କଟକ : ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଜାରି ଦୁଇଟି ବିଜ୍ଞପ୍ତିକୁ ଅବୈଧ କହି ରଦ୍ଦ କରିଦେବା ପ୍ରଣିଧାନଯୋଗ୍ୟ। ଶିଳ୍ପ ପ୍ରତିଷ୍ଠା ନାମରେ ସରକାର କିଭଳି ପରିବେଶ ସୁରକ୍ଷାର ସମସ୍ତ ନିୟମକାନୁନର ଉଲ୍ଲଙ୍ଘନ ହେବାଭଳି ବ୍ୟବସ୍ଥା କରିଛନ୍ତି, ତାହା ଏହି ରାୟରୁ ସ୍ପଷ୍ଟ ହୋଇଛି। ସରକାରଙ୍କଠାରୁ ପୂର୍ବ ଅନୁମତି ନେବାର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ ନକରି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା, କାର୍ୟ୍ୟ ବିସ୍ତାର କିମ୍ବା ସେଗୁଡ଼ିକର ଉତ୍ପାଦନ ପ୍ରକ୍ରିୟା ପରିବର୍ତ୍ତନ କରିବାକୁ ମନ୍ତ୍ରଣାଳୟ ଅନୁମତି ଦେଇଥିଲା। କହିବା ବାହୁଲ୍ୟ ଯେ ଏହା ୨୦୦୬ ବିଜ୍ଞପ୍ତିର ପରିବେଶଗତ ପ୍ରଭାବ ମୂଲ୍ୟାଙ୍କନ ମୂଳରେ ଯେଉଁ ଗୁରୁତ୍ବପୂର୍ଣ୍ଣ ନୀତି ରହିଛି, ତାହାର ସଂପୂର୍ଣ୍ଣ ବିରୋଧାଚରଣ କରୁଥିଲା।
ଉଲ୍ଲେଖନୀୟ ଯେ ମାର୍ଚ୍ଚ ୨୦୧୭ରେ ପରିବେଶ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଥିଲା, ଯେଉଁଥିରେ ଉପଯୁକ୍ତ ପରିବେଶଗତ ମଞ୍ଜୁରୀ ନଥିବା ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଆବେଦନକୁ ‘ଏକକାଳୀନ’ ଛଅ ମାସର ସମୟ ବୃଦ୍ଧି କରାଯାଇଥିଲା। ୨୦୨୧ ମସିହାରେ ଏହା ଏକ ‘ମାନକ କାର୍ୟ୍ୟପ୍ରଣାଳୀ’ ପ୍ରଚଳନ କରିଥିଲା ଯାହା ଆଇନ ଉଲ୍ଲଙ୍ଘନ କରୁଥିବା ପ୍ରକଳ୍ପଗୁଡ଼ିକୁ ନିୟମିତ କରିବା ପାଇଁ ଆବେଦନ ନିମନ୍ତେ ସଦଣ୍ଡ ଅନୁମତି ଦେଇଥିଲା। ଗୁରୁତର କଥାଟି ହେଲା ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ସଂସଦ ମାଧ୍ୟମରେ ପରିବେଶ (ସୁରକ୍ଷା) ଆଇନ ୨୦୦୬ରେ କୌଣସି ସଂଶୋଧନ ନକରି କାର୍ୟ୍ୟନିର୍ବାହୀ ଆଦେଶ ମାଧ୍ୟମରେ କରାଯାଉଥିଲା।
ପରିବେଶ ମନ୍ତ୍ରଣାଳୟ ଯୁକ୍ତି ବାଢ଼ିଥିଲା ଯେ ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ସେମାନଙ୍କ ପ୍ରକଳ୍ପଗୁଡ଼ିକୁ ନିୟମିତ କରିବାର ସୁଯୋଗ ନ ଦେଲେ ସେସବୁ ଭାଙ୍ଗିରୁଜି ନଷ୍ଟ ହେବ, ଯାହା ପରିବେଶର ମଧ୍ୟ କ୍ଷତି କରିବ। ତେବେ ସରକାରଙ୍କ ଏହି ପଦକ୍ଷେପ କେବଳ ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରିନଥିଲା, ବରଂ ପଛଦ୍ୱାର ମଞ୍ଜୁରୀ ମାଧ୍ୟମରେ ନିୟମିତକରଣ ଆଶାରେ ବେଆଇନ ନିର୍ମାଣକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା। ସୁତରାଂ ମନ୍ତ୍ରଣାଳୟର ଯୁକ୍ତି ପରିବେଶ ଆଇନର ମୌଳିକ ନୀତିକୁ ବିରୋଧ କରୁଛି ବୋଲି ଉଲ୍ଲେଖ କରି ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେଇଛନ୍ତି, ତାହା ସ୍ବାଗତଯୋଗ୍ୟ। ପରିବେଶର ମୂଲ୍ୟ ବଦଳରେ ବିକାଶ ନିଶ୍ଚିତ ଭାବେ ଅବାଞ୍ଛନୀୟ। ୨୦୧୭ ମସିହାରୁ ବର୍ତ୍ତମାନର ଅଦାଲତୀ ନିଷେଧାଦେଶର ସମୟ ମଧ୍ୟରେ ୧୦୦ରୁ ଅଧିକ ପ୍ରକଳ୍ପ ଏହି ଅସଂଗତ ବ୍ୟବସ୍ଥାରୁ ଫାଇଦା ନେଇସାରିଛନ୍ତି। କେବଳ ସେତିକି ନୁହେଁ, ମନ୍ତ୍ରଣାଳୟ ଅତି କମ୍ରେ ୧୫୦ଟି ପ୍ରକଳ୍ପକୁ ‘ଟର୍ମସ୍ ଅଫ୍ ରେଫରେନ୍ସ’ ଜାରି କରିଥିବା ଜଣାଯାଇଛି, ଯାହା ସେମାନଙ୍କୁ ପରିବେଶ ପ୍ରଭାବ ମୂଲ୍ୟାଙ୍କନକୁ ଏଡ଼ାଇବାକୁ ସୁଯୋଗ ଦେବ।
ପରିବେଶ ନଷ୍ଟକାରୀ ଶିଳ୍ପସଂସ୍ଥା ପାଇଁ ରାଷ୍ଟ୍ରଶକ୍ତି ପ୍ରାୟତଃ ଓକିଲାତି କରୁଥିବା ଦେଖାଯାଏ, ଯାହାକୁ ରୋକିବାକୁ ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ସମୟରେ ରାୟ ଦେଇଛନ୍ତି। ଓଡ଼ିଶାର ନିୟମଗିରି ପାହାଡ଼ ସମ୍ପର୍କିତ ଆଦେଶ ଏହାର ଏକ ବଡ଼ ପ୍ରମାଣ। ଓଡ଼ିଶା ସରକାର ଏବେ ବିଭିନ୍ନ ଜିଲାରେ, ଏପରି କି ଆଦିବାସୀବହୁଳ ଅଞ୍ଚଳରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବେ ବୋଲି ଯୋଜନା କରୁଛନ୍ତି। ଶିଳ୍ପ ପ୍ରତିଷ୍ଠା ହେଲେ ରାଜ୍ୟର ପ୍ରଗତି ହେବ ବୋଲି କୁହାଯାଉଛିଟ୍ଟ କିନ୍ତୁ ଏଥିପାଇଁ ପ୍ରକୃତି ଓ ପରିବେଶ ଯେମିତି ବଳି ନ ପଡ଼େ, ତାହା ପ୍ରଥମେ ସୁନିଶ୍ଚିତ କରାଯିବା ଦରକାର।



