ମୁସଲମାନ ଅଧିକାରୀ ବାବ୍ରିରେ ପ୍ରଥମେ କଣ ଦେଖିଥିଲେ?

ନୂଆଦିଲ୍ଲୀ: ଜାନୁଆରୀ ୨୨ସୋମବାର ଐତିହାସିକ ଦିନ ହେବାକୁ ଯାଉଛି । ଏହିଦିନ ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଦୀର୍ଘ ସମୟର ଯୁଦ୍ଧ ପରେ, ୨୦୧୯ ମସିହାରେ ସୁପ୍ରିମକୋର୍ଟ ହିନ୍ଦୁ ପକ୍ଷ ସପକ୍ଷରେ ନିଷ୍ପତ୍ତି ନେଇଥିଲେ ଏବଂ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ରାସ୍ତା ସଫା ହୋଇଥିଲା। ଉଭୟ ପକ୍ଷ ସୁପ୍ରିମକୋର୍ଟରେ ସମସ୍ତ ଦଲିଲ ଏବଂ ପ୍ରମାଣ ଉପସ୍ଥାପନ କରିଥିଲେ। ଶହ ଶହ ଲୋକ ସାକ୍ଷ୍ୟ ଦେଇଥିଲେ। ସେଥିମଧ୍ୟରୁ ପ୍ରସିଦ୍ଧ ପ୍ରତ୍ନତତ୍ତ୍ୱବିତ୍ କେ.କେ ମହମ୍ମଦଙ୍କ ଏକ ସାକ୍ଷ୍ୟ ମଧ୍ୟ ଥିଲା । ପୂର୍ବତନ ଏଏସଆଇ ଅଧିକାରୀ କେ.କେ ମହମ୍ମଦ ପ୍ରଥମ ଥର ପାଇଁ ଅଯୋଧ୍ୟାରେ ବିବାଦୀୟ ସ୍ଥାନ ଖନନ କରିଥିବା ଦଳର ଅଂଶ ଥିଲେ। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ମହମ୍ମଦଙ୍କ ଦ୍ୱାରା ଉପସ୍ଥାପିତ ପ୍ରମାଣକୁ ଉଦ୍ଧୃତ କରିଛନ୍ତି।

୪୮ବର୍ଷ ପୂର୍ବେ ବାବ୍ରି ମସଜିଦ୍‍ ଖନନ ବେଳେ କେ.କେ ମହମ୍ମଦ କହିଛନ୍ତି ଯେ ୧୯୭୬-୭୭ ମସିହାରେ ମୁଁ ବିବାଦୀୟ ସ୍ଥାନ ଖନନ ପାଇଁ ପ୍ରଥମ ଥର ଅଯୋଧ୍ୟା ଯାଇଥିଲି । ଯେଉଁଠାରେ ଖନନ କରାଯିବାର ଥିଲା ନିୟମ ଅନୁସାରେ ପ୍ରଥମେ ସେହି ସ୍ଥାନକୁ ସର୍ଭେ କରାଯାଇଥିଲା । ଆମେ ବାହ୍ୟରୁ ସମଗ୍ର ଅଂଚଳକୁ ଦେଖିବା ପରେ ସ୍ଥିର କରିଥାଉ ଯେ ଏହା ତଳେ କିଛି ହୋଇପାରିବ କି ନାହିଁ ।

ଏକ ସାକ୍ଷାତକାରରେ ଏଏସଆଇ ଅଧିକାରୀ କେ.କେ ମହମ୍ମଦ କହିଛନ୍ତି ଯେ ସେହି ସମୟରେ ଟେକ୍ନୋଲୋଜି ଏତେ ବିକଶିତ ହୋଇନଥିଲା । ଗ୍ରାଉଣ୍ଡରେ ଜିଆରପି ସିଷ୍ଟମ ଭଳି କୌଣସି ଜିନିଷ ନଥିଲା । ସେଥିପାଇଁ ଆମେ ସମସ୍ତ ଡକ୍ୟୁମେଣ୍ଟ ଏବଂ ବହି ଅଧ୍ୟୟନ କରିବା ପରେ ଯାଉଥିଲୁ । ତା ପରେ ଏହାକୁ ସେହି ସ୍ଥାନରେ ସଂଶୋଧନ କରିବାକୁ ଚେଷ୍ଟା କରୁଥିଲୁ ।

ମସଜିଦ ଉପରେ ଏକ ତାଲା ଝୁଲୁଥିଲା
ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ଏଏସଆଇ)ର ପୂର୍ବତନ ଅଧିକାରୀ ମହମ୍ମଦ କହିଛନ୍ତି ଯେ ବିବାଦୀୟ ସ୍ଥାନରେ ବାବ୍ରି ମସଜିଦ ରହିଆସୁଥିଲା। ଏଥିରେ ତାଲା ପକାଇ ଜଣେ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିଲେ। ୧୯୭୬-୭୭ ମସିହାରେ, ଜନ୍ମଭୂମି ମାମଲା ଏତେ ସରଗରମ ନଥିଲା । ସେଠାରେ ପହଂଚିବା ପରେ ପୁଲିସ କର୍ମଚାରୀଙ୍କୁ କହିଥିଲୁ ଯେ ଆମେ ଛାତ୍ର ଏବଂ ଅନୁସନ୍ଧାନ କରିବାକୁ ଆସିଛୁ। ଏହାପରେ ସେମାନେ ଆମକୁ ଭିତରକୁ ଯିବାକୁ ଅନୁମତି ଦେଇଥିଲେ ।

ପ୍ରଥମ ଥର ପାଇଁ ବାବ୍ରି ଭିତରେ ଏଏସଆଇ ଦଳ କଣ ଦେଖିଲେ?
କେ.କେ ମହମ୍ମଦ କହିଛନ୍ତି ଯେ ଯେତେବେଳେ ଆମେ ବିବାଦୀୟ ସ୍ଥାନ ଭିତରକୁ ଗଲୁ, ସେତେବେଳେ ଆମେ ଦେଖିଲୁ ଯେ ବାବ୍ରି ମସଜିଦର ସମସ୍ତ ସ୍ତମ୍ଭ ମନ୍ଦିରର ସ୍ତମ୍ଭ ଅଟେ। ସେ କହିଛନ୍ତି ଯେ ଆମେ ଏପରି ଜିନିଷ ପରଖିବାରେ ଉପଯୁକ୍ତ ତାଲିମ ପାଇଥାଉ । କୌଣସି ବୈଜ୍ଞାନିକ ପରୀକ୍ଷଣ ବିନା, ଆମେ ଦ୍ୱାଦଶ ଶତାବ୍ଦୀ କିମ୍ବା ୧୩ ତମ ଶତାବ୍ଦୀରୁ କିମ୍ବା କେଉଁ ଶାସକଙ୍କ ସମୟରୁ ତାହା ଜଣାଇବାକୁ ସମର୍ଥ ହୋଇଥାଉ ।

‘ମସଜିଦରେ ମନ୍ଦିରର ସମସ୍ତ ସ୍ତମ୍ଭ ଥିଲା’
ମହମ୍ମଦଙ୍କ କହିବାନୁସାରେ, ଏକ ବିଲ୍ଡିଂର ଡିଜାଇନ୍, ଏହାର ନିର୍ମାଣ ଶଳୀ ଏବଂ ଏଥିରେ ବ୍ୟବହୃତ ସାମଗ୍ରୀକୁ ଦେଖି ଏହା କେଉଁ ସମୟର ଅଟେ ତାହା ଜଣାପଡୁଥିଲା । ଏହାକୁ “ଷ୍ଟାଇଲିଷ୍ଟିକ୍ ଡେଟିଂ”କୁହାଯାଏ । ଏକାଦଶ ଏବଂ ଦ୍ୱାଦଶ ଶତାବ୍ଦୀର ସ୍ତମ୍ଭ ମସଜିଦ ବାବ୍ରି ମସଜିଦରେ ବ୍ୟବହୃତ ହୋଇଥିଲା । ପ୍ରଥମ ଦେଖାରେ ଏହା ସ୍ପଷ୍ଟ ହୋଇଯାଇଥିବା କେ.କେ ମହମ୍ମଦ କହିଛନ୍ତି । ଏହାପରେ ୨୦୧୨ରେ କେ.କେ ମହମ୍ମଦ ଏଏସଆଇର ଉତ୍ତର ଜୋନର ଆଂଚଳିକ ନିର୍ଦ୍ଦେଶକ ପଦରୁ ଅବସର ନେଇଥିଲେ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ୧୯୭୬ ମସିହାରେ ପ୍ରତ୍ନଭତ୍ତ୍ୱବିତ କଲେଜରୁ ପିଜି ଡିପ୍ଲୋମା ପଢିବା ବେଳେ ବିବି ଲାଲଙ୍କ ଦଳ ସହିତ ବାବ୍ରି ମସଜିଦର ବିବାଦୀୟ ସ୍ଥାନକୁ ଯାଇଥିଲି ।
କଂଗ୍ରେସ ନେତାଙ୍କ ପତ୍ନୀ ମଧ୍ୟ ଦଳରେ ସାମିଲ ଥିଲେ
ପ୍ରଥମ ଥର ପାଇଁ ଅଯୋଧ୍ୟାରେ ବିବାଦୀୟ ସ୍ଥାନ ଖନନ କରିଥିବା ଦଳରେ କଂଗ୍ରେସ ନେତା ଜୟରାମ ରମେଶଙ୍କ ପତ୍ନୀ ଜୟଶ୍ରୀ ରାମନାଥନ ମଧ୍ୟ ସାମିଲ ହୋଇଥିଲେ। ସେମାନେ ବିଶ୍ୱାସ କରୁଥିଲେ ଯେ ଏହି ତଥ୍ୟ ସାମ୍ନାକୁ ଆସିଲେ ଏହା ସାମ୍ପ୍ରଦାୟିକ ଉତ୍ତେଜନା ବିସ୍ତାର କରିବ ଏବଂ ଶତ୍ରୁତା ବୃଦ୍ଧି କରିବ । ହେଲେ ସମସ୍ତ ତଥ୍ୟକୁ ସାର୍ବଜନୀନ କରିଥିଲେ କେ.କେ ମହମ୍ମଦ । ଏହା ପରେ ସେ ରିପୋର୍ଟ ପ୍ରସ୍ତୁତ କରିଥିଲେ ।
କେ କେ ମହମ୍ମଦ କୁହନ୍ତି ଯେ ଯେତେବେଳେ ମୁଁ ସମସ୍ତ ତଥ୍ୟ ଉପସ୍ଥାପନ କଲି ଏବଂ କହିଲି ଯେ ବାବ୍ରି ମସଜିଦ ମନ୍ଦିର ଭାଙ୍ଗିବା ଦ୍ୱାରା ନିର୍ମିତ ହୋଇଛି ଏବଂ ସେଠାରେ ମନ୍ଦିରର ପ୍ରମାଣ ଅଛି, ତା ପରେ ମୋତେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା । ଗୋଟିଏ ଗୋଷ୍ଠୀ ପୁରା ମୋ ପଛରେ ପଡିଯାଇଥିଲେ । ଆଜି ବି ସେ ଏଭଳି ଧମକ ପାଉଥିବା କହିଛନ୍ତି ।

 

Comments are closed.