ସମ୍ଭାବ୍ୟ ଦୁର୍ବିପାକ ମୁକାବିଲା ଲାଗି ପ୍ରସ୍ତୁତ ରୁହ

0

ଭୁବନେଶ୍ୱର: ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ବିଶେଷ କରି କୃଷି ବିଭାଗକୁ ଅଧିକ ସତର୍କ ରହିବା ସହିତ ବିସ୍ତୃତ ଯୋଜନା କରିବାକୁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ରାଜ୍ୟସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବନ୍ୟା, ବାତ୍ୟା, ମରୁଡ଼ି ଆଦି ପ୍ରାକୃତିକ ଦୁର୍ବିପାକ ଓଡ଼ିଶାର ଚିର ସହଚର। ମାତ୍ର ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରସ୍ତୁତ ଓ ସଜାଗ ରହିଛନ୍ତି।
ଗତବର୍ଷ ରାଜ୍ୟବାସୀଙ୍କୁ ମରୁଡ଼ି, ରୋଗପୋକ, ଅସ୍ୱାଭାବିକ ଓ ଅସାମୟିକ ବୃଷ୍ଟିପାତ, ବନ୍ୟା ଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ରାଜ୍ୟ ସରକାର ସେ ସବୁର ସଫଳ ପରିଚାଳନା କରିପାରିଛନ୍ତି। ଚଳିତ ବର୍ଷ ଆଗୁଆ ମୌସୁମୀ ଆସିଥିଲା। ରାଜ୍ୟରେ କିଛି ଅଞ୍ଚଳରେ ବୃଷ୍ଟିପାତ ହେବା ପରେ ମୌସୁମୀ ଦୁର୍ବଳ ହୋଇଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ବଢ଼ିଛି। ଏଥିଯୋଗୁଁ ସମ୍ଭାବ୍ୟ ଅସ୍ୱାଭାବିକ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ କୃଷି ବିଭାଗ ସଜାଗ ରହିବା ସହିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସହିତ ମିଶି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ।
ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଏବେ ଦେଖାଦେଇଥିବା ଏଭଳି ଶୁଷ୍କ ଜଳବାୟୁ ସତ୍ତେ୍ୱ ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ପ୍ରାକୃତିକ ଦୁର୍ବିପାକ ସମ୍ପର୍କିତ ଆଗୁଆ ସୂଚନା, ଦୁର୍ବିପାକ ବେଳେ ଠିକ୍‍ ସମୟରେ ଉଦ୍ଧାର ଓ ରିଲିଫ୍‍ କାର୍ଯ୍ୟକ୍ରମ, ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ପର୍ଯ୍ୟାପ୍ତ ପରିମାଣର ଖାଦ୍ୟସାମଗ୍ରୀ ମହଜୁଦ୍‍ ରଖିବା, ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଶିବିର ଓ ଗୋଆଶ୍ରୟ ସ୍ଥଳି ଖୋଲିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ। ପ୍ରଭାବିତ ଲୋକଙ୍କୁ ଯେପରି ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବା ମିଳିପାରିବ, ଦୁର୍ବିପାକ ଓ ପରବର୍ତ୍ତୀ ସମୟରେ ଗୃହପାଳିତ ପଶୁମାନଙ୍କ ଯତ୍ନ ନିଆଯାଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯିବା ଉଚିତ। ଓଡ୍ରାଫ୍‍ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିବା ସହିତ ଉଦ୍ଧାର ବେଳେ ବୃଦ୍ଧବୃଦ୍ଧା, ଗର୍ଭବତୀ, ଶିଶୁ, ଦିବ୍ୟାଙ୍ଗମାନଙ୍କ କ୍ଷେତ୍ରରେ ଯେପରି କୌଣସି ଅବହେଳା ନ ହୁଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

kalyan agarbati
Leave A Reply