ଭୁବନେଶ୍ବର: ଭୁବନେଶ୍ବର- ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ନାମ ବଦଳିଛି। ଭୁବନେଶ୍ବର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ ଭାବରେ ଏହାର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଭୁବନେଶ୍ୱର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ ନିୟମିତ ଚଳାଚଳ କରିବ। ପୂର୍ବରୁ ଏଲଏଚବି କୋଚ୍ ବଦଳରେ ଏଣିକି ତେଜସ୍ ରେକ୍ ସହିତ ସେବା ଆରମ୍ଭ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ତେଜସ୍ କୋଚ ସହିତ ସମ୍ବଲପୁର ମାର୍ଗ ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଯାତ୍ରୀଙ୍କୁ ଆଧୁନିକ ସୁବିଧା ଯୋଗାଇବ। ଶନିବାର ଏହା ଭୁବନେଶ୍ୱର ରେଳ ଷ୍ଟେସନରୁ ନିୟମିତ ସେବା ଆରମ୍ଭ କରିଛି। ଅନ୍ୟ ମାର୍ଗ ଦେଇ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ ରେଳ ଗୁଡ଼ିକରେ ଖୁବ ଶୀଘ୍ର ପର୍ଯ୍ୟାୟକ୍ରମେ କିଛି ଦିନ ବ୍ୟବଧାନରେ ତେଜସ ରେକ ଖୁବ୍ ଶୀଘ୍ର ପ୍ରଚଳନ କରାଯିବ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ତେଜସ୍ ରାଜଧାନୀ ରେଳ ଚଳାଚଳ ଶୁଭାରମ୍ଭ କରିଥିଲେ। ଏହି ରେଳର ନିୟମିତ ସେବା ଶନିବାରରୁ କେବଳ ସମ୍ବଲପୁର ସିଟି ଏବଂ ରାଉରକେଲା ମାର୍ଗ ଦେଇ ଆରମ୍ଭ ହୋଇଛି। ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ କଲ୍ୟାଣ ପଟ୍ଟନାୟକଙ୍କ ନେତୃତ୍ୱରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ବରିଷ୍ଠ ଅଧିକାରୀ ନୂଆଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ଏହି ରେଳକୁ ଯାଞ୍ଚ କରିଥିଲେ।



