‘ସମାଜ’କୁ ରାଷ୍ଟ୍ରୀୟ ‘ନୀଳଚକ୍ର’ ସମ୍ମାନ : ଉତ୍କଳ ସାରା ବିଶ୍ବରେ ପରିଚିତ: ରାଜ୍ୟପାଳ

ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ବର୍ଷା ମହୋତ୍ସବ

ଭୁବନେଶ୍ବର : ଉତ୍କଳ କେବଳ ଦେଶ ନୁହେଁ ସାରା ବିଶ୍ବର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପ୍ରାଚୁର୍ଯ୍ୟ ବହନ କରୁଥିବା ଭୂଖଣ୍ଡ ଭାବେ ବେଶ ପରିଚିତ। ଓଡ଼ିଶା ହେଉଛି ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର। ସାରା ବିଶ୍ବ ଏହି ପ୍ରଦେଶକୁ ଆଲୋକବର୍ତ୍ତିକା ଭାବେ ଜାଣନ୍ତି। ଓଡ଼ିଶା ରାଜ୍ୟର ବିକଳ୍ପ ନାହିଁ। ଏହା ଏକ ଦେବଭୂମି । ଏହି ଭୂମିର କଳା ଓ ସଂସ୍କୃତିରେ ରହିଛି ଜୀବନ ଉତ୍ତରଣର ମାର୍ଗ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କେନ୍ଦ୍ର ସୂଚନା ଓ ପ୍ରସାରଣ ଓ ଗୃହ ମନ୍ତ୍ରଣାଳୟ ସହାୟତାରେ ରାଜଭବନଠାରେ ସୋମବାର ଅନୁଷ୍ଠିତ ଚିନ୍ତା ଓ ଚେତନାର ୪୩ତମ ରାଷ୍ଟ୍ରୀୟ ବର୍ଷା ମହୋତ୍ସବ ୨୦୨୧କୁ ରାଜ୍ୟପାଳ ଉଦ୍‌ଘାଟନ କରିଥି​‌େ​‌ଲ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ ‘ସମାଜ’ ଖବରକାଗଜକୁ ନୀଳଚକ୍ର ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରିଥିଲେ। ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଏହି ସମ୍ମାନ ରାଜ୍ୟପାଳଙ୍କଠାରୁ ଗ୍ରହଣ କରିଥିଲେ।
ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ କହିଥିଲେ କୌଣସି ପୁରସ୍କାର ଛୋଟ ନୁହେଁ। ଏହିଭଳି ପୁରସ୍କାର ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଓ ସଂସ୍ଥାଙ୍କୁ ସେବା କରିବାକୁ ପ୍ରୋତ୍ସାହିତ କରିବ। ବିଶ୍ବରେ ଉତ୍କଳ ଏକ ନମ୍ବର ଭାବେ ପରିଚୟ ପାଇଛି। ବିଶ୍ବର ମାଲିକ ଶ୍ରୀଜଗନ୍ନାଥ ଏହି କ୍ଷେତ୍ରରେ ଅଧିଷ୍ଠିତ। ଓଡ଼ିଶାର ସ୍ବଭାବ ଓ ସୌନ୍ଦର୍ଯ୍ୟ ବେଶ୍‌ ମାଧୁର୍ଯ୍ୟ ସମ୍ପନ୍ନ। ସମସ୍ତଙ୍କୁ ସ୍ନେହ, ଶ୍ରଦ୍ଧା, ସମ୍ମାନ ଦେବା ଉତ୍କଳ ପ୍ରଦେଶର ସଂସ୍କୃତି ଓ ପରମ୍ପରା। ଯେତେବଡ଼ ଲୋକ ହେଲେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପାଖରେ ନତମସ୍ତକ ହୋଇଥାନ୍ତି। ଆମେ ସମସ୍ତେ ତାଙ୍କ ଛତ୍ରଛାୟାରେ ଅଛୁ।
ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ମହାସଚିବ ସୁରେନ୍ଦ୍ର ଦାସ ସ୍ବାଗତ ଭାଷଣ ପ୍ରଦାନ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିଧାୟକ ଶଶିଭୂଷଣ ବେହେରା କହିଥିଲେ ‘ସମାଜ’ ଖବରକାଗଜ ହେଉଛି ସାଧାରଣ ଲୋକଙ୍କ ଦର୍ପଣ। ଏହି ଖବ ରକାଗଜ ତା’ର ନିରପେକ୍ଷତା ବଜାୟ ରଖିବା ସହ ଓଡ଼ିଶାବାସୀଙ୍କ ଆସ୍ଥା ଜିଣିବାରେ ସଫଳ ହୋଇଛି। ଚିନ୍ତା ଚେତନା ସଙ୍ଗଠନ ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛି। ପ୍ରକୃତି ଓ ଋତୁର କୌଣସି ସୀମା ନାହିଁ। ଆଗାମୀ ଦିନରେ ଅନୁଷ୍ଠାନ ଓଡ଼ିଶା ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟ କରିବ। କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି, ରାମନାରାୟଣ ଦାଶ ମହାରାଜ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଚିନ୍ତା ଓ ଚେତନାର କାର୍ଯ୍ୟପନ୍ଥା ସମ୍ବନ୍ଧରେ ଆଲୋକପାତ କରିଥିଲେ।
‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ମହାନ୍ତି କହିଥିଲେ ‘ସମାଜ’ ଖବରକାଗଜର ପ୍ରକୃତ ମାଲିକ ହେଉଛନ୍ତି ସାଢ଼େ ଚାରି କୋଟି ଓଡ଼ିଶାବାସୀ। ସେମାନଙ୍କ ପକ୍ଷରୁ ଓଡ଼ିଶାର ପ୍ରଥମ ନାଗରିକ ଏହି ସମ୍ମାନ ‘ସମାଜ’କୁ ପ୍ରଦାନ କରିଛନ୍ତି। ଏହି ଖବରକାଗଜ ଲୋକଙ୍କ ସ୍ବର ହୋଇ ଥିବାବେଳେ ଆଗାମୀ ଦିନରେ ଏହାକୁ ବଜାୟ ରଖିବା ନିମନ୍ତେ ପ୍ରୟାସ ଜାରି ରହିବ।
ଏହି ପରିପ୍ରେକ୍ଷୀରେ କଳା, ସାହିତ୍ୟ, ସଂସ୍କୃତି, ନୃତ୍ୟ, ପୁଲିସସେବା, ସ୍ୱାସ୍ଥ୍ୟ, ସାହସିକତା, ଗଣମାଧ୍ୟମ, ଆଇନ, ଶିଳ୍ପ, ଅର୍ଥନୀତି ଓ ସମାଜସେବା ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମେଘାଳୟ ପୁଲିସ ମହାନିର୍ଦେଶକ ଜି.ହରି ପ୍ରସାଦ ରାଜୁ, ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି, କବି ରକ୍ଷକ ନାୟକ, ବିଜୟ କୁମାର ସାହୁ, ଡ. କିଶୋର କୁମାର ପାଣିଗ୍ରାହୀ, ଖାରବେଳନଗର ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ, ବିଜୟ ଖ‌େ‌ଣ୍ଡଲୱାଲାଙ୍କ ସମେତ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ଚିନ୍ତା ଓ ଚେତନା ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା।

Comments are closed.