ପରୀକ୍ଷାରେ ଫେଲ୍‍ ହେଲା ପୁଅ, ପରିବାରରେ କେକ୍‍ କାଟି ସେଲିବ୍ରେସନ

ସମାଜ ଡିଜିଟାଲ ଡେସ୍କ: ଆମେ ଯଦି ମାଟ୍ରିକ ପରୀକ୍ଷାରେ ଫେଲ ହେବା ତେବେ ଘରେ ଗାଳି ଶୁଣିବା ଓ କାହାକୁ ମୁହଁ ଦେଖାଇ ପାରୁନା । ପରିବାରରେ ସବୁ ସଦସ୍ୟ ଗାଳିଗୁଲଜ କରିବା ସହ ଅନେକ କଟୁ କଥା କହିଛନ୍ତି । କିନ୍ତୁ ଏପରି କିଛି ପରିବାର ଲୋକେ ଅଛନ୍ତି ଯେଉଁମାନେ କି ତାଙ୍କ ପିଲା ପରୀକ୍ଷାରେ ଫେଲ୍‍ ହେବା କାରଣରୁ କେକ୍‍ କାଟି ସେଲିବ୍ରେସନ କରିଛନ୍ତି । ହଁ ଘଟଣାଟି ଅଜବ ଲାଗୁଥିଲେ ବି ସତ୍ୟ । କର୍ଣ୍ଣାଟକ ବାଗଲପୁରରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଛାତ୍ର ଜଣଙ୍କ ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ପରିବାରରେ ଖୁସିର ମାହୋଲ ରହିଥିଲା । ଜନ୍ମଦିନ ଭଳି ଘରେ କେକ୍‍ କାଟି ପୁଅକୁ ଖୁଆଇବା ସହ ସେଲିବ୍ରେସନ କରିଛନ୍ତି ପରିବାର ସଦସ୍ୟ । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହୋଇଛି ।

କର୍ଣ୍ଣାଟକ ବାଗଲକୋଟ ବାସାଭେଶ୍ୱର ଇଂରାଜୀ ମିଡିୟମରେ ପାଠ ପଢୁଥିବା ୧୭ବର୍ଷୀୟ ଅଭିଷେକ ଚଲୋଚାଗୁଡଡା ଚଳିତ ମାଟ୍ରିକ ପରୀକ୍ଷାରେ ୬୦୦ମାର୍କରୁ ୨୦୦ ମାର୍କ ରଖି ଫେଲ୍‍ ହୋଇଛନ୍ତି । ରେଜଲ୍ଟ ବାହାରିବା ପରେ ଏହା ଜଣାପଡିବାରୁ ଅଭିଷେକଙ୍କ ସାଙ୍ଗମାନେ ତାଙ୍କୁ ଚିଡାଇବାକୁ ଲାଗିଲେ । ମାତ୍ର ୩୨ପ୍ରତିଶତ ମାର୍କ ରଖିଥିବାରୁ ଲଜ୍ଜ୍ୟରେ ଅଭିଷେକ ସେଦିନ ସ୍କୁଲରୁ ଆଉ ଘରକୁ ଫେରିନଥିଲେ । ଘର ଲୋକମାନେ ତାଙ୍କୁ ସବୁଠି ଖୋଜି ନୟାନ୍ତ ହେବାରୁ ଚିନ୍ତାରେ ପଡିଯାଇଥିଲେ । ହେଲେ ପରଦିନ ଅଭିଷେକଙ୍କୁ ଖୋଜି ପାଇବାରୁ ବାପା ମା ଦୁହେଁ ଖୁସି ହୋଇଯାଇଥିଲେ । ପରିବାରରେ ଖୁସିର ମାହୋଲ ହେବା ସହ ଅଭିଷେକଙ୍କ ପାଇଁ ଜନ୍ମଦିନ ଭଳି କେକ୍‍ କାଟି ସେଲିବ୍ରେସନ କରାଯାଇଥିଲା । ଯେପରି ତାଙ୍କ ମନ ଖୁସି ହେବ । ଏସବୁ ଦେଖି ଅଭିଷେକ କହିଛନ୍ତି ମୁଁ ଆଉ ଥରେ ପରୀକ୍ଷା ଦେବି ଏବଂ ପାସ ହୋଇ ବାପା ମା ନାମ ରଖିବି ।

ଗଣମାଧ୍ୟମରେ ଅଭିଷେକଙ୍କ ବାପା କହିଛନ୍ତି ଯେତେବେଳେ ଅଭିଷେକ ବର୍ଷକର ଥିଲା ପାଦରେ ନିଆଁ ଲାଗିବାରୁ ସେ ସ୍ମରଣ ଶକ୍ତି ହରାଇଥିଲେ । ଧୀରେ ସୁଧାର ଆସିବା ପରେ ମଧ୍ୟ ବର୍ତ୍ତମାନ ବି ସ୍ମରଣ ଶକ୍ତି ଟିକେ କମ୍‍ ରହିଛି । ଏହାସତ୍ୱ ସେ ଦଶମ ପର୍ଯ୍ୟନ୍ତ ଇଂରାଜୀରେ ପାଠ ପଢି ଆସିପାରିଛନ୍ତି । ମୋର ଆଶା ସେ ଆଗକୁ ମଧ୍ୟ ଭଲ ପାଠ ପଢିବ । ଏଭଳି ସେଲିବ୍ରେସନ କରି ଆମେ ତା’ ସହିତ ସବୁ ପରିସ୍ଥିତିରେ ରହିଛୁ ବୋଲି କହିଛନ୍ତି ଅଭିଷେକଙ୍କ ବାପା । କର୍ଣ୍ଣାଟକରେ ଏଭଳି ଖବର ଏବେ ସବୁଠି ଚର୍ଚ୍ଚା ହୋଇଛି । ପିଲାମାନେ ରେଜଲ୍ଟ ଯାହା ବି କରନ୍ତୁ ପରିବାର ଲୋକେ ତାଙ୍କ ମାନସିକ ସ୍ଥିତି ବୁଝିବା ସହ ସେମାନଙ୍କ ସହ ଆଲୋଚନା କରିବା ଜରୁରୀ । ଛାତ୍ରମାନେ ସାହି ପଡିଶା ଓ ସାଙ୍ଗମାନଙ୍କ କଥାରୁ ନିବୃତ୍ତ ରହିବା ମଧ୍ୟ ଜରୁରୀ ।

 

Comments are closed.