କେବେ ସରିବ ଦାଦନ ଦୁଃଖ? ପୁଣି ଶବ ହୋଇ ଫେରିଲେ ଶ୍ରମିକ

ନର୍ଲା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଦାଦନ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ଏବଂ ନିର୍ଯ୍ୟାତନା ଖବର। ପେଟ ପାଇଁ ରୋଜଗାର ଆଶାରେ ନିଜ ଭିଟାମାଟି ଛାଡ଼ି ପରଦେଶକୁ ଯାଇ ଦାଦନ ଖଟିଖଟି ଶେଷରେ ଶବ ହୋଇ ଫେରୁଛନ୍ତି ଶ୍ରମିକ। ପୁଣି ଏମିତି ଏକ ଦୁଃଖଦ ଘଟଣା ଘଟିଛି ନର୍ଲା ଥାନା ଅନ୍ତର୍ଗତ ନର୍ଲା ପଂଚାୟତର ଡଙ୍ଗରମାଲ ଗ୍ରାମରେ।

prayash

ସୂଚନା ମୁତାବକ, ଡଙ୍ଗରମାଲ ଗ୍ରାମରେ ବାସ କରନ୍ତି ଅର୍ଚ୍ଛୁ ମାଝୀ। ଗତ କିଛି ମାସ ତଳେ ଝିଅ ବାହାଘର କରି ସର୍ବସ୍ବାନ୍ତ ହୋଇଥିଲେ। ଏହି କଷ୍ଟ ଦେଖି ତାଙ୍କର ମଝିଆଁ ପୁଅ ଲକ୍ଷ୍ମୀକାନ୍ତ ମାଝୀ ଗତ ଏପ୍ରିଲ ୬ ତାରିଖରେ ସାଙ୍ଗସାଥୀଙ୍କ ସହ ଦାଦନ ଖଟିବାକୁ ସିକନ୍ଦରାବାଦ ଯାଇଥିଲେ। ସେଠାରେ ଲକ୍ଷ୍ମୀକାନ୍ତଙ୍କ ଦେହ ଅସୁସ୍ଥ ହେବାରୁ ଗତ ୧୯ ତାରିଖରେ ସିକନ୍ଦରାବାଦରୁ ଟ୍ରେନ୍ ଯୋଗେ ଘରକୁ ଫେରୁଥିବା ସମୟରେ ବିଶାଖାପାଟଣା ଷ୍ଟେସନରେ ଓହ୍ଲାଇଥିଲେ। ଲକ୍ଷ୍ମୀକାନ୍ତ ଅନ୍ୟ ଟ୍ରେନରେ ଗାଁକୁ ଯିବାକୁ ଅପେକ୍ଷା କରିଥିବା ବେଳେ ଦେହ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାରେ ଷ୍ଟେସନରୁ ଅଳ୍ପ ଦୂରରେ ଥିବା ଏକ କୋଇଲା ଗଦାରେ ପଡ଼ିରହିଥିଲେ। ସେଠାରୁ ସ୍ଥାନୀୟ ଲୋକେ ଗତ ୨୧ ରିଖ ଦିନ ଉଦ୍ଧାର କରି ନିକଟସ୍ଥ ସରକାରୀ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଲକ୍ଷ୍ମୀକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ ୨ ଦିନ ମୃତଦେହ ମେଡ଼ିକାଲରେ ପଡ଼ିରହିବା ପରେ ମୃତକଙ୍କ ବାପାଙ୍କୁ ଫୋନ ଆସିଥିଲା। ଏହାପରେ ବିଶାଖାପାଟଣା ସହରକୁ ଯାଇ ତିନିଦିନ ଯାଏଁ ରେଳ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ପ୍ରଶାସନ ପାଖରେ କାକୁତି ମିନତି ସହିତ ସଂଘର୍ଷ କରି ନିଜ ପୁଅର ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଗୁରୁବାର ରାତିରେ ନିଜ ଗାଁକୁ ଆଣିଛନ୍ତି ବାପା ଅର୍ଚ୍ଛୁ ମାଝୀ।

Comments are closed.