ପଞ୍ଚାୟତରେ ବଳାତ୍କାର ଅଭିଯୋଗ: ୩୦ହଜାର ଟଙ୍କା ଓ ମାଂସ ଭୋଜି ବିନିମୟରେ ହେଲା ସମାଧାନ

0

ରାୟପୁର: ମହିଳାଙ୍କୁ ସୁରକ୍ଷା ଓ ମହିଳାଙ୍କ ପ୍ରତି ଅପରାଧର ପ୍ରତିବାଦରେ ବିଭିନ୍ନ ସଂଗଠନ ସେମାନଙ୍କ ସ୍ୱର ଉତ୍ତୋଳନ କରୁଥିବାବେଳେ ଦେଶରେ ଆଜି ବି ଏଭଳି କିଛି ସ୍ଥାନ ରହିଛି ଯେଉଁଠି ନ୍ୟାୟ ଦେବା ନାମରେ ମହିଳାଙ୍କ ସ୍ୱାଭିମାନ ସହ ଉପହାସ କରାଯାଉ ଥିବା ପରିଲକ୍ଷିତ ହେଉଛି। ଏଭଳି ଘଟଣା ଘଟିଛି ଛତିଶଗଡ଼ ପରି ରାଜ୍ୟରେ।
ଛତିଶଗଡ଼ର ଜଶପୁର ଜିଲାର ଏକ ଉପାନ୍ତ ଅଞ୍ଚଳରେ ଏଭଳି ଏକ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଛି। ଆଦିବାସୀ ବହୁଳ ଏହି ଅଞ୍ଚଳରେ ୩ଜଣ ମହିଳାଙ୍କୁ ଉକ୍ତ ଅଞ୍ଚଳର ୩ଜଣ ଯୁବକ ବଳାତ୍କାର କରିବା ଅଭିଯୋଗ ଆସିଥିଲା। ଅଭିଯୋଗର ବିଚାର ଓ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ପଞ୍ଚାୟତ ବସିଥିଲା। ମାତ୍ର ୩୦ହଜାର ଟଙ୍କା ଓ ଗ୍ରାମବାସୀଙ୍କୁ ମାଂସ ଭୋଜି ବିନିମୟରେ ଏଭଳି ଅପରାଧିକ ମାମଲାର ମୀମାଂଶା କରିଛନ୍ତି ପଞ୍ଚାୟତ।
ଜୁଲାଇ ୫ ସନ୍ଧ୍ୟାରେ ଗ୍ରାମର ୨ନାବାଳିକା ଓ ଜଣେ ଯୁବତୀ ଘରକୁ ନଫେରିବାରୁ ସେମାନଙ୍କ ପରିବାରବର୍ଗ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଗ୍ରାମ ସଂଲଗ୍ନ ଜଙ୍ଗଲରେ ୩ଜଣ ଯୁବକ ଉପରୋକ୍ତ ଯୁବତୀଙ୍କୁ ନିକଟସ୍ଥ ଜଙ୍ଗଲରେ ବଳାତ୍କାର କରୁଥିବା ଦେଖିଥିଲେ ଉକ୍ତ ଗ୍ରାମର ଜଣେ ଯୁବକ। ଯୁବକଙ୍କ ପାଟି ଶୁଣି ୩ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଥିଲେ। ଜଙ୍ଗଲରୁ ୨ନାବାଳିକା ଓ ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ପରିବାରବର୍ଗ ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା। ତେବେ ଗ୍ରାମ ପଞ୍ଚାୟତ ପକ୍ଷରୁ ଏହି ଘଟଣାରେ ହସ୍ତକ୍ଷେପ କରାଯାଇ ଏହାର ବିଚାର ପାଇଁ ବୈଠକ ଡକା ଦିଆଯାଇ ଥିଲା। ତେବେ ବଳାତ୍କାର କରିଥିବା ପରିବାରବର୍ଗଙ୍କ ପରାମର୍ଶ କ୍ରମେ ବୈଠକରେ ପୀଡ଼ିତାଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୩୦ହଜାର ଟଙ୍କା ଓ ୪୫ଜଣ ବ୍ୟକ୍ତିଙ୍କ ପାଇଁ ମାଂସ ଭୋଜି ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏଭଳି ଅପରାଧର ଆପୋସ ସମାଧାନ ହୋଇଯାଇ ଥିଲା।
ପଞ୍ଚାୟତର ଏଭଳି ନିଷ୍ପତ୍ତି ସମ୍ପର୍କରେ କେତେକ ଗଣମାଧ୍ୟମ ପ୍ରତିନିଧି ଜାଣିବା ପରେ ଘଟଣା ଲୋକଲୋଚନାକୁ ଆସିଥିଲା। ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

Leave A Reply