ୍ରୀଜଗନ୍ନାଥଙ୍କ  ନିବାସ, ଶ୍ରୀମନ୍ଦିରର ସୁରକ୍ଷା ଚିନ୍ତା ସରକାର, ପ୍ରଶାସନ,ଜନସାଧାରଣ ସମସ୍ତଙ୍କୁ ଘାରିଛି। ପ୍ରାଚୀନ ଏହି ଐତିହ୍ୟର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଯେପରି ଅପରିହାର୍ଯ୍ୟ ସେହିପରି ଏହାର ଦୈନନ୍ଦିନ ସମସ୍ୟାର ତ୍ବରିତ ସମାଧାନ ଜରୁରୀ। କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା, ହିନ୍ଦୁ ଧର୍ମ ବିଶ୍ବାସୀଙ୍କର ପୂଜ୍ୟ ତଥ୍ୟ ଜଗତର ସମସ୍ତ ପ୍ରାଣୀଙ୍କ ଉପାସ୍ୟ ଜଗତର ନାଥ ଜଗନ୍ନାଥ ଯେତେବେଳେ ସମସ୍ୟାରେ, ସଂକଟରେ; ତାଙ୍କର ଧାମ ତଥା ବିହାରସ୍ଥଳ ଯେତେବେଳେ ଅସୁରକ୍ଷିତ ସେତେବେଳେ ଏହାକୁ ସେଇ ସମନ୍ବୟର ଦେବତା କରୁଣାମୟ ଈଶ୍ବରଙ୍କର ଇଚ୍ଛା ବା  ‘ତୋତେ ହିଁ ତୁହି ରକ୍ଷାକର’ ନ୍ୟାୟରେ ଏଡ଼ାଇ ଗଲେ ହେବନାହିଁ। ଏହି ପ୍ରାଚୀନ କୀର୍ତ୍ତିରାଜି କିପରି ସମସ୍ୟାବିହୀନ ହେବ, ଭକ୍ତ ତଥା ଶ୍ରଦ୍ଧାଳୁମାନେ କିପରି ସୁଖଦ ଦେବଦର୍ଶନ କରିବାର ସୁଯୋଗ ଲାଭ କରିବେ ସେଥିପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର, ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସାଧାରଣ ଜନତା ଓଡ଼ିଶାବାସୀ ମଧ୍ୟ ଆପଣା ଆପଣା ଦାୟିତ୍ବ ଓ କର୍ତ୍ତବ୍ୟ ନିର୍ବାହ କରିବା ଜରୁରୀ।
 ଭାରତ ସରକାରଙ୍କ ଅଧୀନରେ ଥିବା ପ୍ରତ୍ନତତ୍ତ୍ବ ବିଭାଗ, ଓଡ଼ିଶା ସରକାରଙ୍କ ପରିଚାଳନାଗତ ଭୂମିକା ଅଧିକ ରହିବା କଥା। ବିଗତ ଦିନଗୁଡ଼ିକରେ ଶ୍ରୀମନ୍ଦିରର ଓ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ କରାଯାଇଛି। ଏବେ ବି ଅନେକ ଭିତ୍ତିଭୂମି ବା ଢ଼ାଞ୍ଚାଗତ ସମସ୍ୟା ରହିଛି, ବିଶେଷକରି ଭକ୍ତମାନଙ୍କ ଶୃଙ୍ଖଳିତ ଦେବ ଦର୍ଶନର ସୁଯୋଗ, ଭକ୍ତଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ ନ ରହିବା, ଧନୀ-ଗରିବ, ଉଚ୍ଚନୀଚ ଏପରି ମନୋଭାବ ନ ରହିବା ଜରୁରୀ। ସମସ୍ତେ  ଜଗନ୍ନାଥ ପ୍ରେମୀ ଓ ଉପାସକ। ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କେହି କୌଣସି ପ୍ରକାର ବାଧା ସୃଷ୍ଟି କରିବା ଅନୁଚିତ। ଶ୍ରୀମନ୍ଦିରରେ ଏକ ଭକ୍ତିମୟ ପରିବେଶ ରହିବା ବିଧେୟ। ଶ୍ରୀମନ୍ଦିରର ପରିସର ପରିଷ୍କାର ପରିଚ୍ଛନ୍ନ, ଶାନ୍ତ, ଆନନ୍ଦଦାୟକ ବାତାବରଣ ହେବା ମଧ୍ୟ ଜରୁରୀ। ପୂର୍ବରୁ ସରକାରୀଭାବେ ଡ୍ରୋନ ବ୍ୟବହାର ଉପରେ କଟକଣା ରହିଥିଲା। ଏବେ ଶ୍ରୀମନ୍ଦିର ପରିସରରେ ମୋବାଇଲ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ଏହାଦ୍ବାରା ସୁରକ୍ଷା ସମ୍ପର୍କିତ ସଂକଟକୁ ପ୍ରତିିହତ କରାଯାଇପାରିବ ବୋଲି ସରକାର ଚିନ୍ତା କରୁଛନ୍ତି; ମାତ୍ର ଏହିପରି କଟକଣା କେବଳ ଆଖିଦୃଶିଆ ବା କାଗଜ କଲମରେ ନହେଉ। ଏହାର ବାସ୍ତବ ପ୍ରୟୋଗ ଆବଶ୍ୟକ।
ଶ୍ରୀମନ୍ଦିରର ଅନେକ ସମସ୍ୟାର ଗଠନମୂଳକ ସମାଧାନ ହେଉଛି ଯେ ଏହା ଏକ ଭକ୍ତିଭାବର, ଈଶ୍ବରପ୍ରାପ୍ତିର ଅନନ୍ୟ କ୍ଷେତ୍ର। ଏହା କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ କି ଏହା ମଧ୍ୟ କେତେକଙ୍କ ପାଇଁ ଅର୍ଥ ଉପାର୍ଜନ, ପୁଞ୍ଜିଲଗାଣ, ବ୍ୟାବସାୟିକ ​‌େ‌କ୍ଷତ୍ର ବା ଲାଭଦାୟକ ଅନୁଷ୍ଠାନ ନୁହଁ। ଏହା ମଧ୍ୟ ଏକ କର୍ପୋରେଟ ସଂସ୍ଥା ନୁହେଁ କି ଭୋଗ ବିଳାସର, କାମନା ବାସନାର ସ୍ଥଳ ନୁହେଁ। ‘ମନର ମୂଳେ ଏ ଜଗତ’। ମନ ଯେ ପର୍ଯ୍ୟନ୍ତ ପବିତ୍ର ନ ହୋଇଛି, ଆତ୍ମା ପବିତ୍ର ହେବ କିପରି? ଚିତ୍ତ ଯେତେବେଳେ ଶାନ୍ତ ନ ହୋଇଛି ଅଶାନ୍ତି ଦୂର ହୋଇ ପାରିବ କିପରି? ମନକୁ ବିକାରମୁକ୍ତ, ଦେହକୁ ଶରଣାପନ୍ନ, ଭାବକୁ ଭକ୍ତି ଆଧାରିତ ଏବଂ ପ୍ରାଣକୁ ଈଶ୍ବରମୟ କରାଯାଇପାରିଲେ ଆଉ ସମସ୍ୟା କେଉଁଠି, ସଂକଟ କ’ଣ? ସରକାର ଓ ପ୍ରଶାସନ ଆପଣାକୁ ଜଗନ୍ନାଥଙ୍କ ରକ୍ଷକ ନ ଭାବି  ସେବକ ଭାବିବା ଜରୁରୀ। ଅନ୍ୟ ପୁରାତନ ମନ୍ଦିର ଟଙ୍କା ଉପାର୍ଜନର ମାଧ୍ୟମ ହୋଇଥିବାବେଳେ ଶ୍ରୀମନ୍ଦିର ସେପରି ହେବା ଅନୁଚିତ। ରାଜନୀତିକରଣ, ବ୍ୟବସାୟୀକରଣ ପରି ବିଚାର ଓ ବ୍ୟବସ୍ଥାଠାରୁ ଶ୍ରୀମନ୍ଦିର ମୁକ୍ତ ହେବା ବିଧେୟ। ଏହି ଗଠନମୂଳକ ଉଦ୍ୟମ ଯଦି ସରକାର, ପ୍ରଶାସନ ଓ ଜନସାଧାରଣ ସମସ୍ତ ପକ୍ଷରୁ କରାଯାଇପାରିବ ତେବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ  ଆଉ କୌଣସି ଚିନ୍ତା ରହି ନପାରେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories