ମହିଳା ଓ ଶିଶୁ ସୁରକ୍ଷାକୁ ଅଗ୍ରାଧିକାର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମହିଳା ଓ ଶିଶୁ ସୁରକ୍ଷାକୁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଉଛନ୍ତି। ମହିଳା ଓ ନାବାଳିକା ବିରୋଧୀ ମାମଲାଗୁଡ଼ିକର ତ୍ୱରିତ ଅନୁସନ୍ଧାନ, କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ପ୍ରସଙ୍ଗରେ ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବି ପ୍ରସ୍ତାବର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଆଇନ ଶ୍ୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ପୂର୍ବବର୍ଷଗୁଡ଼ିକ ତୁଳନାରେ ଏଥିରେ ଅଧିକ ଉନ୍ନତି ଆସିଛି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି। ରାଜ୍ୟରେ ମାଓ ହିଂସା ଓ ହତ୍ୟା ଘଟଣା ହ୍ରାସ ପାଇଛି।
ମହିଳା ଓ ଶିଶୁ ସୁରକ୍ଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା, ଶିଶୁ ଓ ଦୁର୍ବଳ ବର୍ଗର ସୁରକ୍ଷାକୁ ଓଡ଼ିଶା ସରକାର ଅଗ୍ରାଧିକାର ଦେଉଛନ୍ତି। ମହିଳା ଓ ନାବାଳିକା ବିରୋଧୀ ଅପରାଧ ମାମଲାଗୁଡ଼ିକରେ କଠୋର ଓ ଯଥୋଚିତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି। ମହିଳା ଓ ନାବାଳିକା ବିରୋଧୀ ଗର୍ହିତ ମାମଲାଗୁଡ଼ିକୁ ବରିଷ୍ଠ ପୁଲିସ ଅଧିକାରୀମାନେ ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି। ଉକ୍ତ ମାମଲାଗୁଡ଼ିକର ତ୍ୱରିତ ଫଇସଲା ଓ ନ୍ୟାୟ ବିଚାର ପାଇଁ ସ୍ୱତନ୍ତ୍ର ସରକାରୀ ଓକିଲ ଓ ସ୍ୱତନ୍ତ୍ର ତଦନ୍ତକାରୀ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ମାମଲାଗୁଡ଼ିକର ତ୍ୱରିତ ପଞ୍ଜିକରଣ, ପେସାଦାର ଅନୁସନ୍ଧାନ ଓ ସମାଧାନ, ପୀଡ଼ିତଙ୍କୁ ଉଚିତ ନ୍ୟାୟ ପ୍ରଦାନ ପ୍ରକ୍ରିିୟାକୁ ପ୍ରାଥମିକତା ଦିଆଯାଉଛି। ଏକାକୀ ରହୁଥିବା ଶିକ୍ଷା ସହାୟିକା, ଷ୍ଟାଫ୍ ନର୍ସଙ୍କୁ ଅନୁରୋଧ ମାତ୍ରେ ପୁଲିସ ସହାୟତା ଯୋଗାଇ ଦେବାକୁ ସମସ୍ତ ଥାନାକୁ ନିର୍ଦେଶ ଦିଆଯାଇଛି। ଏଥିସହିତ ୱାର୍କିଂ ୱିମେନ୍ସ ହଷ୍ଟେଲ୍, ମହିଳା କଲେଜ୍, ମହିଳା ତାଲିମ୍ କେନ୍ଦ୍ର ନିକଟରେ ପୁଲିସ ପାଟ୍ରୋଲିଂକୁ ଅଗ୍ରାଧିକାର ଦେବା ପାଇଁ କୁହାଯାଇଛି। ମଲ୍, ସିନେମା ହଲ୍, ବଡ଼ ଦୋକାନ ଗୃହ, ବସ୍ ଷ୍ଟାଣ୍ଡ ଆଦି ଜନଗହଳିପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଯାଇଛି କି ନାହିଁ ତାହା ନିଶ୍ଚିତ ହେବାକୁ କୁହାଯାଇଛି। ସରକାରୀ ଅନୁଷ୍ଠାନ ଓ ବିଭାଗ ବ୍ୟତୀତ ରାଜ୍ୟରେ ଅନେକ ବେସରକାରୀ ଅନୁଷ୍ଠାନ ମହିଳା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଓ ପ୍ରଭାବଶାଳୀ କାର୍ଯ୍ୟ କରୁଛନ୍ତି।
ରାଜ୍ୟରେ ଶାନ୍ତି ଓ ସଂହତି ପ୍ରତିଷ୍ଠା ଏବଂ ରାଜ୍ୟବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ରାଜ୍ୟ ସରକାର ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ରାଜନୀତିରୁ ଊଦ୍ଧ୍ୱର୍ରେ ରହି ରାଜ୍ୟର ଦୁର୍ବଳ ବର୍ଗର ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ସେ ବିଧାୟକଙ୍କୁ ଆହ୍ୱାନ ଦେଇଛନ୍ତି।