ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ ପାଇଁ ନିଯୁକ୍ତି ସୁଯୋଗ ବିଭିନ୍ନ ବେସରକାରୀ ଅନୁଷ୍ଠାନ, ସଂସ୍ଥାମାନଙ୍କରେ ଦେବାପାଇଁ ଜିଲ୍ଲା ନିୟୋଜନ କାର୍ୟ୍ୟାଳୟ ତରଫରୁ ସ୍ଥାନୀୟ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରରେ ଏକ ନିଯୁକ୍ତି ମେଳା ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ୧୮୦ ଜଣ ନିଯୁକ୍ତି ପାଇଁ ଆଶାୟୀ ଶିକ୍ଷିତ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିଲେ। ସେଥିମଧ୍ୟରୁ ୧୨୮ ଜଣ ଯୁବକଯୁବତୀଙ୍କୁ ବିଭିନ୍ନ ବେସରକାରୀ ସଂସ୍ଥା, ଅନୁଷ୍ଠାନ ଦ୍ଵାରା ନିଯୁକ୍ତ ପ୍ରଦାନ କରାଯିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୮ ଗୋଟି ନିଯୁକ୍ତି ଦାତା ଯୋଗଦେଇଥିଲେ ଏବଂ ସେମାନେ ଯୋଗ୍ୟ ପିଲାଙ୍କୁ ଏସବୁ ନିଯୁକ୍ତି ପ୍ରଦାନ କରିବେ। ଏହି ନିଯୁକ୍ତି ମେଳା ର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗଦେଇ ନିଯୁକ୍ତି ମେଳାର ଉଦଘାଟନ କରି ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀ କିପରି ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ଅର୍ଜନ କରି ଆତ୍ମନିର୍ଭରଶୀଳ ହୋଇ ନିଜ ନିଜ ର ପରିବାର ପ୍ରତିପୋଷଣରେ ସହାୟକ ହୋଇପାରିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ମଧ୍ୟ ଜିଲ୍ଲାରେ ନିଯୁକ୍ତି ମେଳା ଆୟୋଜନ କରି ଯୋଗ୍ୟ ବିବେଚିତ ଯୁବକ ଯୁବତୀ କିପରି ନିଯୁକ୍ତିଦାତାମାନଙ୍କ ଦ୍ବାରା ଅଧିକ ନିଯୁକ୍ତି ସୁଯୋଗ ପାଇପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଜିଲ୍ଲା ନିୟୋଜନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।



