ନୂଆଦିଲ୍ଲୀ: ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଲାଗି ରହିଥିବା କ୍ଷମତା ବିବାଦ ତୁଟିପାରୁ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସତ୍ତ୍ବେ ଏହି କ୍ଷମତା ବିବାଦ ଥମୁ ନାହିଁ। କ୍ଷମତା ବିବାଦକୁ ନେଇ ଶୁକ୍ରବାର ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଉପରାଜ୍ୟପାଳ ଭିକେ ସାକସେନାଙ୍କ ବାସଭବନ (ରାଜଭବନ) ଆଗରେ ଧାରଣା ଦେଇଛନ୍ତି। ଦିଲ୍ଲୀ ସରକାରଙ୍କ ସର୍ଭିସେସ୍ ବିଭାଗ ମନ୍ତ୍ରୀ ସୌରଭ ଭରଦ୍ବାଜ ଅଭିଯୋଗ କରିଛନ୍ତି ଯେ ସରକାରୀ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସମ୍ପର୍କିତ ଫାଇଲକୁ ଉପରାଜ୍ୟପାଳ ଅନୁମୋଦନ କରୁନାହାନ୍ତି। କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ଉପରାଜ୍ୟପାଳ ନିର୍ବାଚିତ ସରକାରଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବାରେ ଏକପ୍ରକାର ଟାଳଟୁଳ ନୀତି ଅବଳମ୍ବନ କରୁଛନ୍ତି। ଯାହା ପରୋକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଉପେକ୍ଷା କରୁଛି। ଗତ ସପ୍ତାହରେ ସୁପ୍ରିମକୋର୍ଟ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ କ୍ଷମତା ବିବାଦ ଉପରେ ନିଷ୍ପତ୍ତି ଶୁଣାଇଥିଲେ। ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ କାର୍ଯ୍ୟପାଳିକା କ୍ଷମତା (କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି) ଦିଆଯାଇଛି। ଏହି କ୍ଷମତା ଆଧାରରେ ଦିଲ୍ଲୀ ସରକାର ସର୍ଭିସେସ୍ ସଚିବ ଆଶିଷ ମୋରେଙ୍କୁ ବଦଳି କରିବା ଲାଗି ଉପରାଜ୍ୟପାଳଙ୍କୁ ସୁପାରିସ କରିଥିଲେ। ଏହି ସୁପାରିସକୁ ସପ୍ତାହେ ବିତି ଯାଇଥିବାବେଳେ ଉପରାଜ୍ୟପାଳ କୌଣସି ନିଷ୍ପତ୍ତି ଜଣାଉ ନାହାନ୍ତି। ଉପରାଜ୍ୟପାଳଙ୍କ ଏପରି କାର୍ଯ୍ୟକୁ ବିରୋଧ କରି ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସୌରଭ ଭରଦ୍ବାଜ, ଅତୀସୀ, କୈଳାସ ଗହଲୋତ, ରାଜ କୁମାର ଆନନ୍ଦ ପ୍ରମୁଖ ତାଙ୍କ ବାସଭବନ ଆଗରେ ଧାରଣା ଦେଇଛନ୍ତି। ମୋରେଙ୍କ ବଦଳି ସହିତ ବରିଷ୍ଠ ଆଇଏଏସ୍ ପିକେ ଗୁପ୍ତା ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେବା ଲାଗି ଦିଲ୍ଲୀ ସରକାର କେନ୍ଦ୍ରକୁ ସୁପାରିସ କରିଛନ୍ତି।
ଦିଲ୍ଲୀ ସରକାରଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବାରେ ଉପରାଜ୍ୟପାଳଙ୍କ ଟାଳଟୁଳ ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଓଲଟପାଲଟ କରିବା ଲାଗି କେନ୍ଦ୍ର ସରକାର ଯୋଜନା ଚଳାଇଛନ୍ତି। ସରକାର ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅଚଳ କରିବେ। କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିବା ପର୍ଯ୍ୟନ୍ତ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ସୁପାରିସକୁ ଅଟକାଇ ରଖିବାକୁ ଚାହଁୁଛନ୍ତି।



