ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଥିବା କଲବର୍ଟ ତଳେ ଭାଲୁ ଛୁଆ ଦେଇଥିବା ଯୋଗୁଁ ସେହି ରାସ୍ତାଦେଇ ଯାଆସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖାଦେଇଛି। ସୂଚନା ମୁତାବକ ନବରଙ୍ଗପୁରରୁ ନନ୍ଦାହାଣ୍ଡି ଯିବା ଆସିବା କରିବା ମୁଖ୍ୟ ରାସ୍ତାର ଖୁଣ୍ଟିଆ ଗ୍ରାମ ନିକଟରେ ଏକ କଲଭର୍ଟ ତଳେ ଏକ ମାଇ ଭାଲୁ ଦୁଇଟି ଛୁଆ ଦେଇଥିବା ଲୋକେ ଦେଖିବାକୁ ପାଇବା ପରେ ସେହି ରାସ୍ତା ଦେଇ ଯିବାଆସିବା କରିବା ଲୋକେ ଭୟଭୀତ ହେବା ସହ ଜଙ୍ଗଲ ବିଭାଗଙ୍କୁ ଜଣାଇଥିଲେ। ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟକୁ ଦୈନନ୍ଦିନ ଶହ ଶହ ସଂଖ୍ୟାରେ ଲୋକେ ଯିବା ଆସିବା କରୁଥିବା ବେଳେ ପ୍ରାୟତଃ ସେହି ରାସ୍ତା ଜନଗହଳି ପୂର୍ଣ୍ଣ ହୋଇ ରହିଥାଏ, ଏପରି ସ୍ଥଳେ ଭାଲୁଟି ସେହି ରାସ୍ତା କଲଭର୍ଟ ତଳେ ଛୁଆ ଜନ୍ମ କରିବା ଦେଖିବାକୁ ପାଇବା ପରେ ସେହି ରାସ୍ତାରେ ଯିବାପାଇଁ ଲୋକେ ଭୟ କରିଥିଲେ।
ଖବର ପାଇ ନବରଙ୍ଗପୁର ରେଞ୍ଜ ଅଫିସର ସେତୁ ଗମାଙ୍ଗ, ବନାଞ୍ଚଳ ଅଧିକାରୀ ଅସିତ କୁମାର ସାହୁ ଏବଂ ବନ ବିଭାଗ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ସଚେତନ କରାଇବା ଶହ କଲଭର୍ଟ ଚାରିପାଖରେ ବାଉଁଶ ଘେରା କରି ସେଠାରେ ଜଗି ରହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଭାଲୁ ଛୁଆର ଆଖି ଖୋଲିବା ପରେ ଭାଲୁ ଓ ତାର ଦୁଇଟି ଛୁଆ ଯେପରି ସୁରକ୍ଷିତ ଅବସ୍ଥାରେ ଜଙ୍ଗଲକୁ ଯିବେ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା କହିଛନ୍ତି ବନବିଭାଗ ଅଧିକାରୀ। ଭାଲୁକୁ ସେଠାରୁ ଜଙ୍ଗଲକୁ ଯିବା ପର୍ଯ୍ୟନ୍ତ ବନବିଭାଗ କର୍ମଚାରୀ ସେଠାରେ ଜଗି ରହିବେ ବୋଲି ସୂଚନା ମିଳିଛି।



