ତାଇୱାନକୁ ଘେରିଲା ପିଏଲ୍‍ଏ

ନାନ୍ସି ପେଲୋସି ତାଇପେ ଛାଡ଼ିଲେ; ଘନେଇଲା ଯୁଦ୍ଧ ଆଶଙ୍କା, ବେଜିଂକୁ ଅପମାନିତ କରିଥିବା କାହାକୁ ଛାଡିବୁ ନାହିଁ : ଚୀନ ବିଦେଶ ମନ୍ତ୍ରୀ

ବେଜିଂ/ତାଇପେ : ଚୀନର କଡ଼ା ତାଗିଦ ଓ ଚେତାବନୀ ସତ୍ତ୍ବେ ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସିଙ୍କର ତାଇୱାନ ଗସ୍ତ ପରେ ଚୀନ ରକ୍ତମୁଖା ପାଲଟିଛି। ଏହା ତାଇୱାନକୁ ଆକ୍ରମଣ କରିବା ସହିତ ଆମେରିକାକୁ କଡା ଜବାବ ଦେବାକୁ ଦୃଢତାର ସହିତ କହିଛି। ନାନ୍ସି ପେଲୋସି ବୁଧବାର ସନ୍ଧ୍ୟା ୬ଟାରେ ତାଇପେ ଛାଡିଥିବାବେଳେ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‍ଏ) ଛଅଟି ସ୍ଥାନରେ ତାଇୱାନକୁ ଘେରିଛନ୍ତି। ତାଇୱାନ ସାଗରକୁ ଚୀନ ନିଜର ଅତ୍ୟାଧୁନିକ ଯୁଦ୍ଧ ଜାହାଜ ପଠାଇବା ସହିତ ୨୭ଟି ଚାଇନା ଯୁଦ୍ଧ ବିମାନ ତାଇୱାନ ବାୟୁ ପ୍ରତିରକ୍ଷା ଜୋନ୍‍ ମଧ୍ୟକୁ ପ୍ରବେଶ କରି ସେଠାରେ ଉଡାଣ କରିଛି। ତାଇୱାନ ପ୍ରଣାଳୀରେ ଚୀନ ନିଜର ସମରାଭ୍ୟାସକୁ ବ୍ୟାପକ କରିବା ସହିତ ଏହାର ସିଭି-୧୭ ବିମାନବାହୀ ଯୁଦ୍ଧଜାହାଜ ଏବଂ ଲିଆଓନିଙ୍ଗକୁ ତାଇୱାନ ପ୍ରଣାଳୀର ଉତ୍ତର ଓ ଦକ୍ଷିଣରେ ମୁତୟନ କରାଯାଇଛି। ଆମେରିକାର ଚାରିଟି ଯୁଦ୍ଧ ଜାହାଜ ତାଇୱାନର ପୂର୍ବରେ ଚୀନର ମୁକାବିଲା କରିବାକୁ ପହଞ୍ଚିଥିବାବେଳେ ସେଗୁଡିକ ଯେଭଳି ତାଇୱାନ ପ୍ରଣାଳୀ ମଧ୍ୟକୁ ପ୍ରବେଶ କରିନପାରିବ, ସେଥିପାଇଁ ଚୀନ ସମସ୍ତ ପ୍ରସ୍ତୁତି ଶେଷ କରିଛି।
ଚୀନକୁ ରୁଷ ଓ ପାକିସ୍ତାନ ସମର୍ଥନ ଜଣାଇବା ପରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‍ ଉଭୟ ତାଇୱାନ ଓ ଆମେରିକୀୟ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯିବ ବୋଲି ଘୋଷଣା କରିଛନ୍ତି। ନାନ୍ସି ପେଲୋସି ତାଙ୍କର ତାଇପେ ଗସ୍ତ କାଳରେ ତିବତ ପ୍ରତିନିଧିମଣ୍ଡଳୀ ଓ ତାଇୱାନର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ତାଙ୍କର ଏହି ଗସ୍ତକୁ ନେଇ ବିଚଳିତ ହୋଇପଡ଼ିଥିବା ଚୀନର ପିଏଲ୍‍ଏ ପୂର୍ବାଞ୍ଚଳ ଥିଏଟର କମାଣ୍ଡ୍‍ ପକ୍ଷରୁ ଅତ୍ୟାଧୁନିକ ଲଢୁଆ ଯୁଦ୍ଧ ବିମାନଗୁଡିକୁ ତାଇୱାନ ସୀମା ନିକଟକୁ ପଠାଯାଇଛି। ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିବାକୁ ଚୀନ ନିଜର ମିଳିତ ସମରାଭ୍ୟାସର ଏକାଧିକ ଭିଡିଓ ଜାରି କରିଛି। ତାଇୱାନ ମଧ୍ୟ ପେଲୋସିଙ୍କ ଗସ୍ତକୁ ନେଇ ଉତ୍ସାହିତ ରହିଛି ଏବଂ ଚୀନ ଆକ୍ରମଣର ଜବାବ ଦେବାକୁ ନିଜର ସେନାଙ୍କୁ ପୂର୍ଣ୍ଣ ପ୍ରସ୍ତୁତ ରଖିଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ସନ୍‍ ଲି-ଫାଙ୍ଗ୍‍ କହିଛନ୍ତି ଯେ ଏହାର ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ଚୀନ ସମରାଭ୍ୟାସ କରିଛି, ଯାହା ଜାତିସଂଘ ନିୟମର ଖୋଲା ଉଲ୍ଲଂଘନ। ଅନ୍ୟପକ୍ଷରେ ଚୀନର ପୂର୍ବାଞ୍ଚଳ ଥିଏଟର କମାଣ୍ଡ ପକ୍ଷରୁ କୁହାଯାଇଛି ଯେ ଏହାର ନୌ ସେନା, ବିମାନ ବାହିନୀ, ରକେଟ ବାହିନୀ, ରଣକୌଶଳାତ୍ମକ ସହାୟକ ବାହିନୀ ଏବଂ ମିଳିତ ଲଜିଷ୍ଟିକ୍ସ ସହାୟକ ବାହିନୀର ଯବାନମାନେ ମିଳିତ ଭାବରେ ବୁଧବାର ତାଇୱାନର ଉତ୍ତର, ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବରେ ସମରାଭ୍ୟାସ କରିଛନ୍ତି।
ସବୁଠାରୁ ମୁଖ୍ୟ କଥା ହେଉଛି ପେଲୋସିଙ୍କ ଗସ୍ତ ପରେ ଏବେ ଆମେରିକା ଓ ଚୀନ ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଛି। ୨୦୦୮ ଅର୍ଥନୈତିକ ମାନ୍ଦା ଅବସ୍ଥା ପରବର୍ତ୍ତୀ ସମୟରେ ଚୀନ ବିଶ୍ୱରେ ଆମେରିକାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଥିବାବେଳେ ସମ୍ପ୍ରତି ତାଇୱାନ ପ୍ରସଙ୍ଗକୁ ନେଇ ବିଶ୍ୱରେ କେଉଁ ରାଷ୍ଟ୍ର ସର୍ବାଧିକ ଶକ୍ତିଶାଳୀ ତାହା ପ୍ରତିପାଦନ କରିବାକୁ ଦୁଇ ରାଷ୍ଟ୍ର ମଧ୍ୟରେ ନିର୍ଣ୍ଣାୟକ ଲଢେଇ ହେବା ଆଶଙ୍କା ଘନୀଭୂତ ହୋଇଛି। ତାଇୱାନକୁ ଚୀନ ନିଜର ଅଂଶ ବୋଲି କହୁଥିବାବେଳେ ତାଇୱାନର ଏକ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର, ନିଜସ୍ୱ ମୁଦ୍ରା ଓ ସେନା ରହିଛି। ତାଇୱାନ ବିଶ୍ୱର ଅଗ୍ରଣୀ ଚିପ୍‍ ପ୍ରସ୍ତୁତକାରୀ ରାଷ୍ଟ୍ର ଭାବରେ ପରିଚିତ ଏବଂ ଏହାର ଚିପ୍‍ଗୁଡିକ ବିଶ୍ୱରେ ବ୍ୟବହାର ହେଉଥିବା ଲାପ୍‍ଟପ, ଘଣ୍ଟା ଓ ଗେମ୍‍ କନ୍‍ସୋଲ ଆଦି ଇଲେକଟ୍ରୋନିକ ସାମଗ୍ରୀରେ ବ୍ୟବହାର କରାଯାଉଛି। ତେବେ ବିଶ୍ୱର ଅଳ୍ପ କିଛି ରାଷ୍ଟ୍ର ଏବଂ ଭାଟିକାନ୍‍ ତାଇୱାନକୁ ଏକ ସାର୍ବଭୌମ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି। ତେବେ ଚୀନ ତାଇୱାନକୁ ସ୍ୱୀକୃତି ନଦେବାକୁ ଅନ୍ୟ ରାଷ୍ଟ୍ରଗୁଡିକ ଉପରେ ଚାପ ପକାଇବାରେ ଲାଗିଛି। ତେବେ ଚୀନର ଏଭଳି ପ୍ରୟାସକୁ ଆମେରିକା ଦୃଢ ବିରୋଧ କରିବା ସହିତ ଚୀନ ପଟୁ କୌଣସି ଆକ୍ରମଣ ହେଲେ ତାଇୱାନକୁ ସୁରକ୍ଷା ଦେବ ବୋଲି କହିଆସୁଛି। ସମ୍ପ୍ରତି ପେଲୋସିଙ୍କ ଗସ୍ତ ପରେ ଚୀନ ସରକାର ତାଇୱାନରୁ ସମସ୍ତ ଆମଦାନୀ ବନ୍ଦ କରିଦେଇଛନ୍ତି। ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପେଲୋସିଙ୍କ ଗସ୍ତ ତାଇୱାନ ପ୍ରଣାଳୀରେ ଶାନ୍ତି ଓ ସ୍ଥିରତା ପ୍ରତି ଗୁରୁତର କ୍ଷତି ପହଞ୍ଚାଇଛି। ଏହା ଚୀନକୁ ଖୋଲାଖୋଲି ଉସୁକାଇବା ଭଳି ହୋଇଛି।

kalyan agarbati

Comments are closed.